ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମହାମେଣ୍ଟକୁ ନା କହି ସମଦୂରତା କାର୍ଡ ଖେଳିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ମହାମେଣ୍ଟରେ ସାମିଲ ହେବନି ବିଜେଡି। ଏହି ଚର୍ଚ୍ଚାରେ ଆଜି ପୂର୍ଣ୍ଣଛେଦ ପକାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମଙ୍ଗଳବାର ନୂଆଦିଲ୍ଲୀରେ ମହାମେଣ୍ଟ ପ୍ରସଙ୍ଗରେ ‘ସମୟ ଦରକାର’ କହିଥିବା ନବୀନ ବୁଧବାର ଭୁବନେଶ୍ଵରରେ କାହିଁକି ନା କହିଲେ ତାକୁ ନେଇ କାରଣ ଖୋଜା ଚାଲିଛି।

ତେବେ ନବୀନଙ୍କ ‘ନା’ରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡି ପୁଣି ସମଦୂରତା କାର୍ଡ ଖେଳିଛି।

ବିଜେପିକୁ ଚେକ୍ ଦେବା ପାଇଁ ଏକାଠି ହେଉଛନ୍ତି ମୋଦି ବିରୋଧୀ। ଏହାର ନେତୃତ୍ୱ ନେଉଛି କଂଗ୍ରେସ। ବିଭିନ୍ନ ରାଜ୍ୟରେ ଥିବା ବିଜେପି ବିରୋଧୀ ଆଞ୍ଚଳିକ ଦଳମାନଙ୍କୁ ଏକାଠି କରି ୨୦୧୯ ନିର୍ବାଚନ ପୂର୍ବରୁ ମହାମେଣ୍ଟ ଗଠନ କରିବାକୁ କଂଗ୍ରେସ ଉଦ୍ୟମ କରୁଛି। ହେଲେ କଂଗ୍ରେସର ଏହି ପ୍ରସ୍ତାବିତ ମହାମେଣ୍ଟକୁ ବଡ଼ ଝଟ୍‌କା ଲାଗିଛି ଉତ୍ତରପ୍ରଦେଶରେ। କଂଗ୍ରେସକୁ ବାଦ୍‌ ଦେଇ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜବାଦୀ ପାର୍ଟି ଭିତରେ ଆସନ ବୁଝାମଣା ହୋଇଛି। କଂଗ୍ରେସ ଏଠାରେ ନିରାଶ ହୋଇଛି।

କଂଗ୍ରେସ ମହାମେଣ୍ଟ ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଫେଡେରାଲ ଫ୍ରଣ୍ଟ ଗଠନ ଉପରେ ଜୋର୍ ଦେଉଛନ୍ତି। କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତା ରକ୍ଷା କରୁଥିବା ଦଳମାନଙ୍କୁ ଏହି ଫ୍ରଣ୍ଟରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି କେସିଆର୍।

ଏନେଇ କେସିଆର୍ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ସମର୍ଥନ ଲୋଡ଼ିଥିଲେ। କେସିଆର୍ ନବୀନ ନିବାସରେ ମଧ୍ୟ ଗୋଟିଏ ରାତି ରହିଥିଲେ। ଏହାପରେ ଚର୍ଚ୍ଚା ବଢ଼ିଥିଲା ଯେ ବିଜେପି ଏବଂ କଂଗ୍ରେସ ବିରୋଧୀ ମେଣ୍ଟରେ ସାମିଲ ହେବ ବିଜେଡି। କିନ୍ତୁ ଏହି ଚର୍ଚ୍ଚାରେ ଗାର ଟାଣିଛନ୍ତି ନବୀନ।

କାହିଁକି ନା କହିଲେ?

୨୦୧୪ରୁ ସମଦୂରତା ମନ୍ତ୍ର ଜପି ଆସୁଛି ବିଜେଡି। କଂଗ୍ରେସ ଏବଂ ବିଜେପିଠାରୁ ସମାନ ଦୂରତା ରଖି ଆସୁଥିବା କଥା ବାରମ୍ବାର କହି ଆସୁଥିଲେ ନବୀନ। ହେଲେ ୨୦୧୯ ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ମୋଦିଙ୍କ ଖୋର୍ଦ୍ଧା ଏବଂ ବାରିପଦା ସମାବେଶ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିବା ରାଜନୀତି କରିଡରରେ ଚର୍ଚ୍ଚା ହେଉଛି।

ତାଳଚେର ଏବଂ ଝାରସୁଗୁଡ଼ା ସମାବେଶରେ ଗରମ ଆଭିମୁଖ୍ୟ ଦେଖାଇଥିବା ନବୀନ ଖୋର୍ଦ୍ଧା ଓ ବାରିପଦା ସମାବେଶରେ ନରମ ଆଭିମୁଖ୍ୟ ଦେଖାଇଥିଲେ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ, କିନ୍ତୁ ନବୀନ କିମ୍ବା ବିଜେଡିର ନାଁ ନେଇ ନଥିଲେ ମୋଦି।

ମୋଦି କାହିଁକି ନରମ ହେଲେ ବୋଲି ରାଜନୀତି ପଣ୍ଡିତ କାରଣ ଖୋଜୁଥିବା ବେଳେ ସଂସଦରେ ସବର୍ଣ୍ଣ ସଂରକ୍ଷଣ ବିଲ୍ ପାସ୍ ପାଇଁ ଜୋରଦାର ଚର୍ଚ୍ଚା ହେଲା। ଏହାକୁ ବିଜେଡି ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସମର୍ଥନ କଲା।

୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ପ୍ରତି ମୋଦିଙ୍କ ଆଭିମୁଖ୍ୟ ବଦଳୁ ଥିବାରୁ ବିଜେଡି ମହାମେଣ୍ଟଠାରୁ ଦୂରେଇ ରହିବାକୁ ଉଚିତ୍ ମନେ କରିଥିବା ଚର୍ଚ୍ଚା ହେଉଛି।

ବିଜେଡି ନେତାମାନେ ଅଣକଂଗ୍ରେସ ରାଜନୀତିରେ ବିଶ୍ୱାସ କରି ଆସୁଥିବାରୁ କଂଗ୍ରେସର ପ୍ରସ୍ତାବିତ ମହାମେଣ୍ଟକୁ ସବୁଜ ସଙ୍କେତ ଦେଇନି।

ଖାଲି ସେତିକି ନୁହେଁ, ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ବେଳେ ମଧ୍ୟ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇ ଚର୍ଚ୍ଚାରେ ରହିଥିଲା।

“କଂଗ୍ରେସ ସହିତ ବିଜେଡିର ଭିତିରି ବୁଝାମଣା ରହିଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲୋକଙ୍କୁ ବିଭ୍ରାନ୍ତି କରିବା ପାଇଁ ସମଦୂରତା କଥା କହିଛନ୍ତି”, କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା।

ବିଜେଡି-ବିଜେପି ମଧ୍ୟରେ ୯ ବର୍ଷ ଧରି ମେଣ୍ଟ ରହିଥିଲା। ହେଲେ ୨୦୦୯ରେ ମେଣ୍ଟ ଭାଙ୍ଗି ଯାଇଥିଲା। ସେବେଠାରୁ ବିଜେପି ଏବଂ ବିଜେଡି ଭିତରେ ଛକାପଞ୍ଝା ଚାଲିଛି। ୨୦୧୯ରେ ଉଭୟ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବେ। ଏଥିପାଇଁ ଏବେଠୁ ଉଭୟ ପାର୍ଟି ଭିତରେ ବଳ କଷାକଷି ଚାଲିଛି।

“ବିଜେପି ସହ ୯ ବର୍ଷ ହେଲା ବିଜେଡି ମେଣ୍ଟ ଶାସନ ଚଳାଇଥିଲା। ଉଭୟଙ୍କ ଭିତରେ ଏବେ ବି ଭଲ ସମ୍ପର୍କ ରହିଛି। ଲୋକଦେଖାଣିଆ ଭାବେ ନବୀନ ସମଦୂରତା କଥା କହୁଛନ୍ତି”, କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Comment