ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ପାଇଁ ମାୟାବତୀ ଏବଂ ଅଖିଳେଶଙ୍କ ମଧ୍ୟରେ ହେଲା ଆସନ ବୁଝାମଣା।

ଭାରତୀୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ମେଣ୍ଟ ହୋଇଛି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ଉଭୟ ଦଳ ଭିତରେ ଆସନ ବୁଝାମଣା ଶେଷ ହୋଇଛି।

ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ଆସନ ବୁଝାମଣା ହୋଇଥିବାରୁ କଂଗ୍ରେସ ଏକଘରିକିଆ ହୋଇଯାଇଛି। ଏହି ମେଣ୍ଟରେ କଂଗ୍ରେସ ନିଜକୁ ସାମିଲ କରି ନପାରେ ବୋଲି ଚର୍ଚ୍ଚା ହେଉଛି।

ଦିଲ୍ଲୀରେ ଏକାଠି ହୋଇଥିଲେ ବିଏସପି ସୁପ୍ରିମୋ ମାୟାବତୀ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବ। ଦୀର୍ଘ ସମୟ ଧରି ଆଲୋଚନା ହେବା ପରେ ଉଭୟଙ୍କ ମଧ୍ୟରେ ଆସନ ବୁଝାମଣା ଶେଷ ହୋଇଯାଇଛି। ୨୦୧୯ରେ ସମାଜବାଦୀ ପାର୍ଟି ୩୭ ଏବଂ ବହୁଜନ ସମାଜବାଦୀ ପାର୍ଟି ୩୭ଟି ଆସନରେ ନିର୍ବାଚନ ଲଢ଼ିବେ ବୋଲି ବୁଝାମଣା ହୋଇଛି। ବଳକା ଆସନରେ ଏହି ମେଣ୍ଟରେ ସାମିଲ ହେବାକୁ ଥିବା ଅନ୍ୟ ଦଳମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦିଆଯିବ।

ବୈଠକରେ କେଉଁ ଆସନରୁ କେଉଁ ପ୍ରାର୍ଥୀ ଲଢ଼ିବେ ତାହା ମଧ୍ୟ ନିଷ୍ପତ୍ତି ହୋଇଛି। କୌଣସି ପ୍ରକାରର ବିବାଦ ସୃଷ୍ଟି ନହେବା ପାଇଁ ଦୁଇ ଦଳ ସମାନ ସମାନ ଭାବରେ ଆସନ ବୁଝାମଣା କରିଛନ୍ତି। ଏହାଛଡ଼ା ମହାମେଣ୍ଟରେ ସାମିଲ ହୋଇଥିବା ରାଷ୍ଟ୍ରୀୟ ଲୋକଦଳକୁ ୬ଟି ଆସନରୁ ନିର୍ବାଚନ ଲଢିବା ପାଇଁ ସୁଯୋଗ ଦିଆଯାଇଛି।

ତେବେ ଗୌତମବୁଦ୍ଧନଗର ଆସନରୁ ବିଏସପି ଲଢ଼ିବ। ମାୟାବତୀଙ୍କ ପୈତୃକ ଗ୍ରାମ ବାଦଲପୁର ଅନ୍ତର୍ଗତ ଗୌତମବୁଦ୍ଧନଗରରେ ନିର୍ବାଚନ ଲଢିବା ପାଇଁ ପାଖାପାଖି ୮ ଜଣ ଆଶାୟୀ ଟିକେଟ ଲବିରେ ଅଛନ୍ତି।

ଆସନ୍ତା ୧୫ ତାରିଖ ପରେ ଦୁଇ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ନେଇ ସମ୍ଭାବନା ରହିଛି। କାରଣ ୧୫ରେ ମାୟାବତୀଙ୍କ ଜନ୍ମ ଦିନ ଥିବାରୁ ସେହି ଦିନ ହିଁ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି।

Comment