ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ଓଡ଼ିଶା ଉପରେ ଏବେ ଉଭୟ ମୋଦି ସରକାର ଓ ରାହୁଲ ଗାନ୍ଧିଙ୍କ ନଜର। ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି ଏଇଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି। ସେପଟେ ପ୍ରଧାନମନ୍ତ୍ରୀ ମଧ୍ୟ ଗୋଟିଏ ମାସ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି।

କିଛି ମାସ ପରେ ୨୦୧୯ ଲୋକସଭା ନିର୍ବାଚନ। ଏଥିପାଇଁ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଲେଣି। ଏଥିରେ ତାଳ ଦେଇ ବଢୁଛି ରାଜ୍ୟ ରାଜନୀତିର ପାରଦ।  ନିର୍ବାଚନ ଯେତେ ପାଖେଇ ଆସୁଛି ଓଡ଼ିଶାକୁ ଜାତୀୟ ସ୍ତରର ନେତାଙ୍କ ଆଗମନ ସେତେ ବଢ଼ୁଛି। କାରଣ ଓଡ଼ିଶା ଉପରେ ଏବେ ଉଭୟ ମୋଦି ସରକାର ଓ ରାହୁଲ ଗାନ୍ଧୀଙ୍କ ନଜର।

ପ୍ରଧାନମନ୍ତ୍ରୀଙ୍କୁ ଆଣି ବିଜେପି ତାର ଶକ୍ତି ପ୍ରଦର୍ଶନ କରୁଛି। ପୂବର୍ରୁ ପଶ୍ଚିମ ଯାଏଁ ଲୋକଙ୍କ ପାଖରେ ପହଁଚିବାକୁ ସମସ୍ତ ବଳ ପ୍ରୟୋଗ କରୁଛି ବିଜେପି। ଏହାକୁ ଟକ୍କର ଦେବାକୁ ଉପକୂଳ ଉପରେ ଫୋକସ୍ କରିଛି କଂଗ୍ରେସ। ଆସନ୍ତା ୨୫ରେ ଓଡ଼ିଶା ଆସୁଛନ୍ତି ଏଇଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ତେବେ ଏଆଇସିସିର ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ ଏହା ରାହୁଲଙ୍କ ପ୍ରଥମ ଓଡ଼ିଶା ଗସ୍ତ ଏବଂ ନିରଞ୍ଜନ ପଟ୍ଟନାୟକ ମଧ୍ୟ ସଭାପତି ଦାୟିତ୍ୱ ସମ୍ଭାଳିବା ପରେ ରାହୁଲ ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି।

ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ପରେ ରାଜ୍ୟରେ କଂଗ୍ରେସ କର୍ମୀଙ୍କ ଉତ୍ସାହ ବଢ଼ାଇବା ପାଇଁ ଓଡ଼ିଶା ଆସୁଛନ୍ତି ରାହୁଲ। ଏହାକୁ ନେଇ ରାଜ୍ୟ କଂଗ୍ରେସ ଉତ୍ସାହିତ ହୋଇଛି। ରାଲି ଓ ସାଧାରଣ ସଭାରେ ମୋଦିଙ୍କୁ ସିଧାସଳଖ ଟାର୍ଗେଟ କରିପାରନ୍ତି ରାହୁଲ। କିନ୍ତୁ ରାଜ୍ୟ ସରକାର ଓ ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ କଂଗ୍ରେସ ସଭାପତି ନରମ ରହିବେ ନା ଗରମ ହେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସେହିଭଳି ପ୍ରଧାନମନ୍ତ୍ରୀ ମଧ୍ୟ ଏକ ମାସ ମଧ୍ୟରେ ଲଗାତାର ତୃତୀୟ ଥର ପାଇଁ ଓଡ଼ିଶା ଆସୁଛନ୍ତି । ଆସନ୍ତା ୧୫ରେ ବଲାଙ୍ଗିରରେ ସଭା କରିବେ ପ୍ରଧାନମନ୍ତ୍ରୀ। ପୂର୍ବରୁ ଖୋର୍ଦ୍ଧା ଓ ବାରିପଦାରେ ସାଧାରଣ ସଭା କରିଥିଲେ। ୫ ରାଜ୍ୟର ନିର୍ବାଚନ ପରେ କେନ୍ଦ୍ର ରାଜନୈତିକ ଦୃଶ୍ୟପଟ୍ଟ ବଦଳିଥିବାରୁ କଂଗ୍ରେସ, ବିଜେପି ଫୋକସରେ ଓଡ଼ିଶା ଆସିଛି। ଆଉ କେନ୍ଦ୍ରୀୟ ନେତୃତ୍ୱର ଓଡ଼ିଶା ଗସ୍ତ ନେଇ ବଢୁଛି ରାଜ୍ୟ ରାଜନୀତିର ପାରଦ।

ଅନ୍ୟପଟେ ରାହୁଲଙ୍କ ଓଡ଼ିଶା ଗସ୍ତ ବିଜେଡି ଉପରେ କୌଣସି ପ୍ରଭାବ ପକାଇବ ନାହିଁ। କେବଳ ନିଜର ପ୍ରସାର ଓ ପ୍ରଚାର ଲାଗି ସେ ଆସୁଥିବା ବିଜେଡି କହିଛି। ବିଜେପି ମଧ୍ୟ କହିଛି ରାହୁଲଙ୍କ ଓଡ଼ିଶା ଗସ୍ତ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ।

Comment