ଓଡ଼ିଶାଲାଇଭ୍‌ ବ୍ୟୁରୋ

କେନ୍ଦ୍ର ବିରୋଧରେ ରଣହୁଙ୍କାର ଦେଲା ବିଜେଡି।

ଦିଲ୍ଲୀରେ ଶୁଭିଲା ଓଡ଼ିଶା ସ୍ୱର। ୨୦୧୩ରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଦିଲ୍ଲୀରେ ରଣହୁଙ୍କାର ଦେଇଥିବା ବିଜେଡି ଏବେ ପୁଣି କୃଷକଙ୍କ ଅଧିକାରକୁ ନେଇ ଦିଲ୍ଲୀରେ ଲଢ଼େଇ କରିଛି।

ଖାଲି ଫରକ ଏତିକି ୨୦୧୩ରେ କେନ୍ଦ୍ରରେ ଉପା ସରକାର ଥିବା ବେଳେ ଏବେ ଶାସନରେ ରହିଛି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର। ଓଡ଼ିଶାର ସ୍ୱର ଦିଲ୍ଲୀରେ ପହଞ୍ଚି ପାରୁନି ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ତାହାକୁ ଭୁଲ୍ ପ୍ରମାଣିତ କରିଛନ୍ତି ନବୀନ। ୬ ବର୍ଷ ଭିତରେ ଦୁଇ ଦୁଇ ଥର ଦିଲ୍ଲୀରେ ରଣହୁଙ୍କାର ଦେଇ ନବୀନ ଓଡ଼ିଶାର ସ୍ୱରକୁ ଶାଣିତ କରିଛନ୍ତି।

ଫାଇଲ୍ ଫଟୋ

୨୦୧୩ ଜୁନ୍ ୧୨ ତାରିଖ। ଏହିଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କେନ୍ଦ୍ର ବିରୋଧରେ ଲଢ଼େଇ କରିଥିଲା। ଦିଲ୍ଲୀର ରାମଲୀଳା ମଇଦାନରେ ଓଡ଼ିଶାର ୩୦ ହଜାର ସାଧାରଣ ଲୋକଙ୍କୁ ନେଇ ନବୀନ ସ୍ୱାଭିମାନ ରାଲି କରିଥିଲେ।

ଦିଲ୍ଲୀରେ ଏହି ରାଲି ଆୟୋଜନ କରିବାର ଏକମାତ୍ର ଉଦ୍ଦେଶ୍ୟ ଥିଲା – ‘ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା’। ବାରମ୍ବାର ଦାବି ସତ୍ତ୍ୱେ କେନ୍ଦ୍ର ସରକାର ଏହି ଦାବି ନଶୁଣିବାରୁ ନବୀନ ଦିଲ୍ଲୀରେ ଶକ୍ତି ପ୍ରଦର୍ଶନ କରି ଓଡ଼ିଶାର ସ୍ଥିତିକୁ ଜାହିର୍ କରିଥିଲେ।

୨୦୧୪ ସାଧାରଣ ନିର୍ବାଚନର ଠିକ୍ ବର୍ଷକ ପୂର୍ବରୁ ନବୀନ କେନ୍ଦ୍ର ବିରୋଧରେ ଏହି ଯୁଦ୍ଧ ଡାକରା ଦେଇଥିଲେ। ଏହାକୁ ଆଧାର କରି ନିର୍ବାଚନ ଲଢ଼ିଥିଲେ ନବୀନ। ବିପୁଳ ଭୋଟରେ ମଧ୍ୟ ବିଜୟୀ ହୋଇଥିଲେ। ସେବେଠାରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି କେନ୍ଦ୍ର ଦରବାରରେ ପଡ଼ି ରହିଛି।

ଉପା ସରକାର ଯାଇ କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନଡିଏ ସରକାର ରହିଛି। ହେଲେ ଓଡ଼ିଶାର ସ୍ୱର କେନ୍ଦ୍ର ବିରୋଧରେ ନରମି ନାହିଁ। କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରି ବାରମ୍ବାର ରାଜରାସ୍ତାକୁ ଓହ୍ଲାଇଥିବା ବିଜେଡି ୨୦୧୯ ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବଡ଼ ଧରଣର ସମାବେଶ କରିଛି।

ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ କୃଷକମାନଙ୍କ ପାଇଁ କେନ୍ଦ୍ର ବିରୋଧରେ ଲଢ଼େଇ କରିଛନ୍ତି ନବୀନ ପଟ୍ଟନାୟକ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରୁ ନଥିବାରୁ ନବୀନ ଆଜି କେନ୍ଦ୍ର ବିରୋଧରେ ମନଭରି ବର୍ଷିଥିଲେ। ଏହାସହ ସନ୍ଧ୍ୟାରେ ବିଜେଡି ନେତା ଏବଂ କର୍ମୀ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଥିଲେ।

୨୦୧୩ରେ ଉପା ଏବଂ ଏବେ ଏନଡିଏ ବିରୋଧରେ ଦିଲ୍ଲୀରେ ରଣହୁଙ୍କାର ଦେଇ ନବୀନ ଗୋଟିଏ କଥା ପ୍ରମାଣିତ କରିବାକୁ ଚାହୁଁଛନ୍ତି ଯେ ‘ଆମେ ସମଦୂରତା’ରେ ରହିଛୁ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ଦିଲ୍ଲୀରେ ସ୍ୱାଭିମାନ ରାଲି କରି ୨୦୧୪ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବିଜେଡି ଏବେ ଏନଡିଏ ବିରୋଧରେ ସ୍ୱର ଉତ୍ତଳନ କରି ୨୦୧୯ ନିର୍ବାଚନ ନଦୀ ପାର୍ ହେବାକୁ ଚାହୁଁଛି।

Comment