ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫାଇଲ ଫଟୋ

୧୧ଦିନ ଧରି ବରଗଡ଼ରେ ଚାଲିବ କଂସ ମହାରାଜଙ୍କ ରାଜୁତି।

ଆଉ ଦିନକ ପରେ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। ଧନୁଯାତ୍ରା ଲାଗି ବରଗଡ ସହରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି। କେଉଁଠି ତୋରଣ କାମ ଶେଷ ପର୍ଯ୍ୟାୟରେ ତ ଆଉ କେଉଁଠି ମଞ୍ଚ କାମ ଚାଲିଛି।  ଜାନୁଆରୀ ୧୧ରୁ ୨୧ ପର୍ଯ୍ୟନ୍ତ ବରଗଡରେ ଧନୁଯାତ୍ରା ଚାଲିବ।

ବରଗଡ଼ ଧନୁଯାତ୍ରାକୁ ସଫଳ କରିବା ଲାଗି ପ୍ରଶାସନ ତରଫରୁ ସମସ୍ତ ଉଦ୍ୟମ କରାଯାଇଛି। ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପରିଛନ୍ନତା, ଟ୍ରାଫିକ୍‌ ସମସ୍ୟା, ଆଲୋକୀକରଣ ଉପରେ ଅନେକ ପଦକ୍ଷେପ ନିଆଯାଇଛି। ଜିଲ୍ଲାପାଳଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି।

ବରଗଡ଼ ଧନୁଯାତ୍ରାକୁ ସଫଳ କରିବା ପାଇଁ ବରଗଡ଼ ପୌରପରିଷଦର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ଥାଏ। ତେଣୁ ପାଖାପାଖି ଏକ ମାସ ହେବ ରାସ୍ତା ମରାମତି, ସହରର ପରିମଳ ବ୍ୟବସ୍ଥା, ଡ୍ରେନ୍‌ ସଫେଇ କାମରେ ପୌର କର୍ମଚାରୀମାନେ ଲାଗି ପଡ଼ିଛନ୍ତି।

ଅମ୍ବାପାଲିରେ ବି ଚାଲିଛି ଜୋରଦାର ପ୍ରସ୍ତୁତି

କେବଳ ବରଗଡ଼ ସହର ନୁହେଁ, ଅମ୍ବାପାଲି ଗାଁରେ ମଧ୍ୟ ଜୋରସୋର୍ ପ୍ରସ୍ତୁତି ଚାଲିଛି। ଆଧୁନିକ ଗାଁ ଟିଏ ପୁରାଣର ଗୋପପୁରରେ ପରିଣତ ହେବାକୁ ଯାଉଛି ଲୋକମାନଙ୍କ ଦ୍ୱାରା। କେଉଁଠି ତୋରଣ ତ କେଉଁଠି ପାଚେରିରେ ପଟ୍ଟଚିତ୍ର, ମୁରୁଜ ପକାଇ ଧନୁଯାତ୍ରାକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚାଲିଛି। ମଞ୍ଚ ପ୍ରସ୍ତୁତିରେ ଅମ୍ବାପାଲିବାସୀ ଦିନରାତି ଲାଗି ପଡ଼ିଛନ୍ତି।

କମ୍ପୁଛି ଆଖଡ଼ା ଶାଳ

ଧନୁଯାତ୍ରାର ନାଟକୀୟତାକୁ ଉଚ୍ଚାଙ୍ଗ କରିବା ପାଇଁ ଉଭୟ ବରଗଡ଼ ଓ ଅମ୍ବାପାଲିରେ ସ୍ୱତନ୍ତ୍ର ଭାବେ ‘ରିଅଲ୍‌ସାଲ୍’ ଜୋର୍‌ସୋର୍‌ରେ ଚାଲିଛି। ଅଭିନେତା ଓ ଅଭିନେତ୍ରୀମାନେ ନିଜ ନିଜ ଅଭିନୟକୁ ନେଇ ପ୍ରସ୍ତୁତି ଚଳାଇଛନ୍ତି। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ନୂତନ ପ୍ରୟୋଗର ପରୀକ୍ଷାନିରୀକ୍ଷା ଚାଲିଛି। ଏଥିସହିତ ଧନୁଯାତ୍ରାର ପ୍ରାୟ ୫୭ଟି ରଙ୍ଗମଞ୍ଚକୁ ଜୀବନ୍ତ କରି ତୋଳିବାରେ ଦକ୍ଷ କାରିଗରମାନେ ମାତି ଯାଇଛନ୍ତି।

Comment