ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି। ଦିନ ଭଳି ‘ଆହାର’ କେନ୍ଦ୍ରରେ ମଙ୍ଗଳବାରଠୁ ରାତିରେ ୫ ଟଙ୍କାରେ ମିଳିବ ଭାତ, ଡାଲ୍‌ମା। ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଖୋଲୁଥିବା ନୂଆ ଆହାର କେନ୍ଦ୍ରର ଲୋକାର୍ପଣ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ସମେତ ରାଜ୍ୟର ପ୍ରମୁଖ ୫୬ଟି ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ରାତିରେ ଏହି ସୁବିଧା ମିଳିପାରିବ। ରାତି ୭ଟାରୁ ୯ଟା ଭିତରେ ଏହି ସୁବିଧା ମିଳିବ। ୧୫ ହଜାର ଲୋକଙ୍କ ପାଇଁ ରାତ୍ରିଭୋଜନର ସୁବିଧା ହେବ।

ପ୍ରମୁଖ ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରରେ ରାତ୍ରିଭୋଜନର ବ୍ୟବସ୍ଥା ହେଲେ ରୋଗୀ ଏବଂ ରୋଗୀ ସମ୍ପର୍କୀୟମାନେ ଉପକୃତ ହେବେ।

୨୦୧୫ ଏପ୍ରିଲ ୧ରୁ ଆହାର ଯୋଜନାର ଶୁଭାରମ୍ଭ କରିଥିଲେ ରାଜ୍ୟ ସରକାର। ବର୍ତ୍ତମାନ ୭୬ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ରହିଛି। ଜାନୁଆରୀ ୨୬ ସୁଦ୍ଧା ରାଜ୍ୟ ସରକାର ଆଉ ୩୨ଟି ପୌରାଞ୍ଚଳରେ ଆହାର କେନ୍ଦ୍ର ଖୋଲିବାକୁ ଯୋଜନା କରିଛନ୍ତି।

Comment