ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଉ କିଛି ଘଣ୍ଟାର ପ୍ରତୀକ୍ଷା ପରେ ଆରମ୍ଭ ହେବ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା। କଂସ ମହାରାଜାଙ୍କ ସଂଳାପରେ କମ୍ପିବ ମୁକ୍ତାକାଶ ମଞ୍ଚ। ଜାନୁଆରୀ ୨୧ ତାରିଖ ଯାଏଁ ଚାଲିବ ଏହି ଧନୁଯାତ୍ରା। ଏଥିପାଇଁ ବରଗଡ଼ ସହରକୁ ଆକର୍ଷଣୀୟ ଭାବେ ସଜା ଯାଇଛି। ନିଜ ନିଜର ଅଭିନୟକୁ ଦର୍ଶକଙ୍କ ସାମ୍ନାରେ ନିଖୁଣ ଭାବେ ପ୍ରଦର୍ଶନ କରିବା ପାଇଁ କଳାକାରମାନେ ପ୍ରସ୍ତୁତ ହୋଇ ରହିଛନ୍ତି।

୨୦୧୭-୧୮ ବର୍ଷରୁ ଧନୁଯାତ୍ରାରେ କଂସ ଭୂମିକାରେ ଭୁବନେଶ୍ୱର ପ୍ରଧାନ ଅଭିନୟ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ସେ କଂସ ଭୂମିକାରେ ଅଭିନୟ କରିବେ।

ଧନୁଯାତ୍ରାକୁ ସବୁଦିଗରୁ ସଫଳ କରିବା ପାଇଁ ପ୍ରଶାସନିକ ଓ ବେସରକାରୀ ସ୍ତରରେ ଉଦ୍ୟମ ଶେଷ ହୋଇଛି। ଆୟୋଜକ କମିଟିର ମୁଖ୍ୟ ତଥା ବରଗଡ଼ ଜିଲ୍ଲାପାଳ ସବ-କମିଟିମାନଙ୍କୁ ନେଇ ଧନୁଯାତ୍ରା ଅଗ୍ରଗତିର ସମୀକ୍ଷା କରିଥିଲେ। ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼କୁ ଆଖି ଆଗରେ ରଖି ଜିଲ୍ଲା ପୋଲିସ ତରଫରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଏବଂ ଟ୍ରାଫିକ୍ ସମସ୍ୟା ଯେପରି ସୃଷ୍ଟି ନ ହୁଏ ତା’ଉପରେ ଜୋର୍ ଦିଆଯାଇଛି।

ଏପଟେ ଅମ୍ବାପାଲ୍ଲି ଗାଁରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ୧୧ ଦିନ ପାଇଁ ଅମ୍ବାପାଲ୍ଲି ଗାଁ ଗୋପପୁର ପାଲଟିଯାଏ। କୃଷ୍ଣ-ବଳାରାମ ଏହିଠାରେ ଲୀଳାଖେଳା କରି ମଥୁରା ଯାତ୍ରା କରିଥାନ୍ତି।

” ଚଳିତ ବର୍ଷର ଧନୁଯାତ୍ରାରେ ଦର୍ଶକମାନେ ନୂଆ ସଂଳାପ, ଉଚ୍ଚକୋଟୀର ଅଭିନୟ ଏବଂ ଉଚ୍ଚକୋଟୀର ଅସ୍ତ୍ର ପରିଚାଳନା ଦେଖିବାକୁ ପାଇବେ। ଭାବ, ଭଙ୍ଗୀ ଏବଂ ଠାଣୀ ଏବର୍ଷ ଆହୁରି ଉଚ୍ଚକୋଟୀର ହେବ। ଏଣୁ ଦର୍ଶକମାନେ ନିଶ୍ଚିତ ଭାବେ ଚଳିତ ବର୍ଷ ଧନୁଯାତ୍ରାକୁ ଉପଭୋଗ କରିବେ”, ଓଡ଼ିଶାଲାଇଭ୍‌କୁ କହିଛନ୍ତି କଂସ ମହାରାଜା।

Comment