ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୋଟିଏ ପଟେ ଶୀତରେ ସମଗ୍ର ଓଡ଼ିଶା ଥରୁଥିବା ବେଳେ ରାଜନୈତିକ ଦଳମାନଙ୍କ ମଧ୍ୟରେ ପ୍ରଶ୍ନବାଣ ରାଜନୀତି ତାପମାତ୍ରାକୁ ଉଷୁମ କରି ରଖିଥିବା ଦେଖାଯାଉଛି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଚୌକିକୁ ନେଇ ଆରମ୍ଭ ହୋଇଛି ପ୍ରତିଯୋଗିତା। ଏହି ପ୍ରଶ୍ନ ପଚରା ଖେଳରେ ତିନୋଟି ଯାକ ଦଳ ଭାଗ ନେଉଥିବା ବେଳେ ମୁଖ୍ୟତଃ ବିଜେପି ଓ ବିଜେଡି ହିଁ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି। ଏହି ଟ୍ରେଣ୍ଡ ଆରମ୍ଭ ହେଲା ଡିସେମ୍ବର ୨୪ରେ ମୋଦିଙ୍କ ଓଡ଼ିଶା ଗସ୍ତ ସହ।

ଓଡ଼ିଶା ସରକାରଙ୍କ ବିଫଳତାକୁ ସାମ୍ନାକୁ ଆଣିବା ପାଇଁ ମୋଦି ଉଦ୍ୟମ ଏକ କ୍ଷୀଣ ଉଦ୍ୟମ କରିଥିଲେ। ତାଙ୍କ ଖୋର୍ଦ୍ଧା ସଭାରେ ସେ ନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା ବିଜେଡି ଉପରେ ବର୍ଷିଥିଲେ, ନା ବର୍ଷିଥିଲେ ଓଡ଼ିଶା ସରକାରଙ୍କ ଉପରେ। ମୋଦିଙ୍କ ଏହି ନରମ ସମାଲୋଚନା ଅବଶ୍ୟ ଓଡ଼ିଶା ବିଜେପିର ତଥାକଥିତ ବାହୁବଳି ନେତାଙ୍କୁ ଖୁସି କରି ପାରିନାହିଁ। ତେବେ ଏହି ଘଟଣାରେ ଏକ ନୂଆ ରାଜନୈତିକ ସମ୍ଭାବନା ଆଖିରେ ପଡ଼ୁଛି। ରାଜନୀତି ପାଣିପାଗ ଉପରେ ନଜର ରଖୁଥିବା ବ୍ୟକ୍ତିଙ୍କ ମତରେ ଆଗକୁ କିଛି ଗୋଟିଏ ସମୀକରଣ ହୋଇପାରେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ସରକାରଙ୍କ ଉପରେ  ଯେଉଁ ଆକ୍ରମଣ କଲେ ତାହା ପୂର୍ବାପେକ୍ଷା କୋମଳ ଲାଗୁଥିଲା। ତେବେ ମୋଦି ଯେତିକି ବି ବର୍ଷିଲେ ତାଠାରୁ ଅଧିକ ଜବାବ ବିଜେଡି ପ୍ରତିଷ୍ଠା ଦିବସ ଅବସରରେ ଦଳର ସୁପ୍ରିମୋ ତଥା  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଛନ୍ତି। ମୋଦିଙ୍କ ଭାଷଣର କଡ଼ା ଜବାବ ରଖିବାକୁ ଯାଇ ନବୀନ ଓଡ଼ିଶା ପ୍ରତି  କେନ୍ଦ୍ର ସରକାରଙ୍କ ନଅଟି ବିଫଳତାର ଏକ ତାଲିକା ପ୍ରସ୍ତୁତ କରିଛନ୍ତି ଓ ତାର ଜବାବ ମାଗିଛନ୍ତି।

ଖାଲି ବିଜେଡି ନୁହେଁ ନିକଟରେ ୩ ରାଜ୍ୟରେ କ୍ଷମତାକୁ ଫେରିଥିବା ଓ ଏଠି ଉତ୍ସାହିତ ହୋଇପଡ଼ିଥିବା କଂଗ୍ରେସ ଦଳ ତରଫରୁ ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ ବାଣରେ ଜର୍ଜରିତ କରିଦିଆ ଯାଇଛି। ଓଡ଼ିଶାରେ ବିକାଶ ଦେଖାନାହିଁ ଓ ମହିଳାମାନେ ଅପରାଧର ଶିକାର ହେଉଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ଯଦିଓ ତିନିଟି ଯାକ ଦଳ ଓଡ଼ିଶାର ବିକାଶ କଥା ହିଁ କହୁଛନ୍ତି ବାସ୍ତବରେ ଦେଖିବାକୁ ଗଲେ ସବୁ ଦଳ ପରସ୍ପର ପ୍ରତି ଏକ ନକାରାତ୍ମକ ଆକ୍ରମଣ ଚଳାଇଛନ୍ତି। ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ୨୦୧୪ରେ ଦଳମାନେ ଯେଉଁସବୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ସେ ଗୁଡ଼ିକ ଗଲା କୁଆଡ଼େ? ରାଜ୍ୟର ବିକାଶ ପାଇଁ ସମସ୍ତେ ଚିନ୍ତିତ ଥିବା ବେଳେ ସବୁ କିଛି ଅସଜଡ଼ା ଅବସ୍ଥାରେ କାହିଁକି ରହିଛି?

ଦୈନନ୍ଦିନ ରାଜନୀତି ଖବର ଯେଉଁମାନେ ରଖୁଛନ୍ତି ତାଙ୍କ କହିବା ଅନୁଯାୟୀ ଏବେ ଓଡ଼ିଶାରେ ରାଜନୀତି ଅତ୍ୟନ୍ତ ତରଳ ଅବସ୍ଥାରେ ରହିଛି ଓ ଆଗକୁ କ’ଣ ହେବ ତାହା କହିବା କଷ୍ଟ। ପରସ୍ପର ବିରୁଦ୍ଧରେ ବୟାନବାଜି ଚାଲିଥିବା ବେଳେ ୨୦୧୯ରେ  କିଏ କାହା ସହିତ ମେଣ୍ଟ କରିବ ସେ ନେଇ ଏ ଯାଏଁ କୌଣସି ସ୍ପଷ୍ଟ ସଂକେତ ମିଳୁନାହିଁ।

ଉଣେଇଶି ନିର୍ବାଚନ ପରେ ମେଣ୍ଟର ଆବଶ୍ୟକତା ପଡ଼ିପାରେ ସେହି କାରଣରୁ ଏବେଠାରୁ କେହି କାହାକୁ ବିଗାଡ଼ିବାକୁ ଚାହୁଁନନାହାନ୍ତି। ଯଦି ଦଳର ଟପ୍‌ ନେତାମାନେ ପରସ୍ପର ବିରୋଧରେ ମନ୍ତବ୍ୟ ଦେଉଛନ୍ତି ମଝି ସ୍ତରର ନେତାମାନେ  ପାଟି ଚୁପ କରି ବସିନାହାନ୍ତି। ସେମାନଙ୍କଠାରୁ ବି ବିରୋଧୀଙ୍କ ଉପରେ ଆକ୍ରମଣ ଜୋରଦାର ଚାଲିଛି ଓ ନିର୍ବାଚନ ଯେତିକି ପାଖେଇବ ଏହା ସେତେ ଜୋରଦାର ହେବ।

Comment