ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ ଜିଲ୍ଲା ବିଭାଜନ ଏକ ଗୁଜବ। ଗୁଜବରେ ବିଶ୍ୱାସ ନକରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ। ପୂର୍ବରୁ ଦିଆଯାଇଥିବା ମୟୁରଭଞ୍ଜ ବନ୍ଦ ଡାକରା ପ୍ରତ୍ୟାହୃତ।

ଗତ କିଛି ଦିନ ଧରି ବିଭିନ୍ନ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ମୟୂରଭଞ୍ଜ ଜିଲ୍ଲା ବିଭାଜନ ନେଇ ଖବର ପ୍ରକାଶ ପାଇବା ପରେ ଜିଲ୍ଲାର ବିଭିନ୍ନ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୟୂରଭଞ୍ଜର ବିଭିନ୍ନ ସଙ୍ଗଠନ ଏବଂ କେତେକ ପ୍ରମୁଖ ବ୍ୟକ୍ତିମାନେ ଏହି ଜିଲ୍ଲା ବିଭାଜନ କଥାକୁ ବିରୋଧ କରିଥିଲେ। ଏଥିପାଇଁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ୧୬ ତାରିଖରେ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା ମଧ୍ୟ ଦିଆଯାଇଥିଲା।

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଜଲ୍ଲାପାଳ କହିଛନ୍ତି,” ଜିଲ୍ଲା ବିଭାଜନ ନେଇ କୌଣସି ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇ ନାହିଁ। ତେଣୁ ଏଭଳି ଗୁଜବରୁ ନିବୃତ ରୁହନ୍ତୁ।”ଏହାପରେ ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରାକୁ ପ୍ରତ୍ୟାହାର କରିନିଆଯାଇଛି ବୋଲି ମୟୂରଭଞ୍ଜ ବନ୍ଦ କାର୍ଯ୍ୟାନୁଷ୍ଠାନ  କମିଟି ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ରାଇରଙ୍ଗପୁର ଉପଖଣ୍ଡ ଅଞ୍ଚଳରେ ଏହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସେମାନେ ମୟୂରଭଞ୍ଜ ଜିଲ୍ଲା ବିଭାଜନ କାର୍ଯ୍ୟକ୍ରମକୁ ସ୍ୱାଗତ କରିବା ସହ ଉପାନ୍ତ ଅଞ୍ଚଳର ବିକାଶ ସହିତ ଜନସାଧାରଣଙ୍କ ହିତ ଦୃଷ୍ଟିରୁ ଜିଲ୍ଲା ବିଭାଜନ ଆବଶ୍ୟକ ବୋଲି ଦାବି କରିଛନ୍ତି।

Comment