ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ପୂର୍ବରୁ ମହିଳା କାର୍ଡ ଖେଳିଲେ ମୋଦି ଓ ନବୀନ।

ରାଜନୀତିକ ଛକାପଞ୍ଝା ଭିତରେ ବିଦାୟ ନେଇଛି ୨୦୧୮। ୨୦୧୯ର ନୂଆ ସୂର୍ଯ୍ୟୋଦୟ ଦେଖିଥିବା ଓଡ଼ିଶାବାସୀ ଆଜି ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିର ଉଷୁମ ପାଣିପାଗକୁ ଅନୁଭବ କରିଛନ୍ତି।

ପ୍ରଧାନମନ୍ତ୍ରୀ ତଥା ବିଜେପିର ପୋଷ୍ଟରବୟ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ପୋଷ୍ଟରବୟ ନବୀନ ପଟ୍ଟନାୟକ ଆଜି ନିର୍ବାଚନ ବିଗୁଲ ଫୁଙ୍କିଛନ୍ତି।

ଶନିବାର ପୂର୍ବାହ୍ମଣରେ ନବୀନ ପୁରୀରେ ମହିଳା କାର୍ଡ ଖେଳିଥିବା ବେଳେ ଅପରାହ୍ଣରେ ମୋଦି ଏହାକୁ ବାରିପଦାରେ କାଉଣ୍ଟର କରି ରାଜନୀତି ପାଣିପାଗକୁ ଗରମ କରିଥିଲେ।

ମହିଳାଙ୍କ ପାଇଁ ନବୀନ ଖୋଲିଦେଲେ ହାତ

ଲୋକସଭା ଓ ବିଧାନସଭା ନିର୍ବାଚନକୁ ଟାର୍ଗେଟ କରି ଆଜି ପୁରୀ ତାଳବଣିଆ ପଡ଼ିଆଠାରେ ଆୟୋଜିତ ହୋଇଥିଲା ମିଶନ ଶକ୍ତି ସମ୍ମିଳନୀ। ଏଥିରେ ସାମିଲ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ଆପଣଙ୍କ ଖୁସିରେ ମୋ’ ଖୁସି’ କହି ମହିଳାମାନଙ୍କୁ ଉତ୍ସାହିତ କରିଥିଲେ ବିଜେଡି ସୁପ୍ରିମୋ। ଏହାସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ଏହି ସମ୍ମିଳନୀରେ ହାତ ଖୋଲି ଦେଇଥିଲେ ନବୀନ।

ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ବିନା ସୁଧରେ ଋଣ। ବ୍ଲକସ୍ତରୀୟ ମିଶନ ଶକ୍ତି ମହାସଂଘ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି। ୬ ଲକ୍ଷ ଏସ୍‌ଏଚଜିଙ୍କୁ ସ୍ମାର୍ଟଫୋନ୍‌ ପାଇଁ ୩ ହଜାର ଟଙ୍କା। ଏସ୍‌ଏଚଜି ଗ୍ରୁପ୍‌ମାନଙ୍କୁ ମୋଟ ୭୦୦କୋଟି ପ୍ରୋତ୍ସାହନ ରାଶି। ଏସ୍‌ଏଚ୍‌ଜି ଗ୍ରୁପର ୩୦ ଲକ୍ଷ ନୂଆ ସଦସ୍ୟଙ୍କ ପାଇଁ ୪୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରି ମହିଳା ଭୋଟରଙ୍କୁ ଆକୃଷ୍ଟ କରିଛନ୍ତି ନବୀନ।

ମହିଳା ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲେ ମୋଦି

ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ନୂଆ ଘୋଷଣା କରିବା ପରେ ବାରିପଦାଠାରେ ମୋଦି ଏହାକୁ କାଉଣ୍ଟର କରିଥିଲେ। ଓଡ଼ିଶାରେ ମହିଳା ଅସୁରକ୍ଷିତ କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ସିଧାସଳଖ ନବୀନଙ୍କ ନାଁ ନେଇ ନଥିଲେ ମଧ୍ୟ ପିପିଲି ପୀଡ଼ିତାଙ୍କ କଥା ଉଠାଇ ମୋଦି ବିଜେଡି ଶିବିରକୁ ହଲ୍‌ଚଲ୍ କରି ଦେଇଥିଲେ। ଖାଲି ସେତିକି ନୁହେଁ, ନାରୀ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଥିବା ମୋଦି କହି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ନାରୀ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସାରା ଦେଶରେ ଆଗରେ ରହିଥିବା କହି ମୋଦି ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି।

୨୦୧୯ ନିର୍ବାଚନ ପୂର୍ବରୁ ମୋଦି ଏବଂ ନବୀନ ମହିଳା ଭୋଟ ପାଇବା ପାଇଁ ଆଜି ଯେଉଁ କାର୍ଡ ଖେଳିଛନ୍ତି ସେଥିରୁ କିଏ ଲାଭ ଉଠାଉଛି ତାହା ଅପେକ୍ଷା କରି ଦେଖିବାର କଥା।

ଗୋଟିଏ ମଞ୍ଚରେ ରହିଲେନି ମୋଦି-ନବୀନ

ପ୍ରଧାନମନ୍ତ୍ରୀ ମୋଦି ଆଜି ବାରିପଦାରେ ଦୁଇଟି ସଭାରେ ଯୋଗ ଦେଇଥିଲେ। ବାରିପଦା ସରକାରୀ ହାଇସ୍କୁଲ ପଡ଼ିଆରେ ୪ ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଏବଂ ଉଦଘାଟନ କରିବା ପରେ ମୋଦି ଦଳୀୟ ସମାବେଶରେ ଉଦବୋଧନ ଦେଇଥିଲେ।

ପ୍ରକଳ୍ପ ଉଦଘାଟନ କର୍ଯ୍ୟକ୍ରମ ଥିଲା ସମ୍ପୂର୍ଣ୍ଣ ସରକାରୀ। ଏଥିରେ ଯୋଗ ଦେଇଥିଲେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। କିନ୍ତୁ ନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମିଶନ ଶକ୍ତି ସମ୍ମିଳନୀରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପୁରୀ ଯାଇଥିଲେ।

ବାରିପଦା ସରକାରୀ କାର୍ଯ୍ୟକ୍ରମରେ ନବୀନ ଉପସ୍ଥିତ ନରହିବା ଏବେ ରାଜନୀତି କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି। ପୂର୍ବରୁ ଯେତେଥର ମୋଦି ସରକାରୀ କାର୍ଯ୍ୟକ୍ରମରେ ଓଡ଼ିଶା ଆସିଛନ୍ତି ସବୁଥିରେ ନବୀନଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।

ତାଳଚେର ସାର କାରଖାନା ପୁନରୁଦ୍ଧାର ପାଇଁ ଶିଳାନ୍ୟାସ, ଝାରସୁଗୁଡ଼ା ଏୟାରପୋର୍ଟ ଲୋକାର୍ପଣ ଏବଂ ଖୋର୍ଦ୍ଧା ଅରୁଗୁଳୁ କାର୍ଯ୍ୟକ୍ରମରେ ମୋଦି-ନବୀନ ଗୋଟିଏ ମଞ୍ଚରେ ଏକାଠି ବସିଥିଲେ। ହେଲେ ବାରିପଦା କାର୍ଯ୍ୟକ୍ରମରେ ନବୀନଙ୍କ ଅନୁପସ୍ଥିତି ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି କରିଛି।

ଗୋଟିଏ ପଟେ ନବୀନ ବାରିପଦା କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ବେଳେ ଅନ୍ୟପଟେ ଦଳୀୟ ସମାବେଶରେ ମୋଦି ନବୀନ କିମ୍ବା ବିଜେଡିର ନାଁ ଧରି ନାହାନ୍ତି। ଝାରସୁଗୁଡ଼ା ଏବଂ ତାଳଚେରରେ ଯେମିତି ସିଧା ଆଟାକ୍ କରିଥିଲେ ତାହା ବାରିପଦା କିମ୍ବା ଖୋର୍ଦ୍ଧା ସମାବେଶରେ ଦେଖିବାକୁ ମିଳିନି। ଏଣୁ ରାଜନୀତିକ ସମୀକରଣ ନୂଆ ମୋଡ଼ ନେଉଥିବା କୁହାଯାଉଛି।

Comment