ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା: ରବିବାରଠାରୁ ଭିତରକନିକା ଅଭୟାରଣ୍ୟ ମଧ୍ୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶକୁ ବାରଣ କରାଯାଇଛି। ୬ ତାରିଖରୁ ୧୫ ତାରିଖ ଯାଏଁ ଏହି କଟକଣା ବଳବତ୍ତର ରହିବ।

ରବିବାରଠୁ ଭିତରକନିକା ଓ ଏହାର ଆଖପାଖ ଅଞ୍ଚଳରେ ବିଦେଶୀ ପକ୍ଷୀ ଗଣନା କରାଯିବାକୁ ଥିବା ବେଳେ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ବଉଳା କୁମ୍ଭୀର ଗଣନା କରାଯିବ।

ଚିଲିକା ପରେ ଭିତରକନିକା ଅଞ୍ଚଳକୁ ବିଦେଶୀ ପକ୍ଷୀମାନଙ୍କର ଆଗମନ ହୋଇଥାଏ। ମେରୁ ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ସହି ନପାରି ବିଦେଶି ପକ୍ଷୀମାନେ ଭିତରକନିକା ଅଞ୍ଚଳକୁ ଆସିଥାନ୍ତି। ପକ୍ଷୀମାନଙ୍କ ପାଇଁ ଭିତରକନିକା ଅଞ୍ଚଳରେ ପ୍ରଚୁର ଖାଦ୍ୟ ମିଳେ।

ସନ୍ତସନ୍ତିଆ ଧାନ ବିଲ ସାଙ୍ଗକୁ ଜଳାଶୟମାନଙ୍କରେ ମାଛ, କଙ୍କଡା, ଗେଣ୍ଡା, ଶାମୁକା, ଶିଉଳି, ପୋକ ଯୋକ ଆଦି ପ୍ରଚୁର ପରିମାଣରେ ମିଳିଥାନ୍ତି। ଏଣୁ ଦଳଦଳ ହୋଇ ବିଦେଶାଗତ ପକ୍ଷୀ ଭିତରକନିକାକୁ ଆସିଥାନ୍ତି। ଏବେ ପକ୍ଷୀଙ୍କ କଳରବରେ ପୂରି ଉଠୁଛି ଭିତରକନିକା।

ଏଥିପାଇଁ ପ୍ରତି ବର୍ଷ ରାଜନଗର ବନ ବିଭାଗ ରାଜ୍ୟର ବିଭିନ୍ନ ସ୍ଥାନରୁ ପକ୍ଷୀ ବିଶାରଦମାନଙ୍କୁ ଡକାଇ ଏହି ପକ୍ଷୀ ଗଣନା କରିଥାନ୍ତି। ପକ୍ଷୀ ଗଣନାକାରୀମାନଙ୍କୁ ୧୬ଟି ଦଳରେ ଭାଗ କରାଯାଇଛି। ଏହି ଗଣନା ରବିବାର ଭୋର ୬ଟାରୁ ଦିନ ୧୧ଟା ମଧ୍ୟରେ ଶେଷ କରିବାକୁ ସ୍ଥିର କରିଛି ବନ ବିଭାଗ।

ଏହାଛଡ଼ା ଆଗାମୀ ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ଅଞ୍ଚଳରେ କୁମ୍ଭୀର ଗଣନା କରାଯିବ।  ଗଣନା ପୁର୍ବରୁ ନଦୀ ନାଳଗୁଡ଼ିକୁ ପର୍ଯ୍ୟଟକ ମାନଙ୍କ ଗହଳିରୁ ମୁକ୍ତ କରିଛି ବନ ବିଭାଗ।

ନଦୀ ନାଳ ମଧ୍ୟରେ ନିରୋଳା ଅନୁଭବ କଲେ କୁମ୍ଭୀରମାନେ ବାହାରକୁ ଆସିବାକୁ ନିରାପଦ ମନେକରନ୍ତି।

Comment