ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ

୨୦୧୮ରେ ଓଲିଉଡରେ କେତେକ ବିବାଦୀୟ ପରିସ୍ଥିତି ଉପୁଜିଥିଲା। ସେ ସବୁ ଉପରେ ନଜର ପକାଇବା

ଓଲିଉଡରେ ବେଳେ ବେଳେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥାଏ। କାରଣ ଭିନ୍ନ ଭିନ୍ନ ହୋଇଥାଏ, ହେଲେ  ବିବାଦ ତ ବିବାଦ। କେତେବେଳେ ତା’ର ସମାଧାନ ହୋଇଥାଏ, ଆଉ କେତେବେଳେ ତାହା ସେହି ବିବାଦୀୟ ହୋଇ ରହିଥାଏ।

ନିର୍ଦ୍ଦେଶକ ଦିଲୀପ ଓ ନାୟିକା ଏଲସା ମୁହାଁମୁହିଁ:-

ଓଲିଉଡର ସବୁଠାରୁ ବିବାଦୀୟ ଘଟଣା, ଯାହା ବେଶ୍ ହଟଚମଟ ସୃଷ୍ଟି କରିଥିଲା ତାହା ହେଲା ନିର୍ଦ୍ଦେଶକ ଦିଲୀପ ପଣ୍ଡା ଓ ବଙ୍ଗୀୟ ନାୟିକା ଏଲସାଙ୍କ ବିବାଦ। ଫିଲ୍ମ ‘ତୁ ମୋ’ ସୁନା ଚଢ଼େଇ’ର ଅଡିଓ ରିଲିଜ୍ ପାର୍ଟିରେ ହଠାତ୍ ନିର୍ଦ୍ଦେଶକ ଦିଲୀପ ପଣ୍ଡା ନାୟିକା ଏଲସାଙ୍କ ଉପରେ ରାଗି ଯାଇଥିଲେ। ତା’ପରେ ଏଲସା ମଧ୍ୟ ଉତକ୍ଷିପ୍ତ ହୋଇ ମଧ୍ୟ ସେହି ପାର୍ଟିରେ ନିର୍ଦ୍ଦେଶକଙ୍କ ନାଆଁରେ ଅଭିଯୋଗ କରିଥିଲେ ଯେ ନିର୍ଦ୍ଦେଶକ ତାଙ୍କର ଗୋଟିଏ ଗୀତ ଫିଲ୍ମରୁ କାଟି ଦେଇଛନ୍ତି। ସେହି ବିବାଦ ମିଡିଆରେ ମଧ୍ୟ ପ୍ରକାଶିତ ହୋଇଥିଲା। ଏଲସା ଏହି ବିବାଦକୁ ନେଇ ନ୍ୟାୟାଳୟକୁ ଯିବାର ଧମକ ମଧ୍ୟ ଦେଇଥିଲେ। କିନ୍ତୁ ପରେ ଦୁହେଁ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ୟାର ସମାଧାନ ହୋଇଥିବା କଥା କହିଥିଲେ।

ଚଳଚ୍ଚିତ୍ର ପୁରସ୍କାରକୁ ନେଇ ଓଏଫଡିସି ଓ ସଂସ୍କୃତି ବିଭାଗ ମଧ୍ୟରେ ବିବାଦ:-

ଓଡ଼ିଆ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଆୟୋଜନ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ କରିଆସୁଛି। ହେଲେ ଏବେ ସେହି କାର୍ଯ୍ୟକ୍ରମର ଦାୟିତ୍ବ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫଡିସି)କୁ ଦିଆଯାଉ ବୋଲି ଏହାର ଅଧ୍ୟକ୍ଷ ତଥା ଅଭିନେତା କୁନା ତ୍ରିପାଠୀ ମୁଖ୍ୟମନ୍ତ୍ରୀଙ୍କଠାରେ ଦାବି କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କଠାରୁ ସବୁଜ ସଙ୍କେତ ମିଳିବା ମାତ୍ରେ କାର୍ଯ୍ୟକ୍ରମର ଆୟୋଜନ ଲାଗି ପଦକ୍ଷେପ ନିଆଯିବ। ଏଯାଏଁ ପୁରସ୍କାର ଚୟନ କମିଟି ଗଠିତ ହୋଇପାରିନାହିଁ। ଏଣେ ସଂସ୍କୃତି ବିଭାଗ ମଧ୍ୟ ପୂର୍ବବତ୍ ଏହି କାମ କରିବାକୁ ଚାହୁଁଛି। ଏଭଳି ବିବାଦ ମଝିରେ ଚଳିତ ଭାର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ମନୋନୟନ ପ୍ରକ୍ରିୟା ବିଳମ୍ବିତ ହୋଇଛି।

ଓଲିଉଡ ଓ ମିଠୁ:-

 

ଓଡ଼ିଆ ସିନେମା ‘ଏଇ ମିଳନ ଯୁଗଯୁଗର’ଓ ‘ରାସ୍ତା’ରେ ନାୟିକା ଭାବେ ନଜର ଆସିଥିବା ଏଲି ପାଢ଼ୀ ବଲିଉଡରେ ଚାଲିଥିବା ‘ମିଠୁ’ର ପ୍ରଭାବରେ ଏକ ଅଭିଯୋଗ ଆଣିଥିଲେ। ସେ କହିଥିଲେ ଯେ ଜଣେ ପ୍ରଯୋଜକ ତାଙ୍କୁ ନାୟିକା ନେବା ପଛରେ ଅଲଗା ଉଦ୍ଦେଶ୍ୟ ରଖିଥିଲେ। ଏକଥା ଜାଣିବା ପରେ ସେ ତାଙ୍କୁ ଧରାଛୁଆଁ ଦେଇ ନଥିଲେ।

‘ପାଟନାଗଡ଼’କୁ ନେଇ ଶ୍ରୀଧର ମାର୍ଥା ଓ ସାହୁ ପରିବାର ମୁହାଁମୁହିଁ:-

ଜଣାଶୁଣା ପ୍ରଯୋଜକ ଶ୍ରୀଧର ମାର୍ଥାଙ୍କ ତୃତୀୟ ସିନେମା ହେଲା ‘ପାଟନାଗଡ଼’। ଏହା ପୂର୍ବରୁ ସେ ‘କଥା ଦେଲି ମଥା ଛୁଇଁ’ ଓ ‘ଯୋଗୀ’ ଟାଇଟଲ୍ରେ ଦୁଇଟି ଫିଲ୍ମ ତିଆରି କରିଥିଲେ। ‘ପାଟନାଗଡ଼’ର କଥାବସ୍ତୁକୁ ନେଇ ମୃତ ସୌମ୍ୟ ଶେଖର ସାହୁଙ୍କ ପରିବାର ପକ୍ଷରୁ ଆପତ୍ତି ଉଠାଯାଇଥିଲା। ସେହି ପରିବାର ପକ୍ଷରୁ କୁହାଯାଇଥିଲା ଯେ ସେମାନଙ୍କ ବିନା ଅନୁମତିରେ ଘଟଣାକୁ ଫିଲ୍ମ ରୂପ ଦିଆଯାଉଛି। ଏଠାରେ ସୂଚନାଯୋଗ୍ୟ ଯେ ଏହି ସିନେମାର କଥାବସ୍ତୁ ପାଟନାଗଡ଼ରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଉପରେ ଆଧାରିତ।

‘ବିଶ୍ୱନାଥ’ ଓ ଗ୍ୟାଙ୍ଗଷ୍ଟାର ଟିଟୋ ପ୍ରସଙ୍ଗ:-

ସମ୍ବିତ ଓ ସମ୍ଭାବନାଙ୍କୁ ନେଇ ଏକ ନୂଆ ଓଡ଼ିଆ ସିନେମା ‘ବିଶ୍ୱନାଥ’ ନିର୍ମିତ ହେଉଥିଲା। ଫିଲ୍ମର ଅଧାଅଧି ସୁଟିଂ ଶେଷ ହେବା ବେଳକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଟିଟୋ ଗିରଫ ହୋଇଥିଲା। ତା’ପରେ ଟିଟୋର କଳା କାରନାମାର ଛାନଭିନ୍ ହୋଇଥିବା ବେଳେ ଜଣାପଡ଼ିଥିଲା କି ଟିଟୋର ଅର୍ଥ ‘ବିଶ୍ୱନାଥ’ ଫିଲ୍ମରେ ଲାଗିଛି। ଏପରିକି ଟିଟୋର ସ୍ତ୍ରୀ ମଧ୍ୟ ଏକାଧିକବାର ‘ବିଶ୍ୱନାଥ’ର ସୁଟିଂ ସେଟ୍‌କୁ ଆସିଛନ୍ତି ଓ ତାଙ୍କର ଅଡି କାର ମଧ୍ୟ ସେଟରେ ଦେଖିବାକୁ ମିଳିଛି। ଏହି ଖବର ପ୍ରସାରିତ ହେବା ମାତ୍ରେ ଫିଲ୍ମର ସୁଟିଂ ବନ୍ଦ ହୋଇଯାଇଥିଲା।

Comment