ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

  • ଦିଲ୍ଲୀ ତାଲକୋଟରା ଷ୍ଟାଡିୟମରୁ କେନ୍ଦ୍ରକୁ ଟାର୍ଗେଟ
  • ଆମେ କରିଛୁ ପ୍ରତିଶ୍ରୁତି ପାଳନ : ନବୀନ
  • ଚାଷୀଙ୍କୁ ଠକିଲେ କେନ୍ଦ୍ର ସରକାର
  • ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି କରୁଛି ଲଢ଼େଇ

“ଆମେ ଯାହା ପ୍ରତିଶ୍ରୁତି ଦେଇଥିଲୁ ତାହା ପୂରଣ କରିଛୁ। ହେଲେ ୨୦୧୪ ନିର୍ବାଚନ ବେଳେ କେନ୍ଦ୍ରର ବିଜେପି ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହିଁ। କ୍ଷମତାକୁ ଆସିବା ପରେ ନିଜ ଦାୟିତ୍ୱରେ ଅବହେଳା କରିଛି କେନ୍ଦ୍ର ସରକାର। କିନ୍ତୁ କେନ୍ଦ୍ର ସରକାର ନିଜ ଦାୟିତ୍ୱରୁ ହଟି ପାରିବେ ନାହିଁ।”

ଦିଲ୍ଲୀରେ ମୋଦି ସରକାରଙ୍କୁ ଏମିତି ଢଙ୍ଗରେ ଜୋରଦାର ଟାର୍ଗେଟ କରିଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରୁ ନବୀନ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଥିଲେ।

ଚାଷୀଙ୍କ ସ୍ୱାର୍ଥ ରକ୍ଷା ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ବିଜେଡି ଦିଲ୍ଲୀରେ କରିଛି କୃଷକ ଅଧିକାର ସମାବେଶ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଜାତୀୟ ରାଜଧାନୀ ଦିଲ୍ଲୀରେ ରଣହୁଙ୍କାର ଦେଇଛି। ହଜାର ହଜାର ଚାଷୀଙ୍କୁ ନେଇ ନବୀନ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ।

ନବୀନ କହିଥିଲେ, “ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଆମେ ଦାବି କରିଥିଲୁ। ଏନେଇ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରିଥିଲୁ। କିନ୍ତୁ କେନ୍ଦ୍ର ସରକାର ଦାବି ଶୁଣିଲେ ନାହିଁ। ଚାଷୀଙ୍କ ହକ୍ ପାଇଁ ଆମେ ଲଢ଼େଇ ଜାରି ରଖିଛୁ। ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେଡି ସବୁବେଳେ ଉଦ୍ୟମ କରି ଆସୁଛି।”

କୃଷକ ଅଧିକାର ସମାବେଶରେ ବିଜେଡିର ସମସ୍ତ ସାଂସଦ ଏବଂ ଆଗଧାଡ଼ିର ବିଧାୟକ ସାମିଲ ହୋଇଛନ୍ତି। ନବୀନଙ୍କ ସମେତ ବିଜେଡି ନେତାମାନେ ମୋଦି ସରକାରଙ୍କ ଉପରେ ମନଭରି ବର୍ଷିଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ବାରମ୍ବାର ଉପେକ୍ଷା କରି ଆସୁଥିବା ବିଜେଡି ନେତାମାନେ କହିଥିଲେ।

ନବୀନ ଆହୁରି କହିଥିଲେ ଯେ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ‘କାଳିଆ’ ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ସବୁବର୍ଗର ଚାଷୀ ଉପକୃତ ହେବେ। ରାଜ୍ୟ ସରକାର ୧୦ ଲକ୍ଷ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା କରିଥିବାରୁ କେନ୍ଦ୍ର ସରକାର ତୁରନ୍ତ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ନବୀନ ଦାବି କରିଥିଲେ।

Comment