ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆରମ୍ଭ ହେଲା ବରଗଡ଼ ଧନୁଯାତ୍ରା। ପ୍ରଥମ ଦିନରେ ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି ରାଜ ସିଂହାସନରେ ବସିଲେ କଂସ।

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ୧୧ ଦିନ ପାଇଁ ବରଗଡ଼ ସହର ମଥୁରା ନଗରୀ ପାଲଟିଥିବା ବେଳେ ଅମ୍ବାପାଲି ଗାଁ ଗୋପୁର ଏବଂ ଜୀରା ନଈ ଯମୁନା ନଦୀରେ ପରିଣତ ହୋଇଛି।

ଉଦଘାଟନୀ ଉତ୍ସବ ଅବସରରେ ଶନିବାର ଅପରାହ୍ଣ ୨ଟାରୁ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ କଳାକାର, ଧନୁଯାତ୍ରା କମିଟି ସଦସ୍ୟ ସାମିଲ ହୋଇ ଗାନ୍ଧିଛକସ୍ଥିତ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ଏବଂ ସହରରେ ଥିବା ଅନ୍ୟ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ଶୋଭାଯାତ୍ରା ନଗର ପରିକ୍ରମା କରି ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିଥିଲା।

ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟିର ସଭାପତି ଇନ୍ଦ୍ରମଣୀ ତ୍ରିପାଠୀ, ଏସ୍‌ପି ମୁକଶେ କୁମାର ଭାମୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ଧନୁଯାତ୍ରାର ଆବାହକ ସୁରେଶ୍ୱର ଶତପଥୀଙ୍କ ଉପସ୍ଥିତରେ ସାଂସ୍କୃତିକ ଶୋଭାଯାତ୍ରା ଉଦଘାଟିତ ହୋଇଥିଲା।

ପାରମ୍ପରିକ ବାଦ୍ୟ, ତାଳ, ନୃତ୍ୟ, ଗୀତରେ ଶେଭାଯାତ୍ରା ସମଲେଶ୍ୱରୀ ମନ୍ଦିରରେ ପହଞ୍ଚିବା ପରେ ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ସନ୍ଧ୍ୟାରେ ହାଟପଦାସ୍ଥିତ କଂସ ଦରବାର ଉଦଘାଟିତ ହୋଇଥିଲା।

କଂସ ଦରବାର ଉଦଘାଟନ ବେଳେ ଜିଲ୍ଲାପାଳ ଇନ୍ଦ୍ରମଣୀ ତ୍ରିପାଠୀ, ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ଲୋକସଭା ସାଂସଦ ପ୍ରଭାସ ସିଂ, ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ନାଟକ ଆରମ୍ଭ ହୋଇଥିଲା।

ପ୍ରଥମ ଦିନରେ ଦେବକୀ, ବସୁଦେବଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଭଉଣୀ ଦେବକୀ ଏବଂ ଭିଣୋଇ ବସୁଦେବଙ୍କୁ ରଥରେ ଯୁବରାଜ କଂସ ନେଇ ଯାଉଥିବା ବେଳେ ହଠାତ୍ ଶୂନ୍ୟବାଣୀ ହୋଇଥିଲା। ଦେବକୀର ଅଷ୍ଟମ ଗର୍ଭ ସନ୍ତାନ କଂସ ପାଇଁ କାଳକଣ୍ଟକ ବୋଲି ଶୂନ୍ୟବାଣୀ ହେବା ପରେ ଉତ୍‌କ୍ଷୀପ୍ତ ହୋଇଯାଇଥିଲେ କଂସ।

ଦେବକୀ-ବସୁଦେବଙ୍କୁ କାରାଗାରରେ ରଖି ଉଗ୍ରେସନଙ୍କୁ ଗାଦିଚ୍ୟୁତ କରି କଂସ ରାଜ ସିଂହାସନରେ ବସିଥିଲେ।

ଦ୍ୱିତୀୟ ଦିନ କଂସ ମହାରାଜା ରଙ୍ଗମହଲ ଉଦଘାଟନ କରିବେ। କୃଷ୍ଣଙ୍କ ଜନ୍ମ, କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା ଏବଂ ଉଗ୍ରେସନ ଭେଟ ଆଦି ନାଟକ ପରିବେଷଣ ହେବ।

Comment