ଓଡ଼ିଶାଲାଇଭ୍‌ ବ୍ୟୁରୋ

“ସବୁ ବିରୋଧୀ ଏବେ ହାତ ମିଳାଇଛନ୍ତି। ତାଙ୍କ ଟାର୍ଗେଟରେ କେବଳ ଜଣେ ଲୋକ। ହେଲେ ବିରୋଧୀଙ୍କ ରଣନୀତି ସଫଳ ହେବନି। କାରଣ ଦେଶ ଚାହୁଁଛି ମଜଭୁତ ସରକାର ଏବଂ ବିରୋଧୀ ଚାହୁଁଛନ୍ତି ‘ମଜବୁରୀ’ ସରକାର”, ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଚାଲିଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀର ଆଜି ଥିଲା ଶେଷ ଦିନ। ଏହି ଅବସରରେ ମୋଦି ବିଜେପିର କର୍ମକର୍ତ୍ତାଙ୍କୁ ୨୦୧୯ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।

ଦେଶକୁ ଦରକାର ଭଲ ପ୍ରଧାନସେବକ

ଜାତୀୟ ଅଧିବେଶନରେ ମୋଦି ସିଧାସଳଖ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଦେଶକୁ ଜଣେ ଭଲ ପ୍ରଧାନସେବକ ଦରକାର ବୋଲି ମୋଦି କହିଥିଲେ।

ଦେଶର ସମ୍ପତ୍ତି ଚୋରି କରି ନିଜ ପରିବାରରେ ବାଣ୍ଟୁଥିବା ଲୋକଙ୍କୁ ପ୍ରଧାନ ସେବକ କରିବାକୁ ଆପଣ ଚାହିଁବେ କି? ନିଜ ଘର କଥା ପଡ଼ୋଶୀଙ୍କ ଆଗରେ କହୁଥିବା ଲୋକଙ୍କୁ ଆପଣ ପ୍ରଧାନସେବକ କରିବାକୁ ଚାହିଁବେ କି? – ଜାତୀୟ ଅଧିବେଶନ ମଞ୍ଚରୁ ସାଧାରଣ ଲୋକଙ୍କୁ ଏହି ପ୍ରଶ୍ନ ପଚାରିଥିଲେ ମୋଦି।

ନିଜ ଘରର ସେବକ ଯେମିତି ଆପଣମାନେ ନିଜେ ସ୍ଥିର କରନ୍ତି ଠିକ୍ ସେମିତି ଦେଶର ସେବକ କିଏ ହେବେ ତାହା ମଧ୍ୟ ଦେଶବାସୀ ନିଷ୍ପତ୍ତି ନେବେ ବୋଲି କହିଥିଲେ ମୋଦି।

ସବୁ ବିରୋଧୀଙ୍କ ଟାର୍ଗେଟରେ ଜଣେ

ଦିନ ଥିଲା କଂଗ୍ରେସର ନୀତି ନିୟମକୁ ଅନ୍ୟ ବିରୋଧୀ ଦଳ ମାନୁ ନଥିଲେ। କଂଗ୍ରେସ ବିପକ୍ଷରେ ସମସ୍ତେ ଏକାଠି ହେଉଥିଲେ। କିନ୍ତୁ ଏବେ ସବୁ ବିରୋଧୀ କଂଗ୍ରେସ ଦଳ ପାଖରେ ଆତ୍ମସମର୍ପଣ କରୁଛନ୍ତି। ଗୋଟିଏ ବ୍ୟକ୍ତିକୁ ହରାଇବା ପାଇଁ ସବୁ ଦଳ ଏକାଠି ହେଉଛନ୍ତି।

ବିଜେପି ଉପରେ ଲୋକଙ୍କ ଭରସା

ଦେଶ ସ୍ୱାଧୀନ ହେବା ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଯଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହାଲେ ଦେଶର ଚିତ୍ର ବଦଳିଥାନ୍ତା। ୨୦୦୦ ମସିହା ପରେ ଯଦି ଅଟଳବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତାହାଲେ ଆଜି ଭାରତ ବହୁତ ଆଗକୁ ଯାଇ ପାରିଥାନ୍ତା। ଗତ ସାଢ଼େ ବର୍ଷର ଶାସନରେ ଭାରତର ଯେଉଁଭଳି ବିକାଶ ହୋଇଛି ସେଥିରେ ବିଜେପି ପ୍ରତି ଲୋକଙ୍କର ଆସ୍ଥା ବଢ଼ିଛି। ଏହି ଅବସରରେ ମୋଦି ଉପାର ୧୦ ବର୍ଷର ଶାସନ ଏବଂ ବିଜେପିର ସାଢ଼େ ୪ ବର୍ଷର ଶାସନ ସମ୍ପର୍କରେ ଅବତାରଣା କରିଥିଲେ।

Comment