ଓଡ଼ିଶାଲାଇଭ୍‌ ବ୍ୟୁରୋ

ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାରେ ବାସ କରୁଥିବା ଜଣେ ଚାଷୀ ଓ ତାଙ୍କର ପରିବାରକୁ ଗାଁ ଲୋକେ ବାସନ୍ଦ କରିଛନ୍ତି। ଏହି ଗାଁ ଭୋପାଳରୁ ୪୦୦କି.ମି ଦୂରରେ ଅବସ୍ଥିତ। କୃଷକ ଜଣକ ଭୁଲ୍‌ ବଶତଃ ଏକ ଗାଈକୁ ମାରିଦେବାରୁ ପରିବାରକୁ ଗାଁରୁ ବାସନ୍ଦ କରାଯାଇଛି।

ଗାଁର ପଞ୍ଚାୟତ ୩୬ବର୍ଷୀୟ ପପୁ ପ୍ରଜାପତିର ପରିବାରକୁ ଗାଁରୁ ବାସନ୍ଦ କରିବା ପାଇଁ ନିଷ୍ପତି ନେଇଥିଲା। ଆଉ ଗାଁରେ ମିଶିବା ପାଇଁ ମଧ୍ୟ ଅଜବ ନିୟମ ରଖିଥିଲେ ସରପଞ୍ଚ ପଞ୍ଚମ ସିଂହ ଚୌହାନ। ଯଦି ସପରିବାର ଗଙ୍ଗା ସ୍ନାନ କରି ‘କନ୍ୟା ଓ ବ୍ରାହ୍ମଣ ଭୋଜନ’ ଦେବା ପରେ ସାମୂହିକ ଭୋଜନର ଆୟୋଜନ କରିବେ ଓ ଏକ ଗାଈ ଦାନ କରିବେ ତେବେ ତାଙ୍କୁ ଗାଁ ଭିତରେ ପ୍ରବେଶ ପାଇଁ ଅନୁମତି ଦିଆଯିବ।

ପ୍ରଜାପତିଙ୍କ କହିବା କଥା, ‘ସେ ଟ୍ରାକ୍ଟର-ଟ୍ରଲିକୁ ପାର୍କ କରୁଥିବାବେଳେ ତଳେ ବସିଥିବା ଏକ ଗାଈକୁ ଭୁଲ୍‌ରେ ପିଟି ଦେଇଥିଲେ। ଘଟଣାସ୍ଥଳରେ ହିଁ ଗାଈର ମୃତ୍ୟୁ ହୋଇଥିଲା। ଏହା ପରେ ଗାଁ ଲୋକେ ଗାଈର ମୃତ୍ୟୁକୁ ଗୋହତ୍ୟା ଦର୍ଶାଇ ପଞ୍ଚାୟତ ଡକାଇଲେ। ଅନ୍ୟପକ୍ଷରେ ପଞ୍ଚାୟତର ଜଣେ ସଦସ୍ୟ ଓମ୍ ପ୍ରାକାଶ ଗୋମତ କହିଛନ୍ତି କି, “ପ୍ରଜାପତି ଗୋହତ୍ୟାର ଦୋଷୀ, ସେଥିପାଇଁ ତାଙ୍କୁ ଓ ତା’ର ପରିବାରକୁ ତପସ୍ୟା କରି ଏହି ପାପରୁ ମୁକ୍ତି ପାଇବାକୁ ହେବ।”

ଘଟଣା ସମ୍ପର୍କରେ ଜିଲ୍ଲାପାଳ ରାଜେନ୍ଦ୍ର ରାୟ କହିଛନ୍ତି, “ଏହି ସମ୍ପର୍କରେ ଆମକୁ କୌଣସି ସୂଚନା ମିଳିନାହିଁ କିନ୍ତୁ ଏହାର ତଦନ୍ତ ନିଶ୍ଚୟ କରାଯିବ।” ଅପରପକ୍ଷରେ ପଞ୍ଚାୟତର ଏଭଳି ନିଷ୍ପତି ପରେ ପ୍ରଜାପତି ଗାଁ ଛାଡ଼ି ଗଙ୍ଗା ନଦୀରେ ବୁଡ଼ ପକାଇବାକୁ ପରିବାର ସହିତ ଯାଇଛନ୍ତି।

Comment