ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାତ ରାନ୍ଧିବା ପାଇଁ ଚୂଲି କି ଗ୍ୟାସ ଦରକାର ହୁଏନି। ଗରମ ପାଣି ନୁହେଁ ଥଣ୍ଡା ପାଣିରେ ହୋଇଯାଉଛି ଭାତ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ପଶ୍ଚିମବଙ୍ଗରେ ଏବେ ଉନ୍ନତ କିସମର ଧାନ ଚାଷ ହେଉଛି। ଏହି କିସମର ଧାନର ନାଁ ରହିଛି ‘କମଲ’। ଏହି ଚାଉଳର ବିଶେଷତ୍ୱ ହେଉଛି ସାମନ୍ୟ ଥଣ୍ଡା ପାଣିରେ ଏହାକୁ ପକାଇଲେ ଖୁବ୍‌ ଅଳ୍ପ ସମୟ ମଧ୍ୟରେ ପ୍ରସ୍ତୁତ ହୋଇଯାଉଛି ଭାତ।

ପଶ୍ଚିମବଙ୍ଗର ବର୍ଦ୍ଧମାନ, ନଦିଆ ସମେତ ବହୁ ସ୍ଥାନରେ ଏହି ଧାନ ଚାଷ କରାଯାଉଛି। ଜିଲ୍ଲା କୃଷି ସହାୟକ ନିର୍ଦ୍ଦେଶକଙ୍କ କହିବା ଅନୁସାରେ ଏହି ଧାନ ପ୍ରାୟତଃ ବ୍ରହ୍ମପୁତ୍ର ନଦୀ ଉପକୂଳବର୍ତ୍ତୀ ମାଞ୍ଜୁଳି ଦ୍ୱୀପରେ ଚାଷ କରାଯାଇଥାଏ। ଧାନକୁ ଜଣେ ଚାଷୀ ବଙ୍ଗଳାକୁ ଆଣି ଚାଷ କରିଥିଲେ। ଏବେ ପଶ୍ଚିମବଙ୍ଗ ସରକାର ଏହାକୁ ବ୍ୟବସାୟିକ ଉତ୍ପାଦନରେ ପ୍ରୋତ୍ସାହିତ କରିବାକୁ ଘୋଷଣା କରିଛନ୍ତି। ନଦିଆ ଜିଲ୍ଲା ଅଞ୍ଚଳରେ ପାଖାପାଖି ୧୦ ହେକ୍ଟର ଚାଷ ଜମିରେ ଏହି ଧାନ ଚାଷ କରାଯାଉଛି।

ବହୁ ବର୍ଷ ପୂର୍ବେ ସୈନିକମାନେ ଏହି ଧାନ ଚାଷ କରୁଥିବା କହିଛନ୍ତି ଚାଷୀ। ଯୁଦ୍ଧ ସମୟରେ ଖାଇବା ପାଇଁ ସମୟ ଅଭାବରୁ ସୈନିକମାନେ ଏହି ଚାଉଳର ବ୍ୟବହାର କରୁଥିଲେ। ଏଥିପାଇଁ ସେମାନେ ଥଣ୍ଡା ପାଣିରେ ଭାତ ରାନ୍ଧୁଥିଲେ।

ଅନ୍ୟ ଚାଉଳ ଅପେକ୍ଷା ଏଥିରେ କାର୍ବୋହାଇଡ୍ରେଟ, ପ୍ରୋଟିନ ଭଳି ପୌଷ୍ଟିକ ତତ୍ତ୍ୱ ରହିଛି। ଏହି ‘କମଲ’ ଚାଉଳର ମୂଲ୍ୟ କେଜି ପିଛା ୬୦ରୁ ୮୦ ଟଙ୍କା ବିକ୍ରି ହେଉଛି। ଯାହାଫଳରେ ଭଲ ଲାଭ ହେଉଥିବା କହିଛନ୍ତି ଚାଷୀ।

Comment