ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଓଡ଼ିଶାରେ ମହାମେଣ୍ଟ ସମ୍ଭବ କି? ଖାରବେଳ ସ୍ୱାଇଁଙ୍କ ମନ୍ତବ୍ୟ ପରେ ଜୋର୍ ଧରିଲା ଚର୍ଚ୍ଚା।

ଓଡ଼ିଶାରେ ଗଠନ ହେବ ମହାମେଣ୍ଟ। ନବୀନଙ୍କ ବିରୋଧରେ ଏକାଠି ହେଉଛନ୍ତି ନେତା। ଆଜି ଏମିତି ଏକ ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ପାର୍ଟିର ସଭାପତି ଖାରବେଳ ସ୍ୱାଇଁ।

ଖାରବେଳ ସ୍ୱାଇଁ କହିଛନ୍ତି, “ମହାମେଣ୍ଟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ବ୍ରଜ କିଶୋର ତ୍ରିପାଠୀ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ସାମିଲ ହେବେ। ୧୫ ଦିନ ଭିତରେ ମହାମେଣ୍ଟର ରୂପରେଖ ସ୍ପଷ୍ଟ ହେବ। ମହାମେଣ୍ଟ ବିଜେଡି ବିରୋଧରେ ଲଢ଼ିବ।”

ତେବେ ଏହି ମହାମେଣ୍ଟ ୨୦୧୯ ନିର୍ବାଚନରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଦିଚ୍ୟୁତ କରିପାରିବ କି ବୋଲି ରାଜନୀତି କରିଡରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଓଡ଼ିଶା ରାଜନୀତି ଇତିହାସରେ ମହାମେଣ୍ଟର ପରିକଳ୍ପନା କିଛି ନୂଆ କଥା ନୁହେଁ। ୨୦୧୪ ନିର୍ବାଚନ ପୂର୍ବରୁ ମଧ୍ୟ ବିଜେଡି ବିରୋଧରେ ମହାମେଣ୍ଟ ଗଠନ ନେଇ ଚର୍ଚ୍ଚା ହୋଇଥିଲା। ଏନେଇ ଦୁଇରୁ ଅଧିକ ଥର ବୈଠକ ମଧ୍ୟ ହୋଇଥିଲା। ହେଲେ ମହାମେଣ୍ଟ ଗଠନ ସମ୍ଭବ ହୋଇ ନଥିଲା।

୨୦୧୪ରେ ବି ହୋଇଥିଲା ମହାମେଣ୍ଟ ଚର୍ଚ୍ଚା

୨୦୧୪ ନିର୍ବାଚନରେ ନବୀନଙ୍କୁ କ୍ଷମତାରୁ ହଟାଇବା ଲାଗି ମହାମେଣ୍ଟର ପରିକଳ୍ପନା କରିଥିଲା ବିଜେପି। ଏହି ମହାମେଣ୍ଟ ଜରିଆରେ ନବୀନଙ୍କୁ ଚେକ୍ ଦେବା ଲାଗି ବିଜେପି ଚାହୁଁଥିଲା।

ଏଥିପାଇଁ ତତ୍କାଳୀନ ବିଜେପି ପ୍ରଭାରୀ ଚନ୍ଦନ ମିତ୍ର ବାରମ୍ବାର ଓଡ଼ିଶା ଗସ୍ତରେ ଆସିଥିଲେ। ନବୀନ ବିରୋଧୀ ଆଞ୍ଚଳିକ ଦଳର ନେତାମାନଙ୍କ ସହ ବୈଠକ କରିଥିଲେ।

୨୦୧୪ ମହାମେଣ୍ଟ ବୈଠକରେ ଯୋଗ ଦେଇଥିଲେ ଛୋଟ ଛୋଟ ଆଞ୍ଚଳିକ ଦଳର ନେତା। ସେଥିମଧ୍ୟରେ ଥିଲେ ଓଡ଼ିଶା ଜନ ମୋର୍ଚ୍ଚାର ପ୍ୟାରୀମୋହନ ମହାପାତ୍ର, ଆମ ଓଡ଼ିଶା ପାର୍ଟିର ସୌମ୍ୟରଞ୍ଜନ ପଟ୍ଟନାୟକ, ଉତ୍କଳ ଭାରତ ପାର୍ଟିର ଖାରବେଳ ସ୍ୱାଇଁ, ସମତାକ୍ରାନ୍ତି ଦଳର ବ୍ରଜ କିଶୋର ତ୍ରିପାଠୀ।

ହେଲେ ବିଜେପି ସହ ଏହି ଛୋଟ ଆଞ୍ଚଳିକ ଦଳମାନଙ୍କର କୌଣସି ସମନ୍ୱୟ ନରହିବାରୁ ମହାମେଣ୍ଟ ହୋଇପାରି ନଥିଲା। ସମସ୍ତେ ନିଜ ଦମ୍‌ରେ ନିର୍ବାଚନ ଲଢ଼ିଥିଲେ। କେବଳ ଆମ ଓଡ଼ିଶା ଏବଂ ଉତ୍କଳ ଭାରତ ପାର୍ଟି ମଧ୍ୟରେ ମେଣ୍ଟ ହୋଇଥିଲା।

ନବୀନଙ୍କୁ ଗାଦିରୁ ହଟାଇବା ପାଇଁ ୨୦୧୪ରେ ଯେଉଁ ଯୋଜନା ହୋଇଥିଲା ତାହା ଫଳପ୍ରଦ ହୋଇ ନଥିଲା। ନବୀନ ପୁଣି ୧୧୭ ଆସନରେ ବିଜୟ ବାନା ଉଡ଼ାଇଥିଲେ।

୨୦୧୪ ପରି ୨୦୧୯ ନିର୍ବାଚନ ପୂର୍ବରୁ ମଧ୍ୟ ମହାମେଣ୍ଟ ପ୍ରସଙ୍ଗ ଉଠିଛି। ଏହାକୁ ଉଠାଇଛନ୍ତି ଖାରବେଳ। ତେବେ କୌଣସି ବଡ଼ ଦଳ ସହ ମେଣ୍ଟ ହେବ ନାହିଁ। ବିଜେଡିରୁ ବିଦା ହୋଇଥିବା ନେତା ଏବଂ କିଛି ଆଞ୍ଚଳିକ ଦଳ ସହ ମିଶି ମହାମେଣ୍ଟ ହେବ ବୋଲି ଖାରବେଳ କହିବା ପରେ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି।

ପ୍ରସ୍ତାବିତ ମହାମେଣ୍ଟକୁ କାଉଣ୍ଟର କରିଛି ବିଜେଡି। ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, ଏହା ମହାମେଣ୍ଟ ନୁହେଁ ମହାଘାଣ୍ଟ।

“ଯେଉଁମାନେ ମହାମେଣ୍ଟରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ସେମାନଙ୍କର ରାଜନୈତିକ ଅସ୍ତିତ୍ୱ ନାହିଁ। ମହାମେଣ୍ଟ ଗଠନ ହେଲେ ବିଜେଡି ଉପରେ କିଛି ପ୍ରଭାବ ପଡ଼ିବ ନାହିଁ।

ମହାମେଣ୍ଟରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି। ଏଥିରେ ବୈଜୟନ୍ତ ମଧ୍ୟ ନିଜର ପ୍ରତିକ୍ରିୟ ରଖିଛନ୍ତି।

ବୈଜୟନ୍ତ କହିଛନ୍ତି, “ରାଜ୍ୟରେ ଦୁର୍ନୀତି ଏବଂ ହିଂସାକାଣ୍ଡ ବୃଦ୍ଧି ପାଇଛି। ଦୁର୍ନୀତି ବିରୋଧରେ ଯିଏ ଲଢ଼ିବ ତାକୁ ମୁଁ ସମର୍ଥନ ଦେବି।”

ବିଜେପିକୁ କାଉଣ୍ଟର କଲେ ଖାରବେଳ

୨୦୧୪ରେ ଓଡ଼ିଶାରେ ମେଣ୍ଟ ନହେବା ସମ୍ପର୍କରେ ଖାରବେଳ ନିଜର ମତ ରଖିଛନ୍ତି। ଓଡ଼ିଶାଲାଇଭ୍‌କୁ ସାକ୍ଷାତକାର ଦେଇ ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ୨୦୧୪ରେ ବିଜେପି ସାରା ଭାରତରେ ୨୮ଟି ଦଳ ସହ ମେଣ୍ଟ କରିଥିଲା, କିନ୍ତୁ ଓଡ଼ିଶାରେ କଲା ନାହିଁ। ଅରୁଣ ଜେଟଲି ଓ ସାଂସଦ ଚନ୍ଦନ ମିତ୍ରା ଓଡ଼ିଶାକୁ ଆସିଥିଲେ। ମୋ’ ସହ କଥା ହୋଇ ମେଣ୍ଟ କରିବା ପାଇଁ ପ୍ରତିଶ୍ରୁତି ଦେଲେ। କିନ୍ତୁ ଦିଲ୍ଲୀ ଗଲା ପରେ ମେଣ୍ଟକୁ ଭାଙ୍ଗିଦେଲେ। କାରଣ ନବୀନ ବାବୁଙ୍କ ସହ ତାଙ୍କର ଭିତିରିଆ ମେଣ୍ଟ ହୋଇଥିଲା। ସେ ମେଣ୍ଟ ଏପର୍ଯ୍ୟନ୍ତ ବି ପରୋକ୍ଷ ଭାବେ ରହିଛି।

Comment