ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ  ତାଙ୍କର ପୁରୀରୁ ପ୍ରାର୍ଥୀ ହେବା ଖବରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମର କଳ୍ପନା ବୋଲି କହିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ମୋଦିଙ୍କ ସ୍ପଷ୍ଟୀକରଣ ପରେ ତାହା  ଅପାତତଃ ଥଣ୍ଡା ପଡ଼ିଛି ବୋଲି ଧରିନେବାକୁ ହେବ। ଏଏନ୍‌ଆଇ ଖବର ସଂସ୍ଥାକୁ ନୂଆ ବର୍ଷରେ ମୋଦି ଯେଉଁ ସାକ୍ଷାତକାର ଦେଇ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ ସେଥିରେ ପୁରୀରୁ ଠିଆ ହେବା କଥା ମଧ୍ୟ ରହିଥିଲା। ଏହାକୁ ମିଡିଆର ମନ ଗଢ଼ା ବୋଲି କହିବା ସହ ସେ ସ୍ପଷ୍ଟ କରିଛନ୍ତି ଯେ କିଏ କେଉଁଠାରୁ ଠିଆ ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନାହିଁ।

ପ୍ରଶ୍ନକର୍ତ୍ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୋଦି କହିଲେ ‘ମିଡିଆ ୱାଲୋକୋ କୁଛ ତୋ କାମ ମିଲ୍‌ନା ଚାହିୟେ ନା’। ମୋଦି ପୁରୀରୁ ପ୍ରାର୍ଥୀ ହେବେ ବୋଲି ଏକ ଖବର ଗତ କିଛିଦିନ ଧରି ଜୋର ଧରିଛି। ବିଶେଷ କରି ଅକ୍ଟୋବର ମାସରେ ଏହି କଥା ଉଠିଥିଲା। ସେତେବେଳେ ବିଜେପି ଓଡ଼ିଶା ଅଧ୍ୟକ୍ଷ ବସନ୍ତ ପଣ୍ଡା କହିଥିଲେ ଯେ ମୋଦି ପୁରୀରୁ ପ୍ରାର୍ଥୀ ହେବା ଓଡ଼ିଶା ଶାଖା ଚାହୁଁଛି। କେବଳ ପଣ୍ଡା ନୁହଁନ୍ତି ବିଜେପିର ବହୁ ତୁଙ୍ଗ ନେତା ମଧ୍ୟ ଏକଥା କହି ଆସୁଥିଲେ।

ଉଲ୍ଲେଖଯୋଗ୍ୟ ଯେ ୨୦୧୪ ଲୋକସଭା ନିର୍ବାଚନରେ ପୁରୀ ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ପିନାକୀ ମିଶ୍ର ୫୦.୩୩ ପ୍ରତିଶତ ଭୋଟ ପାଇଥିବା ବେଳେ ବିଜେପିର ଅଶୋକ ସାହୁ ମାତ୍ର ୨୦.୭୬ % ଭୋଟ ହାସଲ କରିଥିଲେ।

ରାଜନୀତି ମହଲରେ ଚର୍ଚ୍ଚା ହେଉଛି ଯେ ଉପକୂଳ ଓଡ଼ିଶାର ଗୋଟିଏ ନିର୍ବାଚନ ମଣ୍ଡଳୀରେ ମୋଦିଙ୍କ ପ୍ରାର୍ଥୀ ହେବା କଥା ଓଡ଼ିଶା  ବିଜେପି ପକ୍ଷରୁ ପ୍ରଥମେ ଆରମ୍ଭ ହୋଇଥିଲା। ପୁରୀର ଧାର୍ମିକ ମହତ୍ତ୍ୱ ସହ ମୋଦିଙ୍କ ପ୍ରାର୍ଥୀ ହେବା ସମ୍ଭାବନାକୁ ଯୋଡ଼ି ଏହି କଥାଟି ଦଳ ପକ୍ଷରୁ ପ୍ରଚାର କରାଯାଇଥିଲା। ଯେହେତୁ ଗତ ଥର ମୋଦି ବାରଣାସୀରୁ ପ୍ରାର୍ଥୀ ହୋଇଥିଲେ ଏଥର ପୁରୀରୁ ପ୍ରାର୍ଥୀ ହେବାକୁ ଇଚ୍ଛା କରିପାରନ୍ତି ବୋଲି ଓଡ଼ିଶା ବିଜେପି ନେତାମାନେ ଏକ ଅନୁମାନ ଆରମ୍ଭ କରିଦେଇଥିଲେ ଯାହାକୁ ମୋଦି ନିଜେ ଖଣ୍ଡନ କରିଛନ୍ତି।

Comment