ଓଡ଼ିଶାଲାଇଭ୍‌ ବ୍ୟୁରୋ

ତୁର୍କୀର ହାସନ କେଫ୍ ସହରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୬୧୦ ବର୍ଷର ପୁରୁଣା ମସଜିଦକୁ ଦୁଇ କିଲୋମିଟର ଦୂରରେ ନେଇ ଅବସ୍ଥାପିତ କରାଯାଇଛି। ଏହି ମସଜିଦର ଓଜନ ୪୬୦୦ ଟନ୍। ସବୁଠୁ ବଡ଼ କଥା ହେଲା ମସଜିଦଟି ରୋବୋଟ୍ ଟ୍ରାନ୍ସପୋର୍ଟର ଦ୍ୱାରା ସ୍ଥାନାନ୍ତରିତ କରାଯାଇଛି।

ହସନ କେଫ୍ ସହରରେ ଦେଶର ଚତୁର୍ଥ ଇଲୁସ୍ ଡ୍ୟାମ୍ ନିର୍ମାଣ ହେଉଛି। ଏହି କାରଣରୁ ୬୧୦ ବର୍ଷର ପୁରୁଣା ମସଜିଦଟି ବୁଡ଼ି ଯିବାର ସମ୍ଭାବନା ଥିଲା। ଏହାକୁ ଦୃଷ୍ଟିରେ ରଖି  ସ୍ଥାନୀୟ ପ୍ରଶାସନ ମସଜିଦକୁ ନ୍ୟୁ କଲଚରାଲ ପାର୍କ ଫିଲ୍ଡକୁ ସ୍ଥାନାନ୍ତର କରିଥିଲା। ଏହି କାରଣରୁ ମସଜିଦକୁ ତିନିଟି ଭାଗରେ ବିଭକ୍ତ କରାଯାଇଥିଲା।

୩୧୦ ଚକ ବିଶିଷ୍ଟ ରୋବୋଟ୍ ଟ୍ରାନ୍ସପୋର୍ଟ ସାହାଯ୍ୟରେ ଏହାକୁ ଭିନ୍ନ ଭିନ୍ନ ଅଂଶରେ ସ୍ଥାନାନ୍ତରିତ କରାଯାଇଥିଲା। ମସଜିଦକୁ ତିନି ଭାଗରେ ବିଭକ୍ତ କରିବା ପାଇଁ ଶ୍ରମିକମାନେ ମସଜିଦର ପାଚେରି ଭାଙ୍ଗିଥିଲେ। ମସଜିଦର ଛୋଟ ଛୋଟ ଅଂଶକୁ କିଛି ଦିନ ପୂର୍ବରୁ ପାର୍କକୁ ସିଫ୍ଟ କରାଯାଇଥିବା କହିଛନ୍ତି ହସନକେଫ୍ ମେୟର।

୧୯୮୧ ମସିହାରୁ ହସନକେଫ୍ ସହର ଏକ ସଂରକ୍ଷିତ ସହର ଭାବେ ମାନ୍ୟତା ହାସଲ କରିଛି। ସହରରେ ପାଖାପାଖି ୬ ହଜାର ଗୁମ୍ଫା ଓ ଦୁର୍ଗ ରହିଛି। ବନ୍ୟାରୁ ରକ୍ଷା ପାଇଁ ଐତିହାସିକ କିର୍ତ୍ତିରାଜୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା କହିଛନ୍ତି ମେୟର ଅବଦୁଲୱାହବ କୁଶେନ। ବର୍ତ୍ତମାନ ୟୁବ୍ ମସଜିଦ ନ୍ୟୁ ହନ୍ସକେଫ୍ କଲଚରାଲ ପାର୍କରେ ସ୍ଥାପିତ କରାଯାଉଛି।

Comment