ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତ ସାଢ଼େ ୪ ବର୍ଷର ମୋଦି ସରକାରଙ୍କ ଶାସନ ସମୟରେ ସୁପ୍ରିମକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ହୋଇଛି। ହେଲେ ଏମିତି ବହୁ ମାମଲା ରହିଛି ଯାହାକୁ ସୁପ୍ରିମକୋର୍ଟ ଖାରଜ କରିବା ସହ ରଦ୍ଦ କରିଦେଇଛନ୍ତି।

ବହୁଚର୍ଚ୍ଚିତ ସିବିଆଇ ବିବାଦ ମାମଲାରେ ସିଭିସି ରିପୋର୍ଟକୁ ସୁପ୍ରିମକୋର୍ଟ ରଦ୍ଦ କରିବା ସହ ଆଲୋକ ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଭାବେ ପୁନଃ ଅବସ୍ଥାପିତ କରିଛନ୍ତି। ଆଲୋକ ବର୍ମା ଏବଂ ରାକେଶ ଆସ୍ଥାନା ବିବାଦ ମାମଲାରେ କେନ୍ଦ୍ର ସରକାର ଉଭୟଙ୍କୁ ଲମ୍ବା ଛୁଟିରେ ପଠାଇଲେ। ଏହି ମାମଲାରେ ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ବଡ଼ ଝଟକା ଲାଗିଛି।

ଖାଲି ସେତିକି ନୁହେଁ, ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି କୋର୍ଟ।

ଏବେ ଆସନ୍ତୁ ଜାଣିବା କେଉଁ ଗୁରୁତ୍ୱପୂର୍ଣ୍ଣ ମାମଲାକୁ ସୁପ୍ରିମକୋର୍ଟ କରିଛନ୍ତି ରବ୍ଦ।

ଆଧାର ବୈଦ୍ଧତା ମାମଲାରେ ଝଟକା

ଆଧାର କାର୍ଡ ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଅତ୍ୟାବଶ୍ୟକ ସେବାରେ ଆଧାର ଲାଗୁ ନିୟମକୁ ବେଆଇନ ଦର୍ଶାଇଥିଲେ। ସ୍କୁଲ, ସିବିଏସଇ ପରୀକ୍ଷା, ବ୍ୟାଙ୍କ ଖାତା, ମୋବାଇଲ ସିମ୍, ଜେଇଇ, କ୍ୟାଟ୍ ଏବଂ ନିଟ୍ ଭଳି ପରୀକ୍ଷାରେ ଆଧାର କାର୍ଡ ଜରୁରୀ ନୁହେଁ ବୋଲି କୋର୍ଟ ରାୟରେ କହିଥିଲେ। ବ୍ୟାଙ୍କ ଖାତାରେ ଆଧାର ଲିଙ୍କ୍ ପାଇଁ ଗ୍ରାହକଙ୍କ ଉପରେ ଚାପ ପକାଇ ପାରିବେ ନାହିଁ ବୋଲି କହିଥିଲେ କୋର୍ଟ। କିନ୍ତୁ ରାସନ କାର୍ଡ, ପ୍ୟାନ୍ କାର୍ଡ, ଆୟକର ରିଟର୍ଣ୍ଣ, ବୃଦ୍ଧାବସ୍ଥା ପେନସନ, ଦିବ୍ୟାଙ୍ଗ ପେନସନ ପାଇଁ ଆଧାର କାର୍ଡ ଆବଶ୍ୟକ ବୋଲି କୋର୍ଟ କହିଥିଲେ।

ଏସ୍‌ସି/ଏସ୍‌ଟି ଆକ୍ଟରେ ବି ଝଟକା

ଏସସି/ଏସଟି ଆକ୍ଟରେ ପରିବର୍ତ୍ତନ କରି ବିବାଦଘେରକୁ ଆସିଥିଲେ ମୋଦି ସରକାର। ଦେଶବ୍ୟାପୀ ଜନ ଆକ୍ରୋଶ ଦେଖାଦେବା ପରେ କେନ୍ଦ୍ର ସରକାର ୨୦୧୭ ଏପ୍ରିଲରେ ସୁପ୍ରିମକୋର୍ଟ ପୁନର୍ବିଚାର ଆବେଦନ ଦାଖଲ କରିଥିଲେ।

ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ କାଏମ ରହି ପୁନର୍ବିଚାର ଆବେଦନକୁ ଖାରଜ କରିଥିଲେ। ଏସ୍‌ସି/ଏସ୍‌ଟି ଆକ୍ଟ ଜରିଆରେ ତୁରନ୍ତ ଗିରଫଦାରୀ ଉପରେ ରୋକ୍ ଲଗାଇବା ନେଇ ରାୟ ଦେଇଥିଲେ ସୁପ୍ରିମକୋର୍ଟ।

ଏହାକୁ ନେଇ ଦେଶବ୍ୟାପୀ ଦଳିତ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା। ୨୦୧୭ ଏପ୍ରିଲ ୨ରେ ଭାରତ ବନ୍ଦ ପାଳନ ସହ ହିଂସା, ହଙ୍ଗାମା ଭଳି ଘଟଣା ସାମ୍ନାକୁ ଆସିଥିଲା। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ପୁନର୍ବିଚାର ଆବେଦନ ଦାଖଲ କରିଥିଲେ। ଏହାକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ।

ମଣିପୁରରେ ଏଏଫ୍‌ଏସ୍‌ପିଏ ମାମଲା

ଏପ୍ରିଲ ୨୦୧୭ରେ ମଣିପୁରର ଏଏଫ୍‌ଏସ୍‌ପିଏ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ କୁରୋଟିଭ୍ ପିଟିସନକୁ ଖାରଜ କରିଦେଇଥିଲେ। ନିୟମରେ ପରିବର୍ତ୍ତନ କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏଥିରେ କୁହାଯାଇଥିଲା, ସେନା କିମ୍ବା ପୋଲିସକୁ ଅତ୍ୟଧିକ ବଳ ପ୍ରୟୋଗ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। ମଣିପୁରରେ ସେନା ଦ୍ୱାରା ହେଉଥିବା ଏନକାଉଣ୍ଟର ବିରୋଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ ଯାଇଥିଲେ।

Comment