ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୁରଭଞ୍ଜ ରାସଗୋବିନ୍ଦପୁର ବ୍ଲକର ଛାତନାସ୍ଥିତ ଏକ କୁକୁଡ଼ା ଚିଆଁ ଉତ୍ପାଦନ ଓ ଗବେଷଣା କେନ୍ଦ୍ରରେ ଶନିବାର ସକାଳ ପ୍ରାୟ ୯ଟାରେ ଅଗ୍ନିକାଣ୍ଡ ଘଟି ବହୁ ମୂଲ୍ୟବାନ ଯନ୍ତ୍ରପାତି ନଷ୍ଟ ହୋଇଯାଇଛି। କୁକୁଡ଼ା ଫାର୍ମର ଅଣ୍ଡାରୁ ଚିଆଁ ତିଆରି ହେଉଥିବା ୟୁନିଟରେ ନିଆଁ ଲାଗିଥିଲା।

ତେବେ ୟୁନିଟ ଭିତରେ ଥିବା ଅଣ୍ଡା ଓ ଅଣ୍ଡାରୁ କୁକୁଡ଼ା ଚିଆଁ ତିଆରି ହେଉଥିବା ୬ଟି ମେସିନ ନିଆଁରେ ପୋଡ଼ି ଯାଇଛି ଏବଂ କୋଟିଏ ଟଙ୍କାରୁ ଅଧିକ ଟଙ୍କାର ଅଣ୍ଡା ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି। ତେବେ ଦୁଇଟି ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବା ପାଇଁ ନିୟୋଜିତ ହୋଇଥିଲେ।

ରାସଗୋବିନ୍ଦପୁର ଓ ଚିତ୍ରଡ଼ା ଦମକଳ କେନ୍ଦ୍ରର କର୍ମଚାରୀ ନିଆଁ ଲିଭାଇବାରେ ନିୟୋଜିତ ହୋଇ ଥିବା ବେଳେ ନିଆଁ ଆୟତ୍ତରେ ରହିଛି ବୋଲି ଅଗ୍ନିଶମ ବିଭାଗର ଅଧିକାରୀ କହିଛନ୍ତି।

ତେବେ ଏ ସମ୍ପର୍କରେ କମ୍ପାନି କର୍ତ୍ତୃପକ୍ଷଙ୍କ ଯୋଗାଯୋଗ କରାଯାଇଥିଲେ ମଧ୍ୟ କ୍ଷୟକ୍ଷତି ସମ୍ପର୍କରେ କିଛି ବିଶେଷ ସୂଚନା ମିଳିପାରିନାହିଁ।

Comment