ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭାରେ ପାସ୍ ହୋଇଛି ତିନି ତଲାକ ବିଲ୍। ଏବେ ରାଜ୍ୟସଭାରେ ମଞ୍ଜୁରୀ ହେଲେ ଆଇନରେ ପରିଣତ ହେବ ତିନି ତଲାକ୍।

ଲୋକସଭାରେ ବହୁଚର୍ଚ୍ଚିତ ତିନି ତଲାକ ବିଲ୍ ପାସ୍ ହୋଇଛି। ବିଲ ସପକ୍ଷରେ ୨୪୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ ମାତ୍ର ୧୧ଟି ଭୋଟ ପଡିଥିଲା। ଏବେ ଏହାକୁ ରାଜ୍ୟସଭାରେ ମଞ୍ଜୁରୀ ପାଇଁ ଉପସ୍ଥାପନ କରାଯିବ। ଏହା ପରେ ଯାଇ ଏହି ବିଲ୍ ଆଇନରେ ପରିଣତ ହେବ।

ଗୃହରେ ଉପସ୍ଥିତ ୨୫୬ ସାଂସଦଙ୍କ ମଧ୍ୟରୁ ୨୪୫ ସଦସ୍ୟ ଏହା ସପକ୍ଷରେ ମତଦାନ କରିଥିବା ବେଳେ ୧୧ ସଦସ୍ୟ ଏହା ବିରୋଧରେ ଭୋଟ୍ ଦେଇଥିଲେ। ଏହା ସହିତ ଗୃହରେ ଅସଦୁଦ୍ଦୀନ ଓବେସୀଙ୍କ ତିନୋଟି ସଂଶୋଧନ ପ୍ରସ୍ତାବ ମଧ୍ୟ କାଟ୍ ଖାଇ ଯାଇଛି। ଅନେକ ସଂଶୋଧନ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ମିଳିନାହିଁ।

ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାନଯିବାରୁ କଂଗ୍ରେସ, ଏଆଇଡିଏମକେ, ଟିଏମସି ଓ ଆରଜେଡି ଭୋଟ ପୂର୍ବରୁ କକ୍ଷ ତ୍ୟାଗ କରିଥିଲେ। ଏହି ବିଲ ପାଇଁ ବିରୋଧୀ ଦଳମାନେ ଅନେକ ପ୍ରକାରର ସଂଶୋଧନ ପାଇଁ ଦାବି କରିଥିଲେ ମଧ୍ୟ ସରକାର ସେଥିଲାଗି ରାଜି ହୋଇନଥିଲେ। ଫଳରେ ଏହି ବିଲ ବିରୋଧରେ ଅଣାଯାଇଥିବା ସଂଶୋଧନ ପ୍ରସ୍ତାବ ଗୃହରେ କାଟ୍ ଖାଇ ଯାଇଛି।

ଏହା ପୂର୍ବରୁ ୨୦୧୭ ଡିସେମ୍ବରରେ ମଧ୍ୟ ଲୋକସଭାରେ ତିନି ତଲାକ ବିଲକୁ ମଞ୍ଜୁରୀ ମିଳିଥିଲା, ମାତ୍ର ରାଜ୍ୟସଭାରେ ଏହା ପାରିତ ହୋଇପାରିନଥିଲା। ଏହା ପରେ ସରକାରଙ୍କୁ ତିନି ତଲାକ ଉପରେ ଅଧ୍ୟାଦେଶ ଆଣିବାକୁ ପଡ଼ିଥିଲା।

ଏବେ ସରକାର ପୁଣି ଥରେ ଲୋକସଭାରେ ସଂଶୋଧିତ ବିଲ ଉପସ୍ଥାପନ କରିଥିଲେ। ଏବେ ଲୋକସଭାରେ ତିନି ତଲାକକୁ ଅପରାଧ ଦର୍ଶାଉଥିବା ବିଲ ମଞ୍ଜୁରୀ ମିଳିବା ପରେ ରାଜ୍ୟସଭାରେ ଏହାକୁ ପାରିତ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହେବ। କାରଣ ଉଚ୍ଚ ସଦନରେ ଏନଡିଏର ବହୁମତ ନାହିଁ।

Comment