ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ରାପଡ଼ା ରାଜଗଡ଼ ଗାଁରେ ରବିବାର ସକାଳୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ପେସାଲ ସ୍କ୍ୱାର୍ଡ ପୋଲିସ ଚଢ଼ାଉ କରିଛି। ଚଢ଼ାଉରେ ପର୍ଦ୍ଦାଫାସ ହୋଇଛି ନକଲି ଗୋପାଳ ଜର୍ଦ୍ଦା କାରଖାନା। କମ୍ପାନିକୁ ସିଜ କରି କାରଖାନାର ଯନ୍ତ୍ରପାତି, ନକଲି ଜର୍ଦ୍ଦା, ନକଲି ଲେବଲ୍, ସେଣ୍ଟ ଆଦି ଜବତ କରିଛି ପୋଲିସ। ଯାହାର ଆନୁମାନିକ ମୁଲ୍ୟ ହେବ ପ୍ରାୟ ୭ ଲକ୍ଷ ଟଙ୍କା। ଚଢ଼ାଉରେ ରାଜଗଡ଼ ଗାଁର ସାଜିଦ୍ ରାଜା ଓ ନଛିପଡ଼ା ଗାଁର ସଞ୍ଜୟ ମଲିକ ନାମକ ଦୁଇ ନକଲି ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ।

ନକଲି ଜର୍ଦ୍ଦାରେ ଗୋପାଳ ମହକ ଦେଇ ବଜାରକୁ ଅସଲି ପ୍ୟାକ୍ ବନାଇ ଛଡ଼ାଯାଉଥିଲା ଏହି ନକଲି କମ୍ପାନି। ଦାମରେ ଟିକେ କମ୍ ରହିଥିବାରୁ ବ୍ୟବସାୟୀଙ୍କ ପ୍ରଥମ ପସନ୍ଦ ଥିଲା ନକଲି ଗୋପାଳ ଜର୍ଦ୍ଦା। କମ୍ ଟଙ୍କାରେ କିଣି ପାନୁଆ ଗରାଖମାନଙ୍କଠାରୁ ଅସଲି ଦରରେ ପଇସା ପାଉଥିଲେ ପାନ ଦୋକାନୀମାନେ। ତେଣୁ କମ୍ ଖର୍ଚ୍ଚରେ ଅଧିକ ଲାଭ ପାଉଥିଲେ ଦୋକାନୀ। ତେଣୁ ରାଜଗଡ଼ର ଏହି ଗୋପାଳ ଜର୍ଦ୍ଦାର ଡିମାଣ୍ଡ ଅଧିକ ରହିଥିଲା।

ଦୀର୍ଘଦିନରୁ କେନ୍ଦ୍ରାପଡ଼ା ବଜାରରେ ପୁର୍ବ ଅପେକ୍ଷା ଅସଲି ଗୋପାଳ କମ୍ପାନିର ମାଲ କମ୍ ସେଲ ହେଉଥିଲା। ସନ୍ଦେହ ହେବାରୁ କମ୍ପାନି ଏହା ପଛରେ ଗୁଇନ୍ଦା ଲଗାଇଥିଲା। ନକଲି ଜର୍ଦ୍ଦା କେଉଁଠୁ ଆସୁଛି ତାହା କମ୍ପାନିର ଗୁଇନ୍ଦା ଗୋପାଳ କମ୍ପାନିକୁ ରିପୋର୍ଟ କରିଥିଲା। ଏହି ରିପୋର୍ଟ ଆଧାରରେ ଗୋପାଳ ଜର୍ଦ୍ଦା କମ୍ପାନିର ଏମଡି କେ.ଏସ୍. ଚୌହାନ୍ କେନ୍ଦ୍ରାପଡ଼ା ଏସ୍ ପି ନିତିଶେଖରଙ୍କ ଦୃଷ୍ଟିକୁ ଆଣିଥିଲେ। ଏହା ପରେ ଆରମ୍ଭ ହୋଇଥିଲା ଚଢ଼ାଉ।

ଗିରଫ ଅଭିଯୁକ୍ତ ସାଜିଦ୍ ରାଜା ଓ ସଞ୍ଜୟ ମଲିକଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଟ ଧାରା ୪୨୦, ୨୭୨, ୨୭୩ ଓ ସିଗାରେଟ ଏବଂ ଟବାକୋ ଆକ୍ଟ ୨୦୦୩ରେ ମାମଲା ଋଜୁ କରି କୋର୍ଟ ଚଲାଣ କରିଛି ପୋଲିସ। ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ନେଇ ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ସୂଚନା ଦେଇଛନ୍ତି।

Comment