ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ତର୍କ ବିତର୍କ ମଧ୍ୟରେ ଲୋକସଭାରେ ତିନି ତଲାକ ବିଲ୍ ପାସ୍ ହୋଇସାରିଛି। ତେବେ କେନ୍ଦ୍ର ସରକାରଙ୍କ ପାଇଁ ଏହାକୁ ରାଜ୍ୟସଭାରେ ପାସ୍ କରାଇବା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପାରେ। ସୋମବାର ରାଜ୍ୟସଭାରେ ଉପସ୍ଥାପିତ ହେବ ଏହି ତିନି ତଲାକ୍ ବିଲ୍।

କଂଗ୍ରେସ ରାଜ୍ୟସଭାରେ ଅନ୍ୟ ବିରୋଧୀ ଦଳର ସମର୍ଥରେ ବିଲର ବର୍ତ୍ତମାନର ରୂପରେଖକୁ ନେଇ ବିରୋଧ କରିବାରୁ ପ୍ରସ୍ତୁତ ହେଉଛି। ଲୋକସଭାରେ ବିଲ୍ ପାସ୍ ହୋଇଥିଲେ ବି ୧୦ଟି ପ୍ରମୁଖ ରାଜନୈତିକ ଦଳ ଏହାକୁ ବିରୋଧ କରିଥିଲେ। ଏହି ଦୃଷ୍ଟିକୋଣରୁ ରାଜ୍ୟସଭାରେ ବି ବିରୋଧୀ ବିଲ୍‌କୁ ବିରୋଧ କରିବେ ବୋଲି କହିଛନ୍ତି କଂଗ୍ରେସ ସାଂସଦ କେ.ସି. ବେଣୁଗୋପାଳ। ଏହି ବିଲ୍‌କୁ ‘ମୁସଲିମ୍ ଓମେନ୍ ପ୍ରୋଟେକ୍ସନ୍ ଅଫ୍ ରାଇଟ୍ସ ଅନ୍ ମ୍ୟାରେଜ୍ ବିଲ୍’ ବୋଲି କୁହାଯାଉଛି। ଲୋକସଭା ପରେ ରାଜ୍ୟସଭାରେ ବିଲ୍ ପାସ୍ କରାଇବା ମୋଦି ସରକାରଙ୍କ ପାଇଁ ଅଗ୍ନିପରୀକ୍ଷା କୁହାଯାଉଛି।

ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ବିଶ୍ୱର ୨୦ଟି ମୁସଲିମ୍‌ ରାଷ୍ଟ୍ର ମୁହଁରେ ତିନି ତଲାକ ଉଚ୍ଚାରଣ ସହ ତତ୍କାଳ ଛାଡ଼ପତ୍ର ଦେବା ପ୍ରଥାକୁ ଅସିଦ୍ଧ ଓ ବେଆଇନ୍ ବୋଲି ଘୋଷଣା କରି ସାରିଛନ୍ତି। ତେଣୁ, ଭାରତ ପରି ଏକ ଧର୍ମ ନିରପେକ୍ଷ ରାଷ୍ଟ୍ରରେ ତିନି ତଲାକ୍‌କୁ ଅବୈଧ ଘୋଷଣା କରିବା ପାଇଁ ସବୁ ଦଳ ଆଗେଇ ଆସିବାକୁ ଏହି ବିଲ୍ ସଂସଦରେ ଉପସ୍ଥାପିତ କରିବା ଅବସରରେ ସମସ୍ତ ରାଜନୈତିକ ଦଳଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ ରବି ଶଙ୍କର ପ୍ରସାଦ।

ସେ ଆହୁରି ମଧ୍ୟ କହିଥିଲେ ଯେ, ଆଗତ ହୋଇଥିବା ଏହି ବିଲଟି କୌଣସି ଜାତି କିମ୍ବା ସଂପ୍ରଦାୟ କିମ୍ବା ଧର୍ମ ଓ ବିଶ୍ୱାସ ବିରୋଧରେ ଉଦ୍ଦିଷ୍ଟ ନୁହେଁ। ଏହା କେବଳ ମାତ୍ର ମହିଳାମାନଙ୍କର ଅଧିକାର ଓ ସେମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ଉଦ୍ଦିଷ୍ଟ। ମୁହଁରେ ତିନି ତଲାକ ଉଚ୍ଚାରଣ କରି କାହାକୁ ଛାଡ଼ପତ୍ର ଦେବା ଆଇନ ସମତ୍ତ ନୁହେଁ। ଏପରି କାର୍ଯ୍ୟ ଏକ ଦଣ୍ଡନୀୟ ଅପରାଧ ଏବଂ କେହି ଯଦି ଏପରି ପନ୍ଥା ଅବଲମ୍ବନ କରି ଛାଡ଼ପତ୍ର ପ୍ରଦାନ କରେ, ତେବେ ସେଥିପାଇଁ ତିନି ବର୍ଷ ପାଇଁ ଜେଲ ଦଣ୍ଡ ଭୋଗ କରିବାକୁ ପଡ଼ିବ।

Comment