ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ବତୀଘର ନଦୀରେ ଡଙ୍ଗାବୁଡ଼ି ବେଳେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା କେନ୍ଦ୍ରାପଡ଼ା ଜିଲ୍ଲା ନିପାଣିଆ ଗାଁର ୬ ଜଣଙ୍କୁ ସମ୍ବର୍ଦ୍ଧିତ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ।

ମହାକାଳପଡା ବ୍ଲକ ସମ୍ମିଳନୀ କକ୍ଷରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏହି ସାହସୀ ବ୍ୟକ୍ତିମାନଙ୍କୁ ପୁଷ୍ପଗୁଚ୍ଛ ସହ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।

ଏହାସହ ଡଙ୍ଗାବୁଡ଼ିରେ ନିଖୋଜ ଥିବା ଶୁଭଶ୍ରୀ ଓରଫ ମିନୁ ସ୍ୱାଇଁଙ୍କ ମୃତଦେହ ଉଦ୍ଧାର କରିଛଇ ଓଡ୍ରାଫ ଟିମ୍।

ଗତ ୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ହୁକିଟୋଲାରୁ  ପିକ୍‌ନିକ୍‌ ସାରି ଫେରୁଥିବା ପର୍ଯ୍ୟଟକମାନଙ୍କ ଡଙ୍ଗା ବତୀଘର ନଦୀରେ ନିପାଣିଆ ନିକଟରେ ଭାରସାମ୍ୟ ହରାଇ ବୁଡ଼ି ଯାଇଥିଲା।

ଡଙ୍ଗାରେ ଥିବା ୫୫ ଜଣ ଲୋକଙ୍କ ମଧ୍ୟରୁ ୮ ଜଣ ପହଁରି ପହଁରି କୂଳରେ ଲାଗିଥିଲେ। ବୁଡ଼ି ଯାଉଥିବା ଅନ୍ୟ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ନିପାଣିଆ ଗାଁ ଲୋକେ ଉଦ୍ୟମ କରିଥିଲେ। ଗ୍ରାମବାସୀ ୩୭ ଜଣଙ୍କୁ ଉଦ୍ଧା କରିବାକୁ ସକ୍ଷମ ହୋଇଥିଲେ। ଏହି ଡଙ୍ଗାବୁଡ଼ିରେ ୧୦ ଜଣଙ୍କ ଜୀବନଦୀପ ଲିଭି ଯାଇଥିଲା। ନିପାଣିଆ ଗାଁ ଲୋକଙ୍କ ଏହି ସାହସିକତାର କାହାଣୀ ସାରା ଦେଶରେ ଚର୍ଚ୍ଚା ହୋଇଥିଲା।

ନିଜ ଜୀବନକୁ ବିପଦରେ ପକାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିବା ଲୋକଙ୍କୁ ଜିଲ୍ଲା ପ୍ରଶାସନ ଉଦ୍ଧାର କରିଛି। ଏଥି ନିମନ୍ତେ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ସଭାରେ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିପାଣିଆ ଗାଁର ଅଭିରାମ ଦାସ, ବଳରାମ ଦାସ, ବୁଦ୍ଧଦେବ ଗିରି, ସବିତା ଗିରି ଓ ତାଙ୍କ ଭଉଣୀ ପୂର୍ଣ୍ଣିମା ଗିରିଙ୍କୁ ଫୁଲ ତୋଡ଼ା ଓ ୧୦ ହଜାର  ଲେଖାଏଁ ଟଙ୍କା ଦେଇଥିଲେ। ବିଭୁତି ଭୁଷଣ ସାହାଣିଙ୍କୁ ପୁଷ୍ପଗୁଚ୍ଛ ସହିତ ୫ ହଜାର ଟଙ୍କା ପ୍ରଦାନ କରିଥିଲେ।

ଏହାଛଡା ପୂର୍ଣ୍ଣିମା ଗିରି ଓ ତାଙ୍କ ଭଉଣୀ ସବିତା ଗିରିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ପୁରସ୍କାର ଦେବେ ବୋଲି କୁହାଯାଉଛି। ଆଜି ଏହି ଦୁଇ ଭଉଣୀ ମୁଖ୍ୟମନ୍ତ୍ରୀଙ୍କ ଡକରା ପାଇ ଭୁବନେଶ୍ୱର ଯାଇଛନ୍ତି।

ପୁରସ୍କାର ଗ୍ରହଣ ସମୟରେ ନିପାଣିଆ ଗାଁର ବିକାଶର ନଗ୍ନ ଚିତ୍ର ସମ୍ପର୍କରେ ବଖାଣିଥିଲେ ଦୁଇ ଭଉଣୀ। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆମ ଗାଁ ଆମ ବିକାଶ କଥା କହୁଥିବା ବେଳେ ନିପାଣିଆ ଗାଁର ବିକାଶ କାହିଁକି ହୋଇ ପାରୁନି ବୋଲି ମନ୍ତ୍ରୀଙ୍କୁ ସିଧାସଳଖ ପଚାରି ଥିଲେ। ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନଥିବାରୁ ଗାଁର ପିଲାମାନେ ସବୁଦିନେ ସ୍କୁଲକୁ ଆସି ପାରନ୍ତିନି କି ପାଠ ପଢ଼ି ପାରନ୍ତିନି। ଗାଁରେ ବିଶୁଦ୍ଧ ପାନୀୟ ଜଳ ମିଳୁ ନଥିବାରୁ ଲୋକେ ଅସୁବିଧା ଭୋଗୁଥିବା  ସମ୍ପର୍କରେ ବଖାଣିଥିଲେ ଦୁଇ ଭଉଣୀ।

ଯଦି ଏପରି ସମସ୍ୟା ଥାଏ ଏହାର ଶୀଘ୍ର ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ନିପାଣିଆ ଗାଁର ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରି ଶୀଘ୍ର ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଡଙ୍ଗାବୁଡ଼ିରେ ୯ ଜଣଙ୍କ ଶବକୁ ଉଦ୍ଧାର କରାଯାଇଥିଲା। ହେଲେ ଅକ୍ଷୟ ସ୍ୱାଇଁଙ୍କ ୬ ବର୍ଷର ଝିଅ ମିନୁ ଓରଫ ଶୁଭଶ୍ରୀଙ୍କ ମୃତଦେହ ଠାବ ହୋଇ ପାରିନଥିଲା। ଆଜି ଓଡ୍ରାଫ ଦଳ ମିନୁଙ୍କ ମୃତଦେହକୁ ବତୀଘର ନଦୀରୁ ଉଦ୍ଧାର କରିଛନ୍ତି।

Comment