ଓଡ଼ିଶାଲାଇଭ୍  ବ୍ୟୁରୋ

ଜାନୁଆରୀ ୧୪ ତାରିଖରେ ଲେଖକ ଡକ୍ଟର ମୃଣାଳ ଚାଟାର୍ଜୀଙ୍କ ପୁସ୍ତକ ‘ପଥେ ପ୍ରାନ୍ତରେ’ ଉନ୍ମୋଚିତ ହେବ। ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ରେ ହେବାକୁ ଥିବା ଚଳଚ୍ଚିତ୍ର କର୍ମଶାଳା ଓ ଆଲୋଚନା ଚକ୍ର ‘ଫିଲ୍ମ ଚକ୍କର-୨’ ଅବସରରେ ଏହି ପୁସ୍ତକ ଉନ୍ମୋଚନ ହେବାର କାର୍ଯ୍ୟକ୍ରମ ରହିଛି।

ଖବରକାଗଜରେ ପ୍ରତି ସପ୍ତାହରେ ପ୍ରକାଶିତ ଲେଖକଙ୍କ କେତୋଟି ରମ୍ୟ ରଚନା, ଲଳିତ ନିବନ୍ଧକୁ ନେଇ ପୁସ୍ତକର ସଙ୍କଳନ ହୋଇଛି।

ଏହାକୁ ସାମ୍ପ୍ରତିକ ଜୀବନର ଖଣ୍ଡକାବ୍ୟ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କାରଣ, ଏଥିରେ ଲେଖକ ସାଧାରଣ ଜୀବନରେ ଘଟୁଥିବା ବିଭିନ୍ନ ଘଟଣାକୁ ଅତି ଚମତ୍କାର ଭାବେ ବର୍ଣ୍ଣନା କରାଯାଇଛି।

କଟକ-ଭୁବନେଶ୍ୱରରେ ବର୍ଷାଦିନେ ପାଣି ଜମିବାଠାରୁ ଆରମ୍ଭ କରି ବହି ମେଳା, ରାଜନୀତିର ମିଶ୍ରଣ ପର୍ବ ପର୍ଯ୍ୟନ୍ତ ସବୁକିଛି ସ୍ଥାନ ପାଇଛି ଏହି ପୁସ୍ତକରେ।

ଏଥିସହ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା କିଛି କଥା ବି ସ୍ଥାନ ପାଇଛି। ଓଡ଼ିଆ ଚଳଚ୍ଚିତ୍ରର ଇଂରାଜୀ ଟାଇଟଲ୍ ବା ନାମକରଣକୁ ହାସ୍ୟରସରେ ଅତିସୁନ୍ଦର ଭାବେ ଉଲ୍ଲେଖ କରିଛନ୍ତି ଲେଖକ।

ପୁସ୍ତକରେ ଶିଶୁ ଶ୍ରମିକଙ୍କୁ ନେଇ ମଧ୍ୟ ଏକ ଲେଖା ରହିଛି। ସେହିପରି ବୁଲାକୁକୁର ସମସ୍ୟା ସମ୍ବଳିତ ଏକ ଲଳିତ ନିବନ୍ଧ ପାଠକଙ୍କୁ ହସ ଓ ଚିନ୍ତନର ଖୋରାକ୍ ଯୋଗାଇଦେବ। ମଣ୍ଡପ ବାହାଘର ଓ ଘର ବାହାଘର ମଧ୍ୟରେ ତଫାତ୍‌କୁ ହାସ୍ୟରସ ମାଧ୍ୟମରେ ଉପସ୍ଥାପନ କରାଯାଇଛି।

ଅମିତ ଚାଟାର୍ଜୀଙ୍କ ଏକ ଆକର୍ଷଣୀୟ ଫଟୋକୁ ନେଇ ପୁସ୍ତକର ପ୍ରଚ୍ଛଦ କରିଛନ୍ତି ଜିତେନ୍ଦ୍ର ପତି। ଶେଫାଳୀ କମ୍ୟୁନିକେସନ୍ ପକ୍ଷରୁ ପ୍ରକାଶ ପାଇବାକୁ ଥିବା ଏହି ପୁସ୍ତକର ମୂଲ୍ୟ ରହିଛି ୨୫୦ ଟଙ୍କା।

Comment