ଓଡ଼ିଶାଲାଇଭ ବ୍ୟୁରୋ

ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ। ମୁକ୍ତାକାଶ ମଣ୍ଡପରେ କଳା ପ୍ରଦର୍ଶନ କରୁଛନ୍ତି କଳାକାର। ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ।

(ମାଲକାନଗିରରୁ ଇଶ୍ୱର ପଟ୍ଟନାୟକ)- ଆରମ୍ଭ ହୋଇଛି ମାଲକାନଗିରିର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ। ଏହି ଉତ୍ସବରେ ସାମିଲ ହୋଇଛନ୍ତି ଲାଲଗଡବାସୀ, ନେତା, ବିଧାୟକ ଓ ମନ୍ତ୍ରୀ। ଏହି ମହୋତ୍ସବରେ କଳାକାରମାନେ ମୁକ୍ତାକାଶ ମଣ୍ଡପରେ କଳାକୌଶଳ ପ୍ରଦର୍ଶନ କରିଥାନ୍ତି।

ଚଳିତ ବର୍ଷ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି। ଯେହେତୁ ଏହି ଉତ୍ସବ ମୁକ୍ତାକାଶ ମଣ୍ଡପରେ ହୋଇଥାଏ ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷାବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ସ୍ୱତନ୍ତ୍ର ଯବାନଙ୍କୁ ମୁତୟନ କରାଯାଇଛି।

ମାଲ୍ୟବନ୍ତଗିରି ଯାହା ଆଜିର ମାଲକାନଗିରି ଜିଲ୍ଲା। ମାଲକାନଗିରି ଜିଲ୍ଲା ପ୍ରାକୃତିକ ପରିବେଶକୁ ନେଇ ଯେତିକି ପରିଚିତ ତାହା ଠାରୁ ଅଧିକ ଏଠାରେ ରହୁଥିବା ଆଦିବାସୀଙ୍କ କଳା ଓ ସଂସ୍କୃତି ପାଇଁ। ଜିଲ୍ଲାରେ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ହେଉଛି ଏହି ମାଲ୍ୟବନ୍ତ ମହୋତ୍ସବର ମୂଳ ଉଦ୍ଦେଶ୍ୟ।

ମାଲ୍ୟବନ୍ତ ମହୋତ୍ସବର ମୁକ୍ତ ଆକାଶ ରଙ୍ଗମଞ୍ଚରେ କେବଳ ସ୍ଥାନୀୟ କଳାକାର ନିଜର କଳା ପ୍ରଦର୍ଶନ କରିଥାନ୍ତି ତା ନୁହଁ ବରଂ ରାଜ୍ୟ ତଥା ରାଜ୍ୟ ବାହାରର ଅତିଥି କଳାକାର ପ୍ରଦର୍ଶନ କରିଥାନ୍ତି ସେମାନଙ୍କର କଳା କୌଶଳ।  

ଉଦଘାଟନୀ ସନ୍ଧ୍ୟାରେ ଆସାମର ବିହୁ, କୋତକତାର ଲୋକନୃତ୍ୟ, ସମ୍ବଲପୁର ଲୋକନୃତ୍ୟ, ପୁରୀର ଗୋଟିପୁଅ ନୃତ୍ୟକୁ ମନଭରି ଉପଭୋଗ କରିଥିଲେ ଦର୍ଶକ। ମାଲ୍ୟବନ୍ତ ମହୋତ୍ସବ ମୁକ୍ତାକାଶ ରଙ୍ଗମଞ୍ଚ ପାଲଟି ଯାଇଥିଲା ସଂସ୍କୃତି ଓ କଳାର ମହାକୁମ୍ଭ। କଳା ପ୍ରଦର୍ଶନ କରି କଳାକାରମାନେ ସ୍ଥାନୀୟ ଏବଂ ଅତିଥି କଳାକାର ଉଭୟ ଉଭୟଙ୍କର କଳାକୁ ପ୍ରଶଂସା କରିଥିଲେ।

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝି ଯୋଗଦେଇଥିବା ବେଳେ ସାଂସଦ ବଳଭଦ୍ର ମାଝି, ବିଧାୟକ ମାନସ ମାଡକାମି, ଡମ୍ବରୁଧର ଶିଶା, ଜିଲ୍ଲାପାଳ ମନିଷ ଅଗ୍ରୱାଲ ପ୍ରମୁଖ ଯୋଗ ଦେଇଥିଲେ।

ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାନଙ୍କରେ ଲୁକାୟତ ହୋଇଥିବା ନିଜର କଳା, ସଂସ୍କୃତି ଲୋକଲୋଚନକୁ ଆଣିବା ପାଇଁ ଏଭଳି ଲୋକମହୋତ୍ସବ ଆୟୋଜନ କରାଯିବା କ୍ଷେତ୍ରରେ ସମସ୍ତ ପ୍ରକାର ସହଯୋଗ କରାଯାଉଛି ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି। ମାଲ୍ୟବନ୍ତ ମହୋତ୍ସବ ଅବସରରେ ମହୋତ୍ସବ ପଡିଆରେ ଆୟୋଜନ ହୋଇଛି ପଲ୍ଲିଶ୍ରୀମେଳା। ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟବସାୟୀ ଏଥିରେ ସାମିଲ ହୋଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। କଳା ପଦର୍ଶନ ସହ, ପଲ୍ଲୀଶ୍ରୀ ମେଳା ଓ ଚଟପଟା ଖାଦ୍ୟ ଦର୍ଶକଙ୍କ ମନ ମୋହୁଛି।

Comment