ଓଡ଼ିଶାଲାଇଭ୍‌ ବ୍ୟୁରୋ

ପର୍ଯ୍ୟଟନ କ୍ଷେତ୍ର ହୁକିଟୋଲାକୁ ବିନା ପଞ୍ଜିକରଣ ଡଙ୍ଗାରେ ପର୍ଯ୍ୟଟକମାନଙ୍କୁ ନେବେ ଆଣିବା ଉପରେ କଟକଣା ଲଗାଇଛି ବନ ବିଭାଗ। ଏଣିକି ଆଉ ମାଛଧରା ଡଙ୍ଗାରେ ପର୍ଯ୍ୟଟ ମାନଙ୍କୁ ନେଇ ପାରିବେନି ଡଙ୍ଗା ଚାଳକ। ଗତ ୨ ତାରିଖରେ ହୁକିଟୋଲାରୁ ଫେରୁଥିବା ପର୍ଯ୍ୟଟକଙ୍କ ଡଙ୍ଗା ନିପାଣିଆ ନିକଟରେ ବୁଡ଼ି ଯିବାପରେ ୧୦ ଜଣ ପର୍ଯ୍ୟଟକଙ୍କ ପ୍ରାଣହାନି ପରେ ବନ ବିଭାଗ ଏହି କଟକଣା ଲଗାଇବାକୁ ଯାଉଛି।

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ହୁକିଟୋଲା ପର୍ଯ୍ୟଟନ କ୍ଷେତ୍ରର ସ୍ୱତନ୍ତ୍ରତା ରହିଛି। ମହାନଦୀ ଏଇଠି ସମୁଦ୍ରକୁ ଛୁଇଁଛି। ସମୁଦ୍ର ଆଉ ନଦୀର ମୁହାଣରେ ସୃଷ୍ଟି ହୋଇଛି ଦ୍ୱୀପପୁଞ୍ଜ। ହୁକିଟୋଲା ସମୁଦ୍ରର ମଝି ଆଡ଼କୁ ରହିଥିବା ଏକ ବିରଳ ଦ୍ୱୀପ। ସମୁଦ୍ର ମଝିରେ ଏହି ଦ୍ୱୀପରେ ରହି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଉପଭୋଗ କରିବାର ନିଆରା ମଜା ନିଅନ୍ତି ପର୍ଯ୍ୟଟକମାନେ।

ସମୁଦ୍ର ମଝିରେ ସୁର୍ଯ୍ୟୋଦୟ ଓ ସୁର୍ଯ୍ୟାସ୍ତର ମନୋରମ ଦୃଶ୍ୟ ପ୍ରକୃତିପ୍ରେମୀମାନଙ୍କୁ ଆମୋଦିତ କରିଥାଏ।

ଏହାଛଡ଼ା ସମୁଦ୍ର ମଝିରେ ଲୁଣା ଜଙ୍ଗଲ ଘେରା ବିଶାଳ ବ୍ରିଟିଶ ବଙ୍ଗଳା ଉପରେ ରହି ସମୁଦ୍ରର ଘୁ ଘୁ ଗର୍ଜନର ଶବ୍ଦ ପର୍ଯ୍ୟଟକଙ୍କୁ ଆନମନା କରିଦିଏ। ହୁକିଟୋଲାକୁ ଯିବା ପାଇଁ ଦୀର୍ଘ ସମୟର ଜଳଯାତ୍ରା ପର୍ଯ୍ୟଟକମାନଙ୍କୁ ନିଆରା ମଜା ଦେଇଥାଏ। ତା’ ସାଙ୍ଗକୁ ସମୁଦ୍ର ମଝିରେ ବଣ ଭୋଜିର ଆସର ପର୍ଯ୍ୟଟକଙ୍କୁ ବାରମ୍ବାର ଆସିବାକୁ ମତୁଆଲା କରିଥାଏ। ହେଲେ ହୁକିଟୋଲାରୁ ଏତେସବୁ ସୌନ୍ଦର୍ଯ୍ୟ ଓ ଆନନ୍ଦ ସାଉଣ୍ଟୁଥିବା ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟଟନ ଏବଂ ବନ ବିଭାଗ କୌଣସି ବ୍ୟବସ୍ଥା କରି ନାହାନ୍ତି। ଏଠାକୁ ଯିବା ପାଇଁ ପର୍ଯ୍ୟଟକମାନେ ମାଛଧରା ଡଙ୍ଗା ଉପରେ ନିର୍ଭର କରି ଆସୁଛନ୍ତି।

ଗତ ୨ ତାରିଖରେ ହୁକିଟୋଲାରୁ ପର୍ଯ୍ୟଟକମାନେ ଏକ ମାଛଧରା ଡଙ୍ଗାରେ ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ନିପାଣିଆଠାରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ି ଯାଇଥିଲା।

୫୫ ଜଣ ପର୍ଯ୍ୟଟକ ପାଣିରେ ବୁଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ପ୍ରାଣହାନି ଘଟିଥିଲା।  ଫଳରେ ମାଛଧରା ଡଙ୍ଗାରେ ଆସିବାକୁ ଭୟ କରୁଛନ୍ତି ପର୍ଯ୍ୟଟକମାନେ।

ନିପାଣିଆ ନିକଟରେ ଡଙ୍ଗାବୁଡିରେ ୧୦ ଜଣଙ୍କର ପ୍ରାଣହାନି ହେବା ପରେ ବନ ବିଭାଗର ନିଦ ଭାଙ୍ଗିଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପ୍ରଧାନ ମୁଖ୍ୟ ବନସଂରକ୍ଷକ ସନ୍ଦୀପ ତ୍ରିପାଠୀ ଗତ ୭ ତାରିଖରେ ନୌକା ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରିଛନ୍ତି। ହୁକିଟୋଲାକୁ ପର୍ଯ୍ୟଟକମାନେ ଆସିବାକୁ କେବଳ ମାଛଧରା ଡଙ୍ଗା ଉପରେ ନିର୍ଭର କରିଥାନ୍ତି ବୋଲି ଗହୀରମଥା ବନବିଭାଗ ଅବଗତ କରାଇଛି।

ଏହା ଜାଣିବା ପରେ ମୁଖ୍ୟ ବନସଂରକ୍ଷକ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ପର୍ଯ୍ୟଟକମାନଙ୍କୁ ବୁହାଇବା ବେଆଇନ ବୋଲି କହିଛନ୍ତି। ଅନ୍ତର୍ଦ୍ଦେଶିୟ ଜଳ ପରିବହନ ବିଭାଗ (IWT) ଦ୍ୱାରା ପଞ୍ଜିକୃତ ଡଙ୍ଗାରେ କେବଳ ପର୍ଯ୍ୟଟକମାନଙ୍କୁ ନେବା ଆଣିବା କରିବା ପାଇଁ ସଚେତନତା କରାଇବାକୁ ମୁଖ୍ୟ ବନସଂରକ୍ଷକ ଗହୀରମଥା ବନବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପର୍ଯ୍ୟଟନ କେନ୍ଦ୍ରକୁ ପାରାଦୀପ, କୁଜଙ୍ଗ, ଖରିନାସୀ ଓ ଜମ୍ବୁ ଆଦି ଅଞ୍ଚଳରୁ ପର୍ଯ୍ୟଟକମାନେ ମତ୍ସ୍ୟଜୀବୀଙ୍କ ଡଙ୍ଗାରେ ଆସିଥାନ୍ତି। ଏହି ସବୁ ସ୍ଥାନମାନଙ୍କରେ ଗହୀରମଥା ବନବିଭାଗ ଡଙ୍ଗା ମାଲିକ ଓ ଡଙ୍ଗା ଚାଳକମାନଙ୍କୁ ସଚେତନ କରିବ। ଆଇନ କାନୁନ ସମ୍ପର୍କରେ ଅବଗତ ହେବାପରେ ଯଦି କେହି ବିନା ପଞ୍ଜିକୃତ ଡଙ୍ଗାରେ ପର୍ଯ୍ୟଟକମାନଙ୍କୁ ହୁକିଟୋଲା ନେବା ଆଣିବା କରନ୍ତି ତେବେ ବନବିଭାଗ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ କରିବାକୁ ଯେତେ ସବୁ ଯୋଜନା କରିଛନ୍ତି ହୁକିଟୋଲା ସେଥି ମଧ୍ୟରୁ ବାଦ୍ ପଡ଼ିଛି। ହୁକିଟୋଲାକୁ ଯିବା ଆସିବା କରିବାକୁ ପର୍ଯ୍ୟଟନ ବିଭାଗ କିମ୍ବା ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମଟର ବୋଟ ହେଉ କି ଆହୁଲା ଚାଳିତ ଡଙ୍ଗା ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି। ଯଦି ପର୍ଯ୍ୟଟନ ବିଭାଗ ଏଠାରେ ପର୍ଯ୍ୟଟନର ବିକାଶ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନକରେ ତେବେ ପର୍ଯ୍ୟଟନ ମାନଚିତ୍ରରୁ ହୁକିଟୋଲା ଦୂରେଇ ଯିବ।

Comment