ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଡାକ୍ତର ସଂଖ୍ୟା ପୂର୍ବାପେକ୍ଷା ବଢ଼ିବାରେ ଲାଗିଛି କିନ୍ତୁ ସ୍ୱାସ୍ଥ୍ୟ ସେବା ଜନସାଧାରଣଙ୍କ ନିକଟରେ ଅପହଞ୍ଚ ଥିବା ଅଭିଯୋଗ ଆସୁଛି। ଅଭିଯୋଗ ପଛର କାରଣ ଏବେ ସାମ୍ନାକୁ ଆସିଛି। ଭାରତରେ ଯେତିକି ସଂଖ୍ୟକ ଡାକ୍ତର ପ୍ରତିବର୍ଷ ବାହାରୁଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ର ୧୦ ପ୍ରତିଶତ ସରକାରୀ ମେଡିକାଲରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି।

୧୦ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେ ଡାକ୍ତର ସରକାରୀ ମେଡିକାଲରେ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ୯୦ ପ୍ରତିଶତ ଡାକ୍ତର ଘରୋଇ ମେଡିକାଲରେ ଚାକିରି କରିବାକୁ ମନେ କରୁଛନ୍ତି। ହୋମିଓପାଥି ଏବଂ ଆୟୁର୍ବେଦିକ ଡାକ୍ତରଙ୍କ କ୍ଷେତ୍ରରେ ଏଭଳି ସମସ୍ୟ ନଥିଲେ ହେଁ ଏଲୋପାଥିକ ଡାକ୍ତରମାନେ ସରକାରୀ ଚାକିରି ପାଇଁ ଅନିଚ୍ଛୁକ ଥିବା ଜଣାପଡ଼ିଛି।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ବ୍ୟୁରୋ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ, ଦେଶରେ ୧୦ ଲକ୍ଷ ୮୦ ହଜାର ପଞ୍ଜିକୃତ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୧ ଲକ୍ଷ ୧୦ ହଜାର ଅର୍ଥାତ ୧୦ ପ୍ରତିଶତ ଡାକ୍ତର ସରକାରୀ ମେଡିକାଲରେ ଯୋଗ ଦେଇଛନ୍ତି। ପୁରୁଣା ଉପକରଣ, କମ୍ ଦରମା ଏବଂ ଦୁର୍ବଳ ଭିତ୍ତିଭୂମି ଯୋଗୁଁ ଡାକ୍ତରମାନେ ସରକାରୀ ମେଡିକାଲ ପ୍ରତି ଆକୃଷ୍ଟ ହେଉନଥିବା ଜଣାପଡ଼ିଛି। ବିଶେଷକରି ୟୁପି, ବିହାର ଓ ଛତିଶଗଡ଼ରେ ସରକାରୀ ମେଡିକାଲରେ ଡାକ୍ତରଙ୍କ ଅଭାବ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ସର୍ତ୍ତ ଅନୁଯାୟୀ ସରକାରୀ ଭାବେ ପ୍ରତି ଏକ ହଜାର ଲୋକଙ୍କ ପାଇଁ ଅତିକମରେ ଜଣେ ଡାକ୍ତର ରହିବା କଥା। ବିହାରରେ ୨୮, ୩୯୧ ଜଣଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ସେହିପରି ଉତ୍ତରପ୍ରଦେଶରେ ପ୍ରତି ୨୦ ହଜାର, ଝାଡ଼ଖଣ୍ଡରେ ପ୍ରତି ୧୮,୫୧୮, ମଧ୍ୟପ୍ରଦେଶରେ ୧୭,୧୯୨, ମହାରାଷ୍ଟ୍ରରେ ୧୭ ହଜାର ଏବଂ କର୍ଣ୍ଣାଟକରେ ୧୩,୫୫୬ ଜଣ ଲୋକଙ୍କ ପିଛା ଜଣେ ଲେଖାଏଁ ସରକାରୀ ଡାକ୍ତର ଅଛନ୍ତି।

ବିହାରରେ ୪୦, ୬୪୯ ଜଣ ଡାକ୍ତର ଥିବାବେଳେ ସରକାରୀ ମେଡିକାଲରେ ୩, ୫୭୬ ଡାକ୍ତର ଚାକିରି କରିଛନ୍ତି। ସେହିପରି ୟୁପିରେ ୭୨,୭୫୭ ଡାକ୍ତରଙ୍କ ମଧ୍ୟରୁ ୧୦, ୭୫୪, ମଧ୍ୟପ୍ରଦେଶରେ ୩୬, ୪୫୫ ଜଣ ଡାକ୍ତର ଥିବାବେଳେ ସରକାରୀ ମେଡିକାଲରେ ୪, ୫୯୩ ଜଣ କାର୍ଯ୍ୟ କରୁଛନ୍ତି।

Comment