ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୭ ଜୁଲାଇ ମାସ ପରେ ପ୍ରଥମ ଥର ପାଇଁ ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୫୦ ଡଲାରରୁ ତଳକୁ ଖସି ଆସିଛି। ଏହାର ପ୍ରଭାବ ଭାରତ ଉପରେ ପଡ଼ିବା ସ୍ପଷ୍ଟ। ଅନ୍ତରାଷ୍ଟ୍ରୀୟ ବଜାରରେ ତୈଳ ଦର ହ୍ରାସ ପାଉଥିବାରୁ ଆସନ୍ତା ନୂଆବର୍ଷରେ ତେଲ ଦର ପାଖାପାଖି ୬ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି।

ବିଶ୍ୱ ଅର୍ଥନୀତି ବଜାରରେ ଦେଖାଦେଇଥିବା ଅସ୍ଥିରତା ପାଇଁ ଏପରି ହେଉଥିବା କୁହାଯାଉଛି। ଏହାଦ୍ୱାରା ତୈଳ ଦର ନିର୍ଦ୍ଧାରଣ କରୁଥିବା ଦେଶର ସଂଗଠନ ଓପେକ ସହ ଅନ୍ୟ ଦେଶମାନେ ତୈଳ ଉତ୍ପାଦନର କମାଇବା ନେଇ ଘୋଷଣା କରିଥିଲେ। ଏହାପରେ ତୈଳ ଦରରେ ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଥିଲା। କିନ୍ତୁ ଏବେ ଏହାର ଓଲଟା ଦେଖିବାକୁ ମିଳିଛି।

ରୁଷର ଶକ୍ତି ମନ୍ତ୍ରୀ ଆଲେକଜେଣ୍ଡର ନୋବାକ ନିବେଶକଙ୍କୁ ଭରସା ଦେଇଛନ୍ତି ଯେ ଓପେକ ଏବଂ ଏହାର ସହଯୋଗୀ ଦେଶ ମଧ୍ୟରେ ତେଲ ଉତ୍ପାଦନ କମାଇବା ନେଇ ହୋଇଥିବା ସହମତି ପାଇଁ ୨୦୧୯ ପ୍ରଥମ ୬ ମାସରେ ତୈଳ ବଜାରର ସ୍ଥିତିରେ ସୁଧାର ହେବ।

ଏହାସହ ସେ କହିଛନ୍ତି ଯେ ପରିସ୍ଥିତି ବଦଳିବା ପରେ ତୈଳ ଉତ୍ପାଦନକାରୀ ଦେଶଗୁଡ଼ିକ ଉଚିତ ପଦକ୍ଷେପ ନେବେ।

ଅକ୍ଟୋବର ମାସରେ ୪ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିବା ପରେ ଅଶୋଧିତ ତୈଳ ଦରରେ ୪୦ ପ୍ରତିଶତ କମ୍ ହୋଇଛି। ତୈଳ ଉତ୍ପାଦନକାରୀ ଦେଶର ସଂଗଠନ ଏବଂ ରୁଷ ସମେତ ଏହାର ସହଯୋଗୀ ଦେଶମାନେ ୬ ଡିସେମ୍ବର ଦିନ ବସିଥିବା ବୈଠକରେ ତୈଳ ଉତ୍ପାଦନ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଏହାଦ୍ୱାରା ନିବେଶକମାନଙ୍କୁ ଭୟ ଥିଲା ଯେ ଅନ୍ତରାଷ୍ଟ୍ରୀୟ ସ୍ତରରେ ତୈଳର ଅଭାବ ଦେଖାଦେବ। କିନ୍ତୁ ଆମେରିକା ରେକର୍ଡ ସ୍ତରରେ ତୈଳ ଉତ୍ପାଦନ କରିବାରେ ଲାଗିଛି, ଯାହାଦ୍ୱାରା ଭୟ ଏବେ ଦୂରେଇ ଯାଇଛି।

Comment