ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ
  • ଗଗନୟାନ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ
  • ୭ ଦିନ ପାଇଁ ୩ ଭାରତୀୟ ଯିବେ ମହାକାଶ

ଇସ୍ରୋର ମିଶନ ‘ଗଗନୟାନ’କୁ ମିଳିଲା କ୍ୟାବିନେଟ ମଞ୍ଜୁରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ମିଶନକୁ ୧୦ ହଜାର କୋଟି ଟଙ୍କାର ମଞ୍ଜୁରି ମିଳିଛି।

ଏହି ମିଶନ ଅନୁଯାୟୀ ୩ ଭାରତୀୟ ୭ ଦିନ ଧରି ମହାକାଶ ପରିଭ୍ରମଣରେ ଯିବେ। ବିଶ୍ୱରେ ଭାରତ ହେଉଛି ଚତୁର୍ଥ ଦେଶ, ଯିଏ ମହାକାଶକୁ ମାନବ ଯାନ ପଠାଉଛି। ଏହା ପୂର୍ବରୁ ଋଷିଆ, ଚୀନ ଏବଂ ଆମେରିକା ମହାକାଶକୁ ଏଭଳି ଯାନ ପଠାଇ ସାରିଛନ୍ତି।

କ୍ୟାବିନେଟ ବୈଠକ ପରେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, “ମହାକାଶ ବିଜ୍ଞାନରେ ଭାରତ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ବିଶ୍ୱର ଅନ୍ୟ ପ୍ରମୁଖ ଦେଶ ସାଟେଲାଇଟ ଲଞ୍ଚ୍ କରିବା ବେଳେ ଇସ୍ରୋର ସହାୟତା ଲୋଡ଼ୁଛନ୍ତି।”

ପ୍ରଧାନମନ୍ତ୍ରୀ ମୋଦି କିଛି ମାସ ତଳେ ମିଶନ ‘ଗଗନୟାନ’ ସମ୍ପର୍କରେ ଘୋଷଣା କରିଥିଲେ। ୨୦୨୨ ସୁଦ୍ଧା ଏହି ମିଶନ ପୂରଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଇସ୍ରୋ ଅଧ୍ୟକ୍ଷ କେ ସିବନ କହିଛନ୍ତି, “ମିଶନ ଗଗନୟାନ ପାଇଁ କେନ୍ଦ୍ର ସରକାର ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ କରିଥିବାରୁ ଆମେ ବହୁତ ଖୁସି। ୨୦୨୨ ସୁଦ୍ଧା ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା ପୂରଣ କରିବା ପାଇଁ ଆମେ ନିଶ୍ଚିତ ଭାବେ ପ୍ରୟାସ ଜାରି ରଖିବୁ। ଏହି ମିଶନ ପାଇଁ ଆମେ ଗତ ୪ ମାସ ହେଲା କାମ ଆରମ୍ଭ କରିଛୁ। ଜାନୁଆରୀ ସୁଦ୍ଧା ଡିଜାଇନ କାମ ଶେଷ ହେବ।”

ଚୂଡ଼ାନ୍ତ ମିଶନ ପୂର୍ବରୁ ପରୀକ୍ଷାମୂଳକ ଭାବେ ଦୁଇଟି ମାନବ ବିହୀନ ଯାନ ଶୁଭାରମ୍ଭ କରାଯିବ। ୨୦୨୦ ଡିସେମ୍ବର ଏବଂ ୨୦୨୧ ଡିସେମ୍ବରରେ ଦୁଇଟି ଯାନକୁ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ।

Comment