ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମୁଖ୍ୟ ପଦରେ ପୁନଃ ଅବସ୍ଥାପିତ ହୋଇଥିଲେ ଆଲୋକ ବର୍ମା। ବୁଧବାର ଦାୟିତ୍ୱ ଗ୍ରହଣ କରିବା ପରେ କେତେକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବ ଅନ୍ତରୀଣ ମୁଖ୍ୟ ଏମ. ନାଗେଶ୍ୱର ରାଓଙ୍କ ଦ୍ୱାରା କରାଯାଇଥିବା ବଦଳି ଆଦେଶଗୁଡିକୁ ବର୍ମା ବାତିଲ କରିଦେଇଛନ୍ତି। ବର୍ମାଙ୍କ ଟିମରେ ଥିବା ୧୦ଜଣ ଅଧିକାରୀଙ୍କୁ ନାଗେଶ୍ୱର ରାଓ ବଦଳି କରିଥିଲେ।

ସିବିଆଇର ନଂ ୨ ରାକେଶ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗର ତଦନ୍ତ କରୁଥିବା ସମସ୍ତ ଅଧିକାରୀ ଓ ତାଙ୍କ ଘନିଷ୍ଠ ସହଯୋଗୀଙ୍କ ବଦଳି ଆଦେଶକୁ ଶ୍ରୀ ବର୍ମା ପ୍ରତ୍ୟାହାର କରିନେଇଛନ୍ତି।

ପୂର୍ବରୁ ବଦଳି ହୋଇଥିବା ଅଫିସରଙ୍କ ମଧ୍ୟରେ ଡେପୁଟି ଏସ୍‌ପି ଏକେ ବସି, ଡିଆଇଜି ଏମ୍‌କେ ସିହ୍ନା, ଏସ୍‌ପି ଏସ୍‌ଏସ୍‌ ଗ୍ରୁମ୍‌ ଓ ଯୁଗ୍ମ ନିର୍ଦ୍ଦେଶକ ଏକେ ଶର୍ମା ରହିଥିଲେ। ଏହି ସମସ୍ତ ଅଫିସରମାନେ ଶ୍ରୀ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ମାମଲାର ତଦନ୍ତ କରୁଥିଲେ। କିନ୍ତୁ ସରକାର ଉଭୟ ଶ୍ରୀ ବର୍ମା ଏବଂ ଶ୍ରୀ ଆସ୍ଥାନାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇବା ପରେ ଏହି ଅଫିସରମାନଙ୍କର ବଦଳି ହୋଇଥିଲା।

ବର୍ମାଙ୍କୁ ପୁନଃ ଦାୟିତ୍ୱ ମିଳିଥିଲେ ମଧ୍ୟ ସେ କୌଣସି ବଡ଼ ନିଷ୍ପତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ।

ଆଲୋକ ବର୍ମା ଆସନ୍ତା ୩୧ତାରିଖ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ କି ନାହିଁ ତାହା ଚୟନ କମିଟି ବୈଠକରେ ନିଷ୍ପତି ନିଆଯିବାକୁ ଥିବାବେଳେ ପ୍ରଧାନବିଚାରପତି ରଞ୍ଜନ ଗୋଗଇ ଏହି ବୈଠକରୁ ଓହରି ଯାଇଛନ୍ତି। ବୈଠକରେ ଯୋଗ ଦେବାକୁ ସେ ଜଷ୍ଟିସ୍ ଏ.କେ, ସିକ୍ରିଙ୍କ ନାମକୁ ସୁପାରିଶ୍ କରିଛନ୍ତି।

Comment