ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶୁକ୍ରବାର ଦିଲ୍ଲୀର ରାମଲୀଳା ମଇଦାନରେ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ଅନୁଷ୍ଠିତ ହେବ।

ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଦିଲ୍ଲୀ ସିଂହାସନ ପୁଣି ଅକ୍ତିଆର କରିବାକୁ ବିଜେପି ଶିବିରରେ ଚାଲିଛି ଜୋରଦାର ପ୍ରସ୍ତୁତି। ୨୦୧୪ ନିର୍ବାଚନ ପରି ୨୦୧୯ ନିର୍ବାଚନ ବିଜେପି ପାଇଁ ଏତେ ସହଜ ହେବ ନାହିଁ ବୋଲି ବିଭିନ୍ନ ମହଲରେ ମତପ୍ରକାଶ ପାଉଛି।

ବିରୋଧୀଙ୍କ ରଣନୀତିକୁ ମାତ୍ ଦେଇ କେମିତି ଦିଲ୍ଲୀ ସିଂହାସନ ବିଜେପି ଅକ୍ତିଆର କରିବ ସେନେଇ ଚିନ୍ତା ବଢ଼ିଛି। ଏନେଇ ଶୁକ୍ରବାର ରାମଲୀଳା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତା ବିଜୟ ମନ୍ତ୍ର ଫୁଙ୍କିବେ ମୋଦି।

ଏହି ବୈଠକରେ ଦେଶବ୍ୟାପୀ ପାଖାପାଖି ୧୨ ହଜାର ପ୍ରମୁଖ କାର୍ଯ୍ୟକର୍ତ୍ତା ସାମିଲ ହେବେ। କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ମିଶନ-୨୦୧୯’ ପାଇଁ  ନିର୍ବାଚନୀ ମନ୍ତ୍ର ଦେବେ। ହିନ୍ଦୀ ଭାଷାଭାଷୀ ତିନି ରାଜ୍ୟ ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ କଂଗ୍ରେସଠାରୁ ପରାଜିତ ହେବା ପରେ ବିଜେପିର ରାଷ୍ଟ୍ରୀୟ ପରିଷଦ ବୈଠକ ବହୁ ଗୁରୁତ୍ୱ ବହନ କରୁଛି।

ରାଷ୍ଟ୍ରୀୟ ପରିଷଦ ବୈଠକରେ ବିସ୍ତୃତ ରୂପ ଦେବା ବିଜେପି ପାଇଁ ଏହା ପ୍ରଥମ ସୁଯୋଗ। ବୈଠକରେ ସମସ୍ତ ଲୋକସଭା କ୍ଷେତ୍ରର ପାଖାପାଖି ୧୦ ଜଣ ଲେଖାଏଁ ପ୍ରମୁଖ ନେତା ସାମିଲ ହେବେ।

ବୈଠକରେ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଏବଂ  ପରିଷଦ ସଦସ୍ୟ ସାମିଲ ରହିବେ। ବୈଠକରେ ରାଜନୈତିକ, ଆର୍ଥିକ ପ୍ରସଙ୍ଗ ସମେତ ତିନିଟି ପ୍ରମୁଖ ପ୍ରସ୍ତାବ ପାରିତ କରିବାର ସମ୍ଭାବନା ରହିଛି। ରାମମନ୍ଦିର ପ୍ରସଙ୍ଗରେ ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିପାରେ।

ଏହାଛଡ଼ା ବୈଠକରେ କଂଗ୍ରେସ ଓ ବିଜେପି ଶାସନକାଳରେ ହୋଇଥିବା ବିକାଶ କ୍ଷେତ୍ରରେ ଆଲୋଚନା ହେବ। କଂଗ୍ରେସର ଷାଠିଏ ବର୍ଷ ବନାମ ବିଜେପି କରିଥିବା ସାଢ଼େ ୪ ବର୍ଷ ଶାସନର ସଫଳତା, ଦୁର୍ନୀତି ବିଷୟରେ ଆଲୋଚନା ହେବ।

ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ତାର ବିଭିନ୍ନ କାର୍ଯ୍ୟପନ୍ଥା ଆପଣାଇଛି। ଭାରତୀୟ ଯୁବ ମୋର୍ଚ୍ଚା ଏବଂ ମହିଳା ମୋର୍ଚ୍ଚା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଜେପିର ଅନୁସୂଚିତ ଜନଜାତି ମୋର୍ଚ୍ଚାର ବୈଠକ ଦୁଇ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

ଫେବ୍ରୁଆରୀ ୨ ଓ ୩ରେ ଅନୁଷ୍ଠିତ ବୈଠକରେ ଯୋଗଦେବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେହିପରି ଓବିସି ମୋର୍ଚ୍ଚାର ବୈଠକ ଫେବ୍ରୁଆରୀ ୧୫ ଓ ୧୬ରେ ଦୁଇ ଦିନ ଧରି ପାଟନାରେ ଅନୁଷ୍ଠିତ ହେବ। ଫେବ୍ରୁଆରୀ ୨୧ ଓ ୨୨ରେ ବିଜେପି କିଷାନ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନ  ଉତ୍ତରପ୍ରଦେଶରେ ଅନୁଷ୍ଠିତ ହେବ।

Comment