ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଆରମ୍ଭ ହୋଇଯାଇଛି ପକ୍ଷୀ ଗଣନା କାର୍ଯ୍ୟକ୍ରମ। ଚିଲିକାକୁ ଘେରି ରହିଥିବା ୩ଟି ଜିଲ୍ଲା ଖୋର୍ଦ୍ଧା, ଗଞ୍ଜାମ, ପୁରୀ ଭିତରୁ ୫ଟି ରେଞ୍ଜର ଗଠନ କରାଯାଇଥିଲା। ୫ଟି ରେଞ୍ଜର ବାଲୁଗାଁ, ରମ୍ଭା, ଟାଙ୍ଗୀ, ନୂଆପଡ଼ା, ସାତପଡ଼ା ମଧ୍ୟରୁ ୨୧ଟି ଟିମ୍ ଗଠନ କରାଯାଇଥିଲା। ପ୍ରତି ଟିମ୍‌ରେ ୪ରୁ ୫ ଜଣ ଲେଖାଏଁ ସଦସ୍ୟ ୧୮ଟି ଡଙ୍ଗା ଯୋଗେ ସକାଳ ୬ଟାରେ ଗନ୍ତବ୍ୟ ସ୍ଥଳରୁ ବାହାରିଥିଲେ।

ପକ୍ଷୀ ଗଣନା କରିବା ପାଇଁ ବାଇନୋକୁଲାର୍, ଜିପିଏସ୍‌ କମ୍ପାସ୍‌, ଗାଇଡି୍ ବୁକ୍ ସଙ୍ଗେ ଓୟୁଏଟି ଛାତ୍ରଛାତ୍ରୀ, ପକ୍ଷୀ ସୁରକ୍ଷା ବାହିନୀ, ବନ୍ୟପ୍ରାଣୀ ବିଭାଗର କର୍ମଚାରୀ, ପକ୍ଷୀ ବିଶାରଦ, ପକ୍ଷୀ ବିଶେଷଜ୍ଞ, ସ୍ୱେଚ୍ଛାସେବୀ, ଟାଙ୍ଗୀ ତହସିଲଦାର, ରେମୁଣା ବିଡିଓ ପ୍ରମୁଖ ସାମିଲ ହୋଇଥିଲେ।

ଏଥିସହିତ ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରୀ ଅଫ୍ ସୋସାଇଟିର ଡେପୁଟି ଡାଇରେକ୍ଟର ଏନ୍-ବାଲଚନ୍ଦ୍ରନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ପକ୍ଷୀ ଗଣନା କାର୍ଯ୍ୟକ୍ରମ ପାଇଁ ବାହାରିଥିବା ସଦସ୍ୟଙ୍କୁ ମନିଟରିଂ କରିବାପାଇଁ ୪ଟି ପାଟ୍ରୋଲିଂ ଟିମ୍ ମଧ୍ୟ ଗଠନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଋତୁ ଚାଲିଥିବା ବେଳେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଚିଲିକାକୁ  ଆସି ବିଦେଶରୁ ଆସିଥିବା ପକ୍ଷୀ ଆଗମାନଙ୍କୁ ଦେଖିବାପାଇଁ ଓ ମତ୍ସ୍ୟଜୀବରଙ୍କୁ ଚିଲିକା ଭିତରକୁ ନ ଯିବାପାଇଁ ସ୍ଥାନୀୟ ପ୍ରଶାସନ ତରଫରୁ ବାରଣ କରାଯାଇଛି।

ଚଳିତବର୍ଷ ୧୮୧ ପ୍ରଜାତିର ୧୦,୪୭,୯୬୮ ଚିଲିକାକୁ ବିଦେଶୀ ପକ୍ଷୀ ଆସିଛନ୍ତି ବୋଲି ବାଲୁଗାଁ ସିଡିଏ ଏବଂ ବନ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି। ୫ ଟି ରେଞ୍ଜ ମଧ୍ୟରୁ ବାଲୁଗାଁ ରେଞ୍ଜ୍‌ର ନଳବଣରେ ସର୍ବାଧିକ ୩,୯୩,୫୪୧ ପକ୍ଷୀ ଗଣନା କରାଯାଇଛି। ସେଥିମଧ୍ୟରେ ଗଡ୍ ୱଲ ଏବଂ ଭିଜନ ପକ୍ଷୀର ସଂଖ୍ୟା ୧ଲକ୍ଷରୁ ଉର୍ଦ୍ଧ୍ୱ ହୋଇଥିବା ସ୍ଥଳେ ଫ୍ଲେମିଙ୍ଗୋ ୨,୯୦୫ ।

୩ରୁ ୪ ବର୍ଷ ହେବ ଲେସର୍ ଫ୍ଲେମିଙ୍ଗୋ ପ୍ରଜାତିର ଚଢ଼େଇ ଚିଲିକାରେ ଦୃଶ୍ୟମାନ ନଥିବାବେଳେ ଚଳିତ ବର୍ଷ ୧୩ଟି ଚଢ଼େଇ ନଜରରେ ଆସିଛନ୍ତି। ସେହିପରି କମନ୍ ସେଲଡକ୍ ମୋଟ୍ ୬ଟି ନଜରରେ ଆସିଥିବା ଜଣାପଡ଼ିଛି। ଅନ୍ୟ ପକ୍ଷୀମାନଙ୍କ ମଧ୍ୟରେ ନର୍ଦ୍ଦନ୍ ପିଣ୍ଟେଲ୍, ନର୍ଦ୍ଦନ୍ ସୋବଲର୍, ୟୁରାସିଆନ୍, ୟୁଜିଏଏନ୍ ପ୍ରଜାତିର ପକ୍ଷୀ ମଧ୍ୟ ଦେଖିବାକୁ ମିଳିଛି। ପକ୍ଷୀ ଗଣନା ନିୟମ ଅନୁଯାୟୀ ଗଞ୍ଜାମ ଜିଲ୍ଲାର ରମ୍ଭା ରେଞ୍ଜରେ ସର୍ବନିମ୍ନ ପକ୍ଷୀ ଆସିଛନ୍ତି ବୋଲି ବାଲୁଗାଁ ଡିଏଫ୍ଓ ଶ୍ରୀ ଦାସ୍ ସ୍ପଷ୍ଟ କରିଛନ୍ତି।

ଚଳିତ ବର୍ଷ ଚିଲିକାରେ ଦେଢ଼ ଲକ୍ଷ ପକ୍ଷୀ ଅଧିକ ହୋଇଛନ୍ତି। ୧୮୧ଟି ପ୍ରଜାତିର ୧୦ ଲକ୍ଷ ୪୭ ହଜାର ୯୬୮ଟି ପକ୍ଷୀ ଚିଲିକାକୁ ଆସିଥିବା ବିଭାଗୀୟ ପକ୍ଷୀ ଗଣନା ରିପୋର୍ଟରୁ ଜଣାପଡ଼ିଛି। ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦ ଥିବା ବେଳେ ଚଳିତ ବର୍ଷ ୧ ଲକ୍ଷ ୫୪ ହଜାର ୫୭୮ ବୃଦ୍ଧି ପାଇଛି। ଗତ ଦଶବର୍ଷ ଭିତରେ ଚଳିତ ବର୍ଷ ସର୍ବାଧିକ ପକ୍ଷୀ ଆସିଥିବା ଜଣାପଡ଼ିଛି।

Comment