ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଦ ଫେରି ପାଇବାର ମାତ୍ର ୩୬ ଘଣ୍ଟା ପରେ ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଛନ୍ତି ଆଲୋକ ବର୍ମା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଦୁଇ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିଥିବା ସିଲେକ୍ଟ କମିଟି ବୈଠକରେ ଏହି ନିଷ୍ପତ୍ତି ୨-୧ ଭୋଟରେ ନିଆଯାଇଛି।

ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଓ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଏ କେ ସିକ୍ରି ଉପସ୍ଥିତ ଥିଲେ। ପଦରୁ ହଟାଇବା ପୂର୍ବରୁ ବର୍ମାଙ୍କୁ ନିଜ ପକ୍ଷ ରଖିବାକୁ ଦାବି କରିଥିଲେ ଖଡଗେ। ପଦରୁ ହଟିବା ପରେ ଆଲୋକ ବର୍ମାଙ୍କୁ ଅଗ୍ନିଶମ ଡିଜି ଭାବେ ନୂତନ  ଦାୟିତ୍ୱ ଦିଆଯାଇଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ନିଜ ପଦ ଫେରିପାଇଥିଲେ ଆଲୋକ ବର୍ମା। ମାତ୍ର ୩୬ ଘଣ୍ଟା ପଦରେ ରହିବା ଭିତରେ ସେ କାମଚଳା ନିର୍ଦ୍ଦେଶକ ନାଗେଶ୍ୱର ରାଓ ନେଇଥିବା ବଦଳି ନିଷ୍ପତ୍ତିକୁ ବାତିଲ କରିବା ସହିତ ୫ ଜଣ ଅଧିକାରୀଙ୍କୁ ବଦଳି କରିଦେଥିଲେ।

ଦୁର୍ନୀତି ମାମଲାର ସମ୍ମୁଖୀନ ହୋଇଥିବା ଆଲୋକ ବର୍ମା ସରକାରଙ୍କ ନିର୍ଦ୍ଦେଶକ୍ରମେ ଦୀର୍ଘ ୭୭ ଦିନ ଛୁଟିରେ ରହିବା ପରେ ଗତ ବୁଧବାର ଦିନ ନିଜ ପଦ ଫେରି ପାଇଥିଲେ।

Comment