ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୟ କହିଲେ, “ଗଜପତି ମହାରାଜ ଶସ୍ତାରେ ଖସିଯିବା ଉଚିତ ନୁହେଁ।”

ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ଗଜପତି ମହାରାଜଙ୍କୁ ଟାର୍ଗେଟ କରିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର। ଗଜପତି ମହାରାଜ ଶସ୍ତାରେ ଖସିଯିବା ଉଚିତ ନୁହେଁ ବୋଲି ବିଜୟ କହିବା ପରେ ଗଜପତିଙ୍କ ଅଫିସ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି।

ଗଜପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, “୧୯୬୦ରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଲାଗୁ ହେଲା। ଗଜପତିଙ୍କଠାରୁ ରାଜ୍ୟ ସରକାର ପରିଚାଳନା ଦାୟିତ୍ୱ ସମ୍ପୂର୍ଣ୍ଣ ହାତକୁ ନେଇଗଲେ। ସେବେଠାରୁ ଶ୍ରୀମନ୍ଦିରର ପ୍ରଶାସନିକ ଦାୟିତ୍ୱ ଗଜପତି ବହନ କରୁନାହାନ୍ତି। ଶ୍ରୀମନ୍ଦିରର ସମସ୍ତ ଦାୟିତ୍ୱ ରାଜ୍ୟ ସରକାର ବହନ କରିଆସୁଛନ୍ତି। ମୁଖ୍ୟ ପ୍ରଶାସକଙ୍କ ଉପରେ ପ୍ରଶାସନିକ ଦାୟିତ୍ୱ ସମ୍ପୂର୍ଣ୍ଣ ଭାବେ ନ୍ୟସ୍ତ କରାଯାଇଛି।”

ଗଜପତିଙ୍କ ଅଫିସ ତରଫରୁ ଆହୁରି କୁହାଯାଇଛି ଯେ ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତିଙ୍କ ଦାୟିତ୍ୱ ବୈଠକରେ ଅଧ୍ୟକ୍ଷତା କରିବା। ମହାପ୍ରଭୁଙ୍କ ଆଦ୍ୟ ସେବକ ଭାବେ ପରମ୍ପରା ଅନୁସାରେ ସେ ସେବା କରନ୍ତି। ଆଦ୍ୟ ସେବକ ସେବାରେ ଶ୍ରୀମନ୍ଦିର ପରିଚାଳନା ଦାୟିତ୍ୱର କୌଣସି ଅଂଶ ନାହିଁ।

ଗତ ତିନି ଦିନ ତଳେ ପୋଲିସ-ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେବାରୁ ମହାପ୍ରଭୁଙ୍କ ନୀତିରେ ବିଭ୍ରାଟ ଦେଖାଦେଇଥିଲା। ମହାପ୍ରଭୁ ଦିନ ସାରା ଉପାସରେ ରହିଥିଲେ। ମହାପ୍ରଭୁଙ୍କ ଦର୍ଶନ ନପାଇ ଭକ୍ତମାନେ ନିରାଶ ହୋଇଥିଲେ। ଏ ସମ୍ପର୍କରେ ଗଜପତି ମହାରାଜ ନିଜର ପ୍ରତିକ୍ରିୟା ରଖି ବିବାଦ ସମାଧାନ ପାଇଁ ସରକାରୀ ଶୀର୍ଷ ସ୍ତରର ହସ୍ତକ୍ଷେପ ଲୋଡ଼ିଥିଲେ।

ଏନେଇ ବିଜୟ ମହାପାତ୍ର ଆଜି ଗଜପତିଙ୍କୁ ସମାଲୋଚନା କରିଥିଲେ। ବିଜୟ କହିଥିଲେ, “ଗଜପତି ମହାରାଜ ଭୁଲିଯିବା ଉଚିତ ନୁହେଁ ଯେ ସେ ପରିଚାଳନା କମିଟିର ସଭାପତି। ଜଗନ୍ନାଥଙ୍କ ଆଦ୍ୟ ସେବକ ହୋଇଥିବାରୁ ତାଙ୍କୁ ସମସ୍ତେ ଭକ୍ତିର ସହ ସମ୍ମାନ କରନ୍ତି। ଶ୍ରୀମନ୍ଦିରର ବ୍ୟବସ୍ଥା କିପରି ଶୃଙ୍ଖଳିତ ହେବ ତାହା ସେ ଦେଖିବାର କଥା। ଗଜପତି ମହାରାଜ ଶସ୍ତା ବିବୃତି ଦେଇ ଖସିଯିବା ଉଚିତ ନୁହେଁ।”

ଗଜପତିଙ୍କ ସପକ୍ଷରେ ବାହାରିଛନ୍ତି ମୁକ୍ତିମଣ୍ତପ ପଣ୍ଡିତ ସଭା।

ପଣ୍ଡିତ ସଭା ଉପସଭାପତି ଅଶୋକ ମହାପାତ୍ର କହିଛନ୍ତି, “ବିଜୟ ମହାପାତ୍ର ଓଡ଼ିଶାର ଇତିହାସ ପଢ଼ିନାହାନ୍ତି। ଜଗନ୍ନାଥଙ୍କ ସମ୍ମାନ ରକ୍ଷା କରିବା ପାଇଁ ଗଜପତି ମହାରାଜଙ୍କ ପରିବାର ସଦସ୍ୟ କେତେ ଅବଦାନ ଦେଇଛନ୍ତି ତାହା ସେ ଜାଣିଥିଲେ ଏଭଳି ବୟାନ ଦେଇ ନଥାନ୍ତେ।”

Comment