ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ନବୀନ ପଟ୍ଟନାୟକ କହୁଛନ୍ତି ଆମେ ମହାମେଣ୍ଟରେ ଯୋଗ ଦେବୁ ନାହିଁ। ଧର୍ମେନ୍ଦ୍ର ପ୍ରଧାନ କହୁଛନ୍ତି ଆମେ ଏକଲା ଲଢ଼ିବୁ। ନିରଞ୍ଜନ ପଟନାୟକ କହୁଛନ୍ତି ବିଜେପି ଓ ବିଜେଡି ଉଭୟେ ଉଭୟଙ୍କୁ ଖୁବ୍ ଭଲ ପାଆନ୍ତି।

ଓଡ଼ିଶାର ରାଜନୀତି ଏବେ ଏକ ରୋଚକ ସ୍ଥିତିରେ ପହଞ୍ଚିଛି। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ କୃଷକ ସମାବେଶରେ ଯୋଗ ଦେବାକୁ ଦିଲ୍ଲୀ ଯାଇଥିଲେ। ସେଠି ରୋକଠୋକ କହିଥିଲେ ଯେ ଦଳର ନୀତି ଅନୁସାରେ ଉଭୟ ବିଜେପି ଓ କଂଗ୍ରେସଠାରୁ ବିଜେଡି ସମଦୂରତ୍ୱ ବଜାୟ ରଖିଆସିଛି ଓ ରଖିଚାଲିବ ମଧ୍ୟ। ଏ କଥା କହିବା ବେଳେ ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ୨୦୧୯ ଲୋକସଭା ନିର୍ବାଚନରେ ସେ କୌଣସି ଗଠବନ୍ଧନ ବା ମେଣ୍ଟରେ ବିଜେଡି ଯୋଗ ଦେବା ପ୍ରଶ୍ନ ଉଠୁନାହିଁ।

ସତ କହିବାକୁ ଗଲେ ବିଜେଡି ଏହି ନୀତିକୁ ଅବଲମ୍ବନ କରି ଆସିଛି, କିନ୍ତୁ ସୁବିଧା ସୁଯୋଗ ଦେଖି। କଂଗ୍ରେସ ସହିତ ବିଜେଡିର କୌଣସି ସମ୍ପର୍କ ରହି ନାହିଁ କି ଆଗକୁ ବି ରହିବ ନାହିଁ ଏଥିରେ ବିଶ୍ୱାସ କରିବା କଷ୍ଟ। ଏହି କାରଣରୁ  ଓଡ଼ିଶାରେ  କଂଗ୍ରେସ ହିଁ ବିଜେଡିର ଶତ୍ରୁ। ଖାସ୍‌ ଏଥି ସକାଶେ ପିସିସି ସଭାପତି ନିରଞ୍ଜନ ପଟନାୟକ ବରାବର କହି ଆସୁଛନ୍ତି ଯେ ନବୀନ ପଟ୍ଟନାୟକ ବିଜେପି ସହିତ ଭଲ ସଂପର୍କ ରଖି ଆସିଛନ୍ତି ଓ ସମଦୂରତ୍ୱ କେବଳ ଧର୍ମକୁ ଆଖିଠାର। ଏହାକୁ ନିରଞ୍ଜନ ନାମ ଦେଇଛନ୍ତି ନବୀନଙ୍କ ‘ଆତ୍ମସୁରକ୍ଷା ନୀତି।’

୨୦୦୯ ପରଠାରୁ ଓଡ଼ିଶାରେ ହୁଏତ ବିଜେପିଠାରୁ ବିଜେଡି ଦୂରେଇ ଯାଇଛି। କିନ୍ତୁ ବିଭିନ୍ନ ସମୟରେ କେନ୍ଦ୍ରରେ ମୋଦି ସରକାରଙ୍କୁ ସହଯୋଗର ହାତ ବଢ଼ାଇ ଆସିଛି। ଏଣୁ କେନ୍ଦ୍ର ବିରୁଦ୍ଧରେ ବିଜେଡିର ଯାବତୀୟ ପ୍ରକାର କଡ଼ା ଶବ୍ଦର କୌଣସି ଅର୍ଥ ହିଁ ରହିନାହିଁ। ଓଡ଼ିଶାରେ ବିଜେପି ଓ ବିଜେଡିର ସମ୍ପର୍କ ଭାରତର ରାଜନୀତିରେ ଏକ ନୂଆ ସଂଜ୍ଞା ସୃଷ୍ଟି କରିଛି – ‘ଏଠି ଶତ୍ରୁ କିନ୍ତୁ ସେଠି ମିତ୍ର’। ମଜା କଥା ହେଉଛି ଏହି ‘ଦିନରେ ବସନ୍ତ, ରାତିରେ ବାସନ୍ତୀ’ ସ୍ଥିତିର ବେଶୀ ଫାଇଦା ଶାସକ ବିଜେଡିକୁ ହିଁ ଯାଇଛି।

ଏହି ଦିମୁହାଁ ପରିସ୍ଥିତିରେ ଓଡ଼ିଶା ବିଜେପିର ନେତାମାନେ ବାସ୍ତବରେ ବେଶୀ ଭାଣ୍ଡିଆ ହୋଇଛନ୍ତି। ବିଜେପିର କେନ୍ଦ୍ର ନେତାମାନଙ୍କ ‘କେତେବେଳେ ନରମ ତ କେତେବେଳେ ଗରମ’ ନୀତି ନା ପଦ୍ମ ଦଳର ସ୍ଥିତିକୁ ସୁଦୃଢ଼ କରିଛି ନା ଲୋକଙ୍କ ଧାରଣାକୁ ବଦଳାଇ ପାରିଛି। ଏହି ବିରୋଧାଭାସ ଯଦି ଏମିତି ଚାଲୁ ରହେ ଆସନ୍ତା ନିର୍ବାଚନରେ ବିଜେପି ସବୁଠାରୁ ବେଶୀ କ୍ଷତିରେ ପଡ଼ିବ ଏହା ନିଶ୍ଚିତ।

ଦିଲ୍ଲୀ ଧାରଣା ଅବସରରେ ନବୀନ ପଟ୍ଟନାୟକ ଯେଉଁ କେନ୍ଦ୍ର ବିରୋଧୀ ମନ୍ତବ୍ୟ ଦେଇଥିଲେ ତାହାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖଣ୍ଡନ କରିବା ସହ ନିଜର ବିଫଳତାକୁ ନବୀନ କେନ୍ଦ୍ର ଉପରେ ଲଦିବାକୁ ଚାହୁଁଛନ୍ତି ବୋଲି କହିବା ବେଳେ ଜଣେ ସାମ୍ବାଦିକ ଯେତେବେଳେ ଧର୍ମେନ୍ଦ୍ରଙ୍କୁ ପଚାରିଲେ ଓଡ଼ିଶା ବିଜେପିର ନେତାମାନେ ଭୁବନେଶ୍ୱରରେ ବିଜେଡି ସହିତ ମୁହାଁମୁହିଁ ହେଉଛନ୍ତି ଅଥଚ ଦିଲ୍ଲୀରେ ସେଭଳି କିଛି ଅସୁବିଧା ଥିବା ଭଳି ଜଣାପଡୁନାହିଁ, ଏହାର ଜବାବରେ ଧର୍ମେନ୍ଦ୍ର ଏହା ଆଦୌ ଠିକ୍ ନୁହେଁ ବୋଲି କହିଥିଲେ।’ ଆମର ସମାଲୋଚନା କରିବାର ତରିକା ତାଙ୍କଠାରୁ (ବିଜେଡି) ଅଲଗା। ଆମେ ଭଦ୍ରୋଚିତ ଭାବରେ ତାଙ୍କର ବିଫଳତାକୁ ସାମ୍ନାକୁ ଆଣିଛୁ’ ବୋଲି ଧର୍ମେନ୍ଦ୍ରଙ୍କ ଯୁକ୍ତି ଥିଲା। ‘ପ୍ରଧାନମନ୍ତ୍ରୀ ଅନ୍ୟ ମାନଙ୍କ ଭଳି ଅଶାଳୀନ ହୋଇପାରିବେ ନାହିଁ ‘ ବୋଲି ଧର୍ମେନ୍ଦ୍ର କହିଥିଲେ। ଆଗାମୀ ନିର୍ବାଚନରେ ବିଜେଡି ସହିତ ବିଜେପି କୌଣସି ସମ୍ପର୍କ ରଖିବ ନାହିଁ ଏବଂ ଓଡ଼ିଶାରେ ମୋଦିଙ୍କ ଲୋକପ୍ରିୟତା ଢେର ଉପରେ ରହିଛି ବୋଲି ଧର୍ମେନ୍ଦ୍ର ଦୋହରାଇଥିଲେ।

ସୁତରାଂ, ଯାହା କ୍ରମଶଃ ସ୍ପଷ୍ଟ ହେଉଛି ଏଥର ଓଡ଼ିଶାରେ ବିଧାନସଭା ଓ ଲୋକସଭା ନିର୍ବାଚନରେ ଲଢ଼େଇ ତିନି ଦଳ ଭିତରେ ହେବ ଓ ଜୋରଦାର ବି ହେବ। ଏହି ତ୍ରିକୋଣୀୟ ମୁକାବିଲାରେ କିଏ କାହାର ଭୋଟ ଖାଇବ ତାହା ନିର୍ବାଚନ ସମୟରେ ହିଁ ଜଣା ପଡ଼ିବ।

Comment