ଓଡ଼ିଶାଲାଇଭ୍‌ ବ୍ୟୁରୋ

 ହାଇଦ୍ରାବାଦ୍‌ ସହର ପାଖରେ ଏମିତି ଏକ ମନ୍ଦିର ଅଛି ଯେଉଁଠି ଭିସା ପାଇବା ପାଇଁ ଯାଆନ୍ତି ହଜାର ହଜାର ଭକ୍ତ।

ଆଜିକାଲି ଦେଶର ଯୁବପିଢ଼ି ବିଦେଶରେ ଚାକିରି କରିବାକୁ ବହୁତ ମନ ବଳାଉଛନ୍ତି। କିନ୍ତୁ ଭିସା ନମିଳିବାରୁ ଚିନ୍ତାରେ ରହୁଛନ୍ତି। ତାଙ୍କର ବିଦେଶରେ ଚାକିର କରିବାର ସ୍ୱପ୍ନ ମଧ୍ୟ ଭାଙ୍ଗିଯାଉଛି। କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠି ଦର୍ଶନ କରିବାମାତ୍ରେ ଆପଣଙ୍କ ଭିସାର ମନୋକାମନା ପୂର୍ଣ୍ଣ ହୋଇଯିବ।

ଏହି ମନ୍ଦିର ହାଇଦ୍ରାବାଦ୍‌ଠାରୁ ୪୦ କିଲୋମିଟର ଦୂରରେ ତେଲେଙ୍ଗାନା ରାଜ୍ୟରେ ଉସ୍ମାନ ସାଗର କୂଳରେ ଅବସ୍ଥିତ। ମନ୍ଦିରର ନାମ ଚିଲ୍‌କୁର ବାଲାଜୀ, କିନ୍ତୁ ଏହା ‘ଭିସା ବାଲାଜୀ ମନ୍ଦିର’ ନାମରେ ପ୍ରସିଦ୍ଧ।

କେବଳ ଭିସା ପାଇବା ପାଇଁ, ଏହି ମନ୍ଦିରକୁ ପ୍ରତି ସପ୍ତାହ ୧ଲକ୍ଷରୁ ଅଧିକ ଲୋକ ଦୂରଦୂରାନ୍ତରୁ ଆସିଥାନ୍ତି। ଭକ୍ତଙ୍କ ବିଶ୍ୱାସ ରହିଛି କି, ଏହି ମନ୍ଦିରକୁ ଯାଇ ଯଦି ଭକ୍ତ ୧୧ ଥର ମନ୍ଦିର ଚାରିପାଖେ ପରିକ୍ରମା କରେ, ତେବେ ଯାଇ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ମନସ୍କାମନା ପୂର୍ଣ୍ଣ ହେବା ପରେ ଭକ୍ତ ପୁଣି ମନ୍ଦିର ଚାରିପଟେ ୧୦୮ ଥର ପରିକ୍ରମା କରିଥାଏ।

କୁହାଯାଏ ଏହି ମନ୍ଦିର ୫୦୦ ବର୍ଷର ପୁରାତନ ମନ୍ଦିର ଯେଉଁଠାରେ ଭେଙ୍କେଟେଶ୍ୱରଙ୍କ ମୂର୍ତ୍ତି ସ୍ଥାପିତ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭଗବାନ ଭେଙ୍କେଟେଶ୍ୱରଙ୍କ ଭକ୍ତ ବହୁ ଦୂରରୁ ଏଠାକୁ ପାଦରେ ଚାଲିଚାଲି ଆସୁଥିଲେ। ଏହି ସମୟରେ ଦିନେ ଭଗବାନ ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱପ୍ନରେ ଆସି କହିଲେ ଯେ ସେ ତାଙ୍କ ଘର ପାଖ ନିକଟରେ ଏକ ଜଙ୍ଗଲରେ ରହୁଛନ୍ତି।

ଭକ୍ତ ଯେତେବେଳେ ଜଙ୍ଗଲରେ ଭୂମି ଖୋଳିଲେ ତାଙ୍କୁ ଶ୍ରୀଦେବ ଓ ଭୂଦେବଙ୍କ ମୂର୍ତ୍ତି ମିଳିଲା। ଯେଉଁମାନଙ୍କୁ ବିଦେଶ ଯାତ୍ରା କରିବାକୁ ଅଛି କିନ୍ତୁ ଭିସା ମିଳୁନି ସେମାନେ ଏହି ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି। ଏହି ମନ୍ଦିରରେ ଦର୍ଶନ କରିବା ପାଇଁ ଆସୁଥିବା ଲୋକମାନେ ୧୦୮ ପରିକ୍ରମା କରିଥାନ୍ତି। ଏପରି କୁହାଯାଏ ଏଠାରେ ଦର୍ଶନ କରିବା ପରେ ତାଙ୍କ ଭିସା ମନୋକାମନା ପୂର୍ଣ୍ଣ ହୋଇଥାଏ।

Comment