ନୀଳାମ୍ବର ରଥ

ଆଜି ଶ୍ରୀମନ୍ଦିରକୁ ଏକପ୍ରକାର ବନ୍ଧକ ରଖିବା ଭଳି ଅବସ୍ଥା ସୃଷ୍ଟି ହୋଇଛି। ସକାଳଠାରୁ ଅପରାହ୍‌ଣ ପର୍ଯ୍ୟନ୍ତ ପୁରୀ ଆସିଥିବା ଲକ୍ଷାଧିକ ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ନ ପାଇ ବଡଦାଣ୍ଡରେ ପଡି ରହିଛନ୍ତି। ସେବାୟତମାନେ ଶ୍ରୀମନ୍ଦିରକୁ ଏକପ୍ରକାର ବନ୍ଦ କରି ରଖିଛନ୍ତି। ସ୍ଥାନୀୟ ପ୍ରଶାସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏପରିକି ସରକାର ସମସ୍ତେ ଅସହାୟ! ଏଭଳି ଏକ ଅଭାବନୀୟ ଘଟଣା ଓଡ଼ିଶା ପାଇଁ ଅତ୍ୟନ୍ତ ନିନ୍ଦନୀୟ।

ପୁରୀରେ ଶ୍ରୀମନ୍ଦିର ସାମ୍‌ନାରେ ଭକ୍ତ ଏବଂ ପୋଲିସ୍‌ଙ୍କ ମଧ୍ୟରେ ଧସ୍ତାଧସ୍ତି ଭଳି ଅବସ୍ଥା ସୃଷ୍ଟି ହୋଇଛି। ସାରା ଓଡ଼ିଶା ଏପରିକି ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଆସିଥିବା ଭକ୍ତମାନେ ଆଠ ଘଣ୍ଟା ଅପେକ୍ଷା କଲାପରେ ମଧ୍ୟ ଅଚଳାବସ୍ଥା ଟଳିପାରି ନାହିଁ। ପ୍ରଶାସନ କହୁଛି ଯେ ସବୁକିଛି ସେବାୟତଙ୍କ ହାତରେ। ସେବାୟତମାନେ ପ୍ରଶାସନ ପାଖରେ କିଛି ଅଦ୍ଭୁତ ଦାବି ରଖି ନିଜ ଜିଦ୍‌ରେ ଅଟଳ ଅଛନ୍ତି। ସେବାୟତ ଏବଂ ପ୍ରଶାସନ ବା ବାସ୍ତବରେ ସରକାରଙ୍କ ମଧ୍ୟରେ ଏହି ମୁହାଁମୁହିଁ ଅବସ୍ଥା ଦର୍ଶାଇ ଦେଉଛି ଯେ ଶ୍ରୀମନ୍ଦିରର ପ୍ରଶାସନିକ ବ୍ୟବସ୍ଥା ବାସ୍ତବରେ କେତେ ଦୁର୍ବଳ ଏବଂ ପୁରୁଣାକାଳିଆ।

ଶ୍ରୀମନ୍ଦିର ସେବାୟତଙ୍କର ନା ସରକାରଙ୍କର?

ପୁରୀର ଶ୍ରୀମନ୍ଦିର ସହିତ କେବଳ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଭାବନା ସମ୍ପୃକ୍ତ ନୁହେଁ ବରଂ ଏହାସହିତ ଦେଶ ବିଦେଶର ଲକ୍ଷ ଲକ୍ଷ ଭକ୍ତ ଯୋଡ଼ି ହୋଇ ରହିଛନ୍ତି। ତେଣୁ ବାସ୍ତବରେ ଦେଖିଲେ ଶ୍ରୀମନ୍ଦିରର ବାସ୍ତବ ମାଲିକ ହେଲେ ଭକ୍ତ ସମୂହ। ଅର୍ଥାତ୍ ଶ୍ରୀମନ୍ଦିର ସେବାୟତଙ୍କର ନୁହେଁ କି ସରକାରଙ୍କର ନୁହେଁ। ଉଭୟ ସେବାୟତ ଓ ସରକାର ଏହି ଧାର୍ମିକ ବ୍ୟବସ୍ଥା ପରିଚାଳନା କରିବା ପାଇଁ କେବଳ ଦାୟିତ୍ୱ ନେଇଛନ୍ତି।

କିନ୍ତୁ ଅସଲରେ ଆଜିର ଘଟଣାକୁ ଅନୁଧ୍ୟାନ କଲେ ମନେହେଉଛି ଯେ ଶ୍ରୀମନ୍ଦିରର ପରିଚାଳନା ସରକାରଙ୍କ ନିୟନ୍ତ୍ରଣରେ ନାହିଁ। ଅନ୍ୟପକ୍ଷରେ ଯେଉଁ ସେବାୟତମାନେ ଶ୍ରୀମନ୍ଦିର ସେବା ମାଧ୍ୟମରେ ମୁଖ୍ୟତଃ ସେମାନଙ୍କର ଜୀବନ ଓ ଜୀବିକା ନିର୍ବାହ କରୁଛନ୍ତି ସେମାନେ ମଧ୍ୟ ସୁଯୋଗ ପାଇଲେ ଭାତ ହାଣ୍ଡିରେ ଲାତ ମାରିବାକୁ ପଛାଉ ନାହାନ୍ତି। ଆଜିର ଘଟଣାରୁ ଧାରଣା ସୃଷ୍ଟି ହେଉଛି ଯେ ଶ୍ରୀମନ୍ଦିରର ଶତକଡା ୧୦୦ ମାଲିକ ହେଲେ ସେବାୟତ। ଅର୍ଥାତ୍ ସରକାର ହୁଅନ୍ତୁ ବା ଭକ୍ତ, ସେମାନେ ପଛ। ସେବାୟତମାନେ ଯେତେବେଳେ ଚାହିଁବେ ଶ୍ରୀମନ୍ଦିରରେ ସେହି ହୁକୁମ ଚାଲିବ!

ସେବାୟତଙ୍କ ବିବେକ ଉପରେ ସବୁକିଛି!

ଏହି ଅଭାବନୀୟ ଘଟଣାର ମୁକାବିଲା କରିବା ବେଳେ ବେଶ୍ ଅସହାୟ ଦିଶୁଛି ଶ୍ରୀମନ୍ଦିର ପ୍ରଶାସନ। ଏହାର ମୁଖ୍ୟ ପ୍ରଶାସକ ଜଣେ ବରିଷ୍ଠ ଆଇଏସ୍ ଅଫିସର। ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ନିଜେ ଗଜପତି। ଅସଲରେ ଦେଖିବାକୁ ଗଲେ ଶ୍ରୀମନ୍ଦିରର ଭଲ ମନ୍ଦ ହେଉଛି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିଷୟ। କିନ୍ତୁ ଆଜି ଏକ ଛୋଟ ଘଟଣାକୁ ନେଇ ଶ୍ରୀମନ୍ଦିର ଓ ସ୍ଥାନୀୟପୋଲିସ୍ ପ୍ରଶାସନ ମଧ୍ୟରେ ଯେଉଁ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ତା’ର ଫଳ ଭୋଗିବାକୁ ପଡ଼ୁଛି ଭକ୍ତମାନଙ୍କୁ। ସବୁଠାରୁ ଦୁର୍ଭାଗ୍ୟର କଥା ହେଉଛି ଯେ ଏହି ଘଟଣା ଫଳରେ ଦେଶବିଦେଶରେ ଆମ ରାଜ୍ୟର ଯେଉଁ ନିନ୍ଦା ବା ଅପଯଶ ହେବାକୁ ଯାଉଛି ତା’ର ଶ୍ରେୟ କିଏ ମୁଣ୍ଡାଇବ?

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଜି ସକାଳୁ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟର ମୋଟାମୋଟି ଅର୍ଥ ହେଉଛି: ‘‘ମହାପ୍ରଭୁଙ୍କୁ ନୀତିକାନ୍ତି ସେବାୟତମାନଙ୍କ ବିବେକ ଉପରେ ଛାଡି ଦିଆଯାଇଛି। ସେମାନେ ବିବେକ ଅନୁଯାୟୀ କାର୍ଯ୍ୟ କରିବେ’’। ଏହା ଏକ ସୁନ୍ଦର ପ୍ରଶାସନିକ ମନ୍ତବ୍ୟ। କାରଣ ଏଇ ମୁହୂର୍ତ୍ତରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ହାତରେ ମଧ୍ୟ କୌଣସି ସମାଧାନ ନାହିଁ। କାରଣ ପ୍ରଶାସନ ପକ୍ଷରେ ଯେତେ କ୍ଷମତା ଥିଲେ ମଧ୍ୟ ସେବାୟତମାନଙ୍କ ରଣହୁଙ୍କାର ଆଗରେ ସବୁ ବାରମ୍ବାର ଫିକା ପଡ଼ିଆସିଛି।

ଶ୍ରୀମନ୍ଦିରର ପରିଚାଳନାଗତ ମାଲିକ ଓଡ଼ିଶା ସରକାରଙ୍କ ଆଇନ ବିଭାଗ। ବିଭାଗୀୟ ମନ୍ତ୍ରୀ ମିଡିଆକୁ କହିଛନ୍ତି ଯେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ସ୍ଥାନୀୟ ପ୍ରଶାସନ ସେବାୟତମାନଙ୍କ ସହ ଆଲୋଚନା କରି ଖୁବ୍ ଶୀଘ୍ର ସମାଧାନର ରାସ୍ତା ବାହାର କରିବେ। ତେଣୁ ଜନସାଧାରଣ ଓ ଭକ୍ତମାନଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି।

କୌଣସି ମାମଲାରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ହିଁ ଶ୍ରେଷ୍ଠ ପନ୍ଥା। ଏଥିରେ କୌଣସି ଦ୍ୱିତୀୟ ମତ ନାହିଁ। କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ଯେ ଆମେ କାହାସହିତ ଆଲୋଚନା କରୁଛୁ ଏବଂ କେଉଁ ପ୍ରସଙ୍ଗରେ ଆଲୋଚନା କରୁଛୁ। ଯଦି କଥା କଥାକେ ସେବାୟତ ଓ ପ୍ରଶାସନ ବାରମ୍ବାର ମୁହାଁମୁହିଁ ହୁଅନ୍ତି ତେବେ ସେ ଆଲୋଚନା ଏକ ଦୀର୍ଘ ସୂତ୍ରୀ ସମାଧାନ ନୁହେଁ। ଅବଶ୍ୟ ସରକାର ଏକଥା ଜାଣିଛନ୍ତି; କିନ୍ତୁ ଶ୍ରୀଜଗନ୍ନାଥଙ୍କ ବ୍ୟାପାରରେ ସେବାୟତଙ୍କ ମୁହାଁମୁହିଁ ହୋଇ ମାମଲାକୁ ଅଧିକ ଜଟିଳ କରିବାକୁ ହୁଏତ ଚାହୁଁନାହାନ୍ତି।

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଗଜପତି

ଏହି ଘଟଣାରେ ଗଜପତି ଦିବ୍ୟସିଂହ ଦେବ ସର୍ବୋଚ୍ଚସ୍ତରରେ ସରକାରଙ୍କ ହସ୍ତକ୍ଷେପ ଲାଗି ଅନୁରୋଧ କରିଛନ୍ତି। ଅର୍ଥାତ୍ ଗଜପତି ଯଥାଶୀଘ୍ର ମାମଲାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ମୁଣ୍ଡ ଖେଳାନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି। ସେ ଉଭୟ ସରକାର ଏବଂ ସେବାୟତମାନଙ୍କୁ ନିବେଦନ କରି କହିଛନ୍ତି ଯେ ଭକ୍ତମାନଙ୍କୁ କୌଣସି ପରିସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ କରାନଯାଉ।

ଅତୀତରେ ବିଭିନ୍ନ ସମୟରେ ଗଜପତି ଶ୍ରୀମନ୍ଦିରର ପରିଚାଳନାଗତ ସ୍ୱଚ୍ଛତା, କାର୍ଯ୍ୟଦକ୍ଷତା ଏବଂ ଭକ୍ତମାନଙ୍କ ଭାବବେଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ତେବେ ବାସ୍ତବରେ ଦେଖିଲେ ମନେହୁଏ ବିଭିନ୍ନ କାରଣରୁ ଗଜପତିଙ୍କୁ ନା ସରକାର ନା ସେବାୟତ କେହି ଉଚିତ୍ ଗୁରୁତ୍ୱ ଦେଉଛନ୍ତି। ଏଠି ମୁଁ ବାସ୍ତବିକ ଗୁରୁତ୍ୱ ଅର୍ଥରେ କହିବାକୁ ଚାହୁଁଛି କେବଳ ପଦପଦବୀକୁ ଗୁରୁତ୍ୱ ଦିଆଯାଉଥିବା ଅର୍ଥରେ ନୁହେଁ।

ମହାପ୍ରଭୁମାନେ ଏବେ ପଣବନ୍ଦୀ!

ଗୁରୁବାର ଦିନ ଶ୍ରୀମନ୍ଦିରରେ ଜଣେ ସେବାୟତ ସମ୍ଭବତଃ କୌଣସି ବିଦେଶୀ ଭକ୍ତଙ୍କୁ ପ୍ରବେଶ କରେଇବା ପ୍ରସଙ୍ଗରେ ଅଭିଯୋଗ ଆସିଥିଲା। ଏ ବାବଦରେ ଥାନାରେ ଏତଲା ହୋଇଛି। ପୋଲିସ୍ ସମ୍ପୃକ୍ତ ପର୍ଯ୍ୟଟକ ବା ଭକ୍ତଙ୍କୁ ତାଙ୍କର ପରିଚୟପତ୍ର ମାଗିଥିଲେ। ହେଲେ ସମ୍ପୃକ୍ତ ଭକ୍ତ ପରିଚୟପତ୍ର ଦେଇପାରିନଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ମୁହାଁମୁହିଁ ହୋଇଛନ୍ତି ଶ୍ରୀମନ୍ଦିର ସେବାୟତ ଏବଂ ପୋଲିସ।

ପୁରୀ ଏସ୍‌ପି ଆଜି ମିଡିଆକୁ ଦେଇଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ସେବାୟତମାନେ ହୋଇଥିବା ମାମଲା ଉଠାଇ ନେବାକୁ ଦାବି କରିଛନ୍ତି। କେବଳ ସେତିକି ନୁହେଁ ଅତୀତରେ ହିଂସାକାଣ୍ଡରେ ବିଭିନ୍ନ  ସେବାୟତଙ୍କ ନାଁରେ ହୋଇଥିବା ମାମଲା ଉଠାଇନେବାକୁ ଆଜି ସେବାୟତମାନେ ଦାବି କରି ଏଭଳି ଅଚଳାବସ୍ଥା ସୃଷ୍ଟି କରିଛନ୍ତି।

ପୁରୀର ଜିଲ୍ଲାପାଳ ମଧ୍ୟ ଅନୁରୂପ ସୂଚନା ଦେଇଛନ୍ତି। ଗୁରୁବାର ଘଟଣା ସହିତ ଅତୀତର ଘଟଣାକୁ ଯୋଡା ନ ଯାଉ ବୋଲି ସେ କହିଛନ୍ତି। ତେଣୁ ମୋଟାମୋଟି ମନେହେଉଛି ଯେ କିଛି ସେବାୟତ ଏହି ଘଟଣା ବା ଦୁର୍ଘଟଣାର ସୁଯୋଗ ନେଇ ପୁରୁଣା ମାମଲାକୁ ଦଫାରଫା କରିବାକୁ ଉଦ୍ୟମ କରୁଛନ୍ତି। ଯେପର୍ଯ୍ୟନ୍ତ ସରକାର ତାଙ୍କର ଦାବି ମାନି ନ ନେଇଛନ୍ତି ସେପର୍ଯ୍ୟନ୍ତ ସେମାନେ ମନ୍ଦିର ଖୋଲିବେ ନାହିଁ କି ଭକ୍ତମାନଙ୍କୁ ଶ୍ରୀଜୀଉଙ୍କ ଦର୍ଶନର ସୁଯୋଗ ଦେବେ ନାହିଁ। ଏହା କ’ଣ ଶ୍ରୀମନ୍ଦିରକୁ ବନ୍ଧକ ରଖିବା ବା ଓଡ଼ିଆ ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ ପଣବନ୍ଦୀ କରି ନିଜ ନିଜର ଦାବି ପୂରଣ କରିବା ପାଇଁ ହୀନ ଉଦ୍ୟମ କରିବା ଭଳି ପରିସ୍ଥିତି ନୁହେଁ କି?

ନୂଆବର୍ଷ ସମୟ। ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ନାହିଁନଥିବା ଭିଡ। ଠିକ୍ ସମୟରେ ସେବାୟତମାନେ ପ୍ରଶାସନ ଓ ସରକାରଙ୍କୁ ଦେଇଛନ୍ତି ଏକ ଚୋଟ। ମନେହେଉଛି ଯେପରି ସେମାନଙ୍କ ଆଗରେ ଆଜି ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରା, ଭକ୍ତମାନଙ୍କ ଭାବାବେଗ ଏବଂ ଗୋଟିଏ ଗଣତାନ୍ତ୍ରିକ ରାଷ୍ଟ୍ରର ସାର୍ବଜନୀନ ପ୍ରଶାସନିକ ବ୍ୟବସ୍ଥାର ମାନେ କିଛି ନାହିଁ! ଅନ୍ୟପକ୍ଷରେ ଜଣେ ଓଡ଼ିଆ ହିସାବରେ ଆମ ପାଇଁ ଏହା ଏକ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ ଯେ କିଛି ଲୋକ ଚାହିଁଲେ ଯେ କୌଣସି ସମୟରେ ଶ୍ରୀମନ୍ଦିର ଭଳି ଏକ ସାର୍ବଜନୀନ ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥାକୁ ନିଜର ନିୟନ୍ତ୍ରଣକୁ ନେଇପାରିବେ। ସରକାର ସେମାନଙ୍କର କେଶ ବଙ୍କା କରିପାରିବେ ନାହିଁ।

ଅତୀତରେ ବାରମ୍ବାର ଏଭଳି ଘଟଣା ଘଟିଛି। ମାନିଲେ ଦିଅଁ, ନ ମାନିଲେ କାଠ ପଥର! ଏଇୟା କହି ଭକ୍ତମାନେ ମନ ବୁଝାଇ ରୁହନ୍ତୁ। ସେବାୟତ ଓ ସରକାର ହଲାପଟା କରି ଥଣ୍ଡା ପଡ଼ିଲେ ଆପେ ଆପେ ମନ୍ଦିର ଦୁଆର ଖୋଲିବ। ଆଉ ପୁରୀ ଏସ୍‌ପିଙ୍କ ପରାମର୍ଶ ମଧ୍ୟ ମନେରଖନ୍ତୁ – ଯେ ପର୍ଯ୍ୟନ୍ତ ଝାମେଲା ନ ତୁଟିଛି ବା ଶ୍ରୀମନ୍ଦିର ଦୁଆର ନ ଖୋଲିଛି ଭକ୍ତମାନେ ସମୁଦ୍ରକୂଳ ଓ ଅନ୍ୟଆଡେ ବୁଲାବୁଲି କରନ୍ତୁ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ମୁଖ୍ୟ ସମ୍ପାଦକ)

Comment