ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷୀୟାନ ଅଭିନେତା ତଥା ଲେଖକ କାଦର ଖାନ୍‌ଙ୍କର ପରଲୋକରେ ବଲିଉଡ ଜଗତରେ ଅପୂରଣୀୟ କ୍ଷତି ହୋଇଛି। କାଦରଙ୍କ ମୃତ୍ୟୁ ଖବର ସମଗ୍ର ସିନେ ଜଗତରେ ଦୁଃଖ ଭରିଦେଇଛି। ମଙ୍ଗଳବାର ସକାଳେ  ୮୧ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି। ସେ କାନାଡାରେ ଏକ ମେଡିକାଲରେ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

କିଛିଦିନ ତଳେ କାଦର ଖାନ୍‌ଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ହସ୍ପିଟାଲାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଡାକ୍ତରୀ ଟିମ୍ ଲଗାତର ତାଙ୍କ ଚିକିତ୍ସା କରୁଥିଲେ।

୧୯୩୭ ମସିହା ଅକ୍ଟୋବର ୨୨କାରିଖରେ କାବୁଲରେ କାଦର ଜନ୍ମ ଗ୍ରହଣ କରିଥିଲେ। ସେ ଜଣେ ହାସ୍ୟ ଅଭିନେତା, ଲେଖକ, ନିର୍ଦ୍ଦେଶକ ଆଦି ବହୁ ଗୁଣର ଅଧିକାରୀ ଥିଲେ।

ବଲିଉଡରେ କାଦର ଖାନ୍‌ ୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ସେ ଅଧିକାଂଶ ଫିଲ୍ମରେ ଡାଏଲଗ୍‌ ଲେଖି ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ତାଙ୍କର ସୁନ୍ଦର ଡାଏଲଗ୍ ଲାଗି ସେ ଗତ ୪ ଦଶକ ହେବ ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ। ସେ ଅନେକ ଉର୍ଦ୍ଦୁ ଫିଲ୍ମରେ ବି ଡାଏଲଗ ଲେଖିଛନ୍ତି।

ଶରାବୀ, କୁଲି, ଲାବାରିସ୍‌, ମୁକ୍କଦର କା ସିକନ୍ଦର, ଅମର ଆକବର ଆଦି ଫିଲ୍ମରେ ଡାଏଲଗ୍‌ ଲେଖିଥିଲେ।

କାଦର ଖାନ୍‌ ୮୦ ଓ ୯୦ଦଶକରେ ପ୍ରାୟ ସମସ୍ତ ଫିଲ୍ମରେ ସବୁପ୍ରକାର ଚରିତ୍ରରେ ସେ ଅଭିନୟ କରିଛନ୍ତି।

କାଦର ୧୯୭୩ ମସିହାରେ ‘ଦାଗ’ ଫିଲ୍ମରୁ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ଜଣେ ଓକିଲଙ୍କ ଚରିତ୍ରରେ ନଜର ଆସିଥିଲେ। ଏହା ପରେ ୧୯୭୪ରେ ସାଗିନା, ଦିଲ୍‌

ଦିୱାନା, ୧୯୭୫ରେ ଅନାଡି ଏହିପରି ଅନେକ ଫିଲ୍ମରେ ଅଭିନୟ କରିଥିଲେ।

କାଦର ନିଜର ଦକ୍ଷ ଅଭିନୟ, ସୁନ୍ଦର ଡାଏଲଗ୍‌ ପାଇଁ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ୨୦୧୩ରେ କାଦର ସାହିତ୍ୟ ଶିରୋମଣି ପୁରସ୍କାରରେ ପରସ୍କୃତ ହୋଇଥିଲେ। ୧୯୮୨ ମସିହାରେ ଫିଲ୍ମ ଫେୟାର ଆୱାର୍ଡ ପାଇଥିଲେ।

୧୯୯୧ ମସିହାରେ ବେଷ୍ଟ କମେଡିଆନ ପାଇଁ ତାଙ୍କୁ ଫିଲ୍ମ ଫେୟାର ଆୱାର୍ଡ ମିଳିଥିଲା।

ସେ କେବଳ ଜଣେ ଭଲ ଅଭିନେତା ବା ଲେଖକ ଥିଲେ ତାହା ନୁହେଁ। ସେ ତାଙ୍କ ଛାତ୍ର ଜୀବନରେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ। କାଦରଙ୍କର ପ୍ରାରମ୍ଭିକ ଶିକ୍ଷା ମୁମ୍ବାଇ ମ୍ୟୁନିସିପାଲରେ ଆରମ୍ଭ କରିଥିଲେ। କାଦରଙ୍କର ଗ୍ରାଜୁଏସନ ଇସ୍ମାଇଲ ୟୁସୁଫ୍ କଲେଜରେ ସମାପ୍ତ ହୋଇଥିଲା।

ସେ ମେଧାବୀ ଛାତ୍ର ହେବା ସହିତ ଜଣେ ଭଲ ଶିକ୍ଷକ ହୋଇପାରିଥିଲେ। ୧୯୭୦ରୁ ୧୯୭୫ ପର୍ଯ୍ୟନ୍ତ ସେ  ମୁମ୍ବାଇ ୟୁନିଭର୍ସିଟିରେ ଶିକ୍ଷକତା କରିଥିଲେ।

କାଦର ଦୀର୍ଘ ଦିନରୁ ସିନେମାଜଗତରୁ ଦୂରେଇ ରହିଥିଲେ। ପରିବାର ସହିତ କାନାଡାରେ ରହୁଥିଲେ।

କାଦର ଖାନ ଶେଷଥର ପାଇଁ ୨୦୧୫ରେ ରିଲିଜ ହୋଇଥିବା ଫିଲ୍ମ ‘ଦିମାଗ କି ଦହି’ ଫିଲ୍ମରେ ନଜର ଆସିଥିଲେ। ସୋମବାର କାଦରଙ୍କ ମୃତ୍ୟୁ ହୋଇ ଯାଇଥିବାନେଇ ଚର୍ଚ୍ଚା ହୋଇଥିଲା। ଏହା ଗୁଜବ ବୋଲି ତାଙ୍କ ପୁଅ ସରଫରାଜ କହିଥିଲେ।

Comment