ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରଥମ ପର୍ଯ୍ୟାୟରେ ୭୦ ରଥ
  • ୭୦ ନିର୍ବାଚନମଣ୍ଡଳୀ ବୁଲିବ ରଥ
  • ଗାଁ ଗାଁରେ ସଚେତନତା କରିବ ରଥ
  • ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଇବ ବିଜେପି
  • ଜନତା ମାଗିବେ ଜବାବ

୨୦୧୯ ନିର୍ବାଚନ ଯେତିକି ନିକଟତର ହେଉଛି ସେହି ଅନୁସାରେ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ୁଛି। ବୁଧବାର ଦିନ ବିଜେଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରର ବିଜେପି ସରକାରକୁ ଟାର୍ଗେଟ କରିଥିବା ବେଳେ ବିଜେପି ‘ଜବାବ ମାଗୁଛି ଓଡ଼ିଶା’ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛି।

ଏହି କାର୍ଯ୍ୟକ୍ରମ ଅବସରରେ ୭୦ଟି ରଥ ଶୁଭାରମ୍ଭ କରିଛି ବିଜେପି। ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ରଥ ଶୁଭାରମ୍ଭ ହୋଇଛି। ଏହି ରଥରେ ସାଧାରଣ ଲୋକେ ଅଡିଓ ଓ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରି ଜବାବ ମାଗିବେ।

ନିଜ ମୋବାଇଲ ନମ୍ବରରୁ  ‘୯୫୫୫-୨୨୭-୨୨୭’ ରେ ମିସ୍‌ କଲ ଦେଇ ରାଜ୍ୟସରକାରଙ୍କ ବିରୋଧରେ ଅଭିଯୋଗ କରିପାରିବେ ସାଧାରଣ ଲୋକେ।

ଏହି ରଥ ୧୪୭ ବିଧାନସଭା ସମେତ ସମସ୍ତ ଗାଁ, ପଞ୍ଚାୟତ, ବ୍ଲକ, ସବଡିଭିଜନରେ ପହଞ୍ଚିବ। ଓଡ଼ିଆ ଯୁବକ ଏକ ବଡ ପରିବର୍ତନ ପାଇଁ ମନ ବାଳାଇ ସାରିଲେଣି ।

“କେନ୍ଦ୍ରସରକାର  ସବୁ ପ୍ରକାରରର ସାହାଯ୍ୟ ଯୋଗାଇ ଦେବା ପରେ ରାଜ୍ୟ ସରକାର ତାକୁ ଲାଗୁ ନକରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଜଳ ସମ୍ପଦ ବିଭାଗ ଥିଲେ ମଧ୍ୟ ସେ ଲୋକଙ୍କ ହିତ ପାଇଁ ଗୋଟିଏ ବି ଜଳସେଚନ ପ୍ରକଳ୍ପ କରିପାରି ନାହାନ୍ତି। ଜନସାଧାରଣଙ୍କ ଅର୍ଥକୁ ଠିକାଦାରମାନଙ୍କ ଦ୍ୱାରା ହରିଲୁଟ୍ କରାଯାଉଛି”, କହିଛନ୍ତି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜ୍ୟ ସରକାରଙ୍କୁ ବାଣ ମାରିଛନ୍ତି। ସେ କହିଛନ୍ତି ଯେ ୧୯ ବର୍ଷର ସରକାରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ପାରିଲେନି। ଓଡ଼ିଶାର ମେଡିକାଲରେ ଅଧା ଡାକ୍ତର ନାହାନ୍ତି। ୫ଟି ମେଡିକାଲ କଲେଜ ପାଇଁ କେନ୍ଦ୍ର ସରକାର ୬୦ ଭାଗ ଅର୍ଥ ଅନୁଦାନ ଦେବା ପରେ ବି ମୟୂରଭଞ୍ଜ ମେଡିକାଲରେ ପାଣି ଗଳୁଛି। ଚିଟଫଣ୍ଡ, ଖଣି ଦୁର୍ନୀତି, ପିସିର ଦାନବକୁ କିଏ ଦାନା ଦେଉଛି?

“ଆମ ଗାଁ ଆମ ବିକାଶ ମାଧ୍ୟମରେ ଗାଁର ବିକାଶ ନହୋଇ ଦଳୀୟ କର୍ମୀମାନଙ୍କ ବିକାଶ ହେଉଛି। ଜିଲ୍ଲା ମିନେରାଲ ଫଣ୍ଡରେ ହଜାର ହଜାର କୋଟି ଟଙ୍କା ପଡିକି ରହିଛି। କେନ୍ଦ୍ର ସରକାର ଦେଉଥିବା ଅନୁଦାନ ରାଶିକୁ ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି। ରାଜ୍ୟସରକାର ରେଲୱ ପାଇଁ ଜମି ଅଧିଗ୍ରହଣ ନକରି ଜାଣିଶୁଣି ବିଳମ୍ବ କରୁଛନ୍ତି। ଏହି ରଥ ବୁଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ନିଦ ହଜିଯିବ”, କହିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

Comment