ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଜାନୁଆରୀ ୫ରେ ପୁରୀରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ପ୍ରକାଶ ପାଇନି ଚୂଡ଼ାନ୍ତ ଭୋଟର ତାଲିକା। ଘୋଷଣା ହୋଇନି ନିର୍ବାଚନ ତାରିଖ। କିନ୍ତୁ ଭୋଟ ହାତେଇବା ପାଇଁ ଓଡ଼ିଶାର ତିନି ପ୍ରମୁଖ ରାଜନୀତିକ ଦଳ ସଜବାଜ ହେଲେଣି। ସବୁ ବର୍ଗର ଭୋଟରଙ୍କ ମନ ଜିଣିବା ପାଇଁ ବିଜେଡି, କଂଗ୍ରେସ ଏବଂ ବିଜେପି ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ବିଜେଡି କିନ୍ତୁ ଦୁଇ ପାଦ ଆଗରେ ରହିଛି।

ସବୁ ବର୍ଗର ଭୋଟରଙ୍କ ଭୋଟ ପାଇବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିବା ପରେ ଏବେ ମହିଳା ଭୋଟରଙ୍କ ଉପରେ ଆଖି ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ନବୀନ ୨୦୧୯ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ମହିଳା ଭୋଟରଙ୍କ ଉପରେ ଫୋକସ୍ କରୁଛନ୍ତି। ନିର୍ବାଚନ ପୂର୍ବରୁ ପୁରୀରେ ମହିଳା ସମାବେଶ କରି ନବୀନ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି।

ଜାନୁଆରୀ ୫ରେ ପୁରୀ ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ପୁରୀରେ ଅନୁଷ୍ଠିତ ହେବାକୁ ଥିବା ମହିଳା ସମାବେଶରେ ଦେବେ ଉଦବୋଧନ। ପାଖାପାଖି ୬୦ ହଜାର ମହିଳା ଏହି ସମାବେଶରେ ଯୋଗ ଦେବେ।

ଏହା ସହିତ ଏହି ସମାବେଶରେ ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ମାର୍ଟ ଫୋନ ଦେବେ ନବୀନ ପଟ୍ଟନାୟକ। ଏଥିରୁ ଗୋଟେ କଥା ସ୍ପଷ୍ଟ ହେଉଛ କି ଆଗାମୀ ନିର୍ବାଚନରେ ମହିଳାଙ୍କ ଭୋଟ ଉପରେ ବିଜେଡି ପୂରା ନଜର ପକାଇଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡି ଯେଉଁ ଫର୍ମୁଲା ପକାଇଥିଲା ସେହି ଫର୍ମୁଲା ୨୦୧୯ ପାଇଁ ପକାଇବାକୁ ଯାଉଛି।

ମହିଳା ଭୋଟ ପାଇବା ପାଇଁ  ବିଜେଡି ଗତ ଡିସେମ୍ବର ମାସରେ ଆଉ ଏକ ପାଦ ଆଗକୁ ବଢ଼ିଥିଲା। ସଂସଦରେ ମହିଳା ସଂରକ୍ଷଣ ବିଲ୍ ପାସ୍ କରିବା ପାଇଁ ଅଣ୍ଟା ଭିଡ଼ିଥିଲା। ସଂସଦ ଏବଂ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରିବାକୁ ବିଜେଡି ଆଗକୁ ବାହାରିଛି।

ମହିଳା ସଂରକ୍ଷଣ ବିଲ୍‌

ଖାଲି ସେତିକି ନୁହେଁ, ସଂରକ୍ଷଣ ବିଲ୍ ପାସ୍ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ପରେ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଥିଲା।  ୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍ କିପରି ସଂସଦରେ ପାସ୍ ହେବ ସେଥିପାଇଁ ବିଜେଡି ଗୁରୁତ୍ୱ ଦେଉଛି। ଏଥିପାଇଁ ବିଭିନ୍ନ ଜାତୀୟ ଏବଂ ଆଞ୍ଚଳିକ ଦଳ ସହ ଆଲୋଚନା କରିବା ପାଇଁ ବିଜେଡି କମିଟି ଗଠନ କରିଛି। ଏହି କମିଟିରେ ବିଧାୟକ, ସାଂସଦ ଏବଂ ମନ୍ତ୍ରୀମାନଙ୍କୁ ସାମିଲ କରି ନବୀନ ଜାତୀୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଥିଲେ।

ମହିଳାଙ୍କୁ ସ୍ୱାସ୍ଥ୍ୟବୀମା, ସ୍ମାର୍ଟଫୋନ

ମହିଳା ଭୋଟ ପାଇଁ ଆଉ ଏକ ମାଷ୍ଟର ଷ୍ଟ୍ରୋକ ମାରିଥିଲେ ନବୀନ ପଟ୍ଟନାୟକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କ ପାଇଁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ଘୋଷଣା କରି ନବୀନ ବିରୋଧୀଙ୍କୁ କରିଥିଲେ ତାଜୁବ। ଏହା ସିଧାସଳଖ ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା ଚର୍ଚ୍ଚା ହେଉଛି। ଏହାସହ ନିକଟରେ ଶେଷ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ସ୍ୱତନ୍ତ୍ର ମହିଳା ଅଧିବେଶନ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସ୍ମାର୍ଟ ଫୋନ ଘୋଷଣା କରି ରାଜ୍ୟ ରାଜନୀତିକୁ କରିଥିଲେ ସରଗରମ୍।

ଏହାସହ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା, ସଚେତନ କରିବା, ରାଜନୈତିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବା ଲାଗି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି କି ଆଗାମୀ ନିର୍ବାଚନରେ ମହିଳା ଭୋଟ ହାତେଇବା ଲକ୍ଷ୍ୟରେ ଅଛନ୍ତି ନବୀନ ସରକାର।

ପ୍ରତି ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ

ମହିଳାଙ୍କ ପାଇଁ ନବୀନ ସରକାର ୧୮ ବର୍ଷ ଭିତରେ ଅନେକ ବିକାଶମୂଳକ ଯୋଜନା କରିଛନ୍ତି। ଏହାକୁ ତୃଣମୂଳ ସ୍ତରର ମହିଳାଙ୍କ ପାଖରେ ପହଞ୍ଚାଇବା ପାଇଁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ଯାଏଁ ବିଜେଡି ୧୪୭ଟି ନିର୍ବାଚନମଣ୍ଡଳୀରେ ମହିଳା ସମାବେଶ କରିଥିଲା। ମହିଳାମାନଙ୍କୁ ଏକାଠି କରି ପ୍ରତି ନିର୍ବାଚନମଣ୍ଡଳୀରେ ବିଜେଡି ଶକ୍ତି ପ୍ରଦର୍ଶନ କରିବାକୁ ପଛାଇ ନଥିଲା।

୧୯୯୦ରେ ପଞ୍ଚାୟତ ଓ ପୌରପାଳିକାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ କରି ବିଜୁ ପଟ୍ଟନାୟକ ଚର୍ଚ୍ଚାରେ ରହିଥିଲେ। ୨୦୧୧ରେ ଏହାକୁ ନବୀନ ପଟ୍ଟନାୟକ ୫୦ ପ୍ରତିଶତକୁ ବୃଦ୍ଧି କରି ରାଜନୀତି କ୍ଷେତ୍ରରେ ମହିଳାଙ୍କୁ ଉଚିତ୍ ସମ୍ମାନ ଦେଇଥିଲେ।

୨୦୧୪ରେ ବି ମହିଳା ଭୋଟ

୨୦୧୪ରେ ନବୀନ ପଟ୍ଟନାୟକ ଚତୁର୍ଥ ଥର ପାଇଁ କ୍ଷମତାକୁ ଆସିଥିଲେ। ୧୪୭ ଆସନରୁ ବିଜେଡି ଏକାକୀ ୧୧୭ଟିରେ ବିଜୟୀ ହୋଇଥିଲା। ଏହି ନିର୍ବାଚନରେ ପୁରୁଷଙ୍କ ତୁଳନାରେ ଅଧିକ ମହିଳା ଭୋଟର ବିଜେଡି ସପକ୍ଷରେ ଭୋଟ ଦେଇଥିବାରୁ ବିଜେଡି ଓଡ଼ିଶାରେ ପୁଣି ବିଜୟବାନା ଉଡ଼ାଇବାରେ ସମର୍ଥ ହୋଇଥିଲା।

୨୦୧୪ରେ ୧ କୋଟି ୩୯ ଲକ୍ଷ ୮୭ ହଜାର ୧୮୩ ମହିଳା ଭୋଟରଙ୍କ ନାଁ ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ ୧ କୋଟି ୪ ଲକ୍ଷ ୩୭ ହଜାର ୫୩୭ ମହିଳା ଭୋଟ ଦେଇଥିଲେ। ଅଧିକାଂଶ ମହିଳା ବିଜେଡି ସପକ୍ଷରେ ଭୋଟ ଦେଇଥିବା କୁହାଯାଉଛି। ମହିଳାଙ୍କ ଭୋଟ ପାଇଁ ୨୦୧୪ରେ ବିଜେଡି ନିର୍ବାଚନ ବୈତରଣୀ ପାର୍ ହୋଇଥିବା କୁହାଯାଉଥିବାରୁ ନବୀନ ୨୦୧୯ରେ ମଧ୍ୟ ମହିଳା ଭୋଟରଙ୍କ ଉପରେ ଫୋକସ୍ କରୁଥିବା ଆଲୋଚନା ହେଉଛି।

୨୦୧୯ ନିର୍ବାଚନରେ ବିଜେପି ବିଜେଡି ପାଇଁ ବଡ଼ ଚାଲେଞ୍ଜ ହୋଇ ଛିଡ଼ା ହୋଇଛି। ବିଜେଡିକୁ ଗାଦିଚ୍ୟୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି। କେନ୍ଦ୍ର କରିଥିବା ଯୋଜନାରେ ଓଡ଼ିଶାବାସୀ କେତେ ଉପକୃତ ହେଛନ୍ତି ସେ ପ୍ରସଙ୍ଗ ବି ଉଠାଉଛନ୍ତି। ବିଜେପି ବି ପୁରୀରେ ମହିଳା ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି। ଏଣୁ ଏହାକୁ କାଉଣ୍ଟର କରିବା ପାଇଁ ନବୀନ ପୁଣି ପୁରୀରେ ୬୦ ହଜାର ମହିଳାଙ୍କୁ ଏକାଠି କରୁଛନ୍ତି।

୧୮ବର୍ଷ ଧରି ଶାସନ ଗାଦିରେ ବସିଥିବା ନବୀନ ପଟ୍ଟନାୟକ ମହିଳାମାନଙ୍କୁ ନେଇ ରାଜନୈତିକ ଅଙ୍କକଷିବା ଆରମ୍ଭ କରିଛନ୍ତି।

(ରିପୋର୍ଟ : ମାନସୀ ମହାପାତ୍ର)

Comment