ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ର ଏହି ସ୍ତମ୍ଭ ମାଧ୍ୟମରେ ବିଭିନ୍ନ ବିଷୟରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଓଡ଼ିଶା ଓ ଓଡ଼ିଆ (୧)

ଦେଶଛଡ଼ା ହୋଇ ବାହାରେ ରହିଲେ ଦେଶକଥା ବେଶୀ ମନେପଡ଼େ। ଭାରତବର୍ଷ ଏକ ଅଦ୍ଭୁତ ଦେଶ। ତା’ର ମାଟିର ଆଦର ଅଛି, ମଣିଷର ଭ୍ରାତୃତ୍ଵ ଅଛି। ଏ ଭ୍ରାତୃତ୍ଵ ବହୁକାଳର ଆବର୍ତ୍ତନ ଫଳରେ ପରିଷ୍କୃତ ହୋଇ ପାଣି  ପବନରେ ପ୍ରବେଶ କରିଛି। ଏ ପାଣିପବନରେ ଓଡ଼ିଶା କଥା। ଏହା ଆମର କାହାଣୀ। ଓଡ଼ିଶା ମାଟିର ଡାକ ଅଛି।

ଓଡ଼ିଶା ଦେଶର ଓଡ଼ିଆ ଭାଷା। ଓଡ଼ିଆ ଭାଷା ଆମର ଅନ୍ତରର କାହାଣୀ କହେ। ବିଦେଶରେ ରହିଲେ ଏ କଥା ହୃଦୟଙ୍ଗମ କରିହୁଏ। ତେବେ ଓଡ଼ିଆ କିଏ?

ଓଡ଼ିଆର ପରିଚୟ କଣ? ଆମର କି ପ୍ରକାର ପ୍ରୟୋଗରେ ଆମେ ଓଡ଼ିଆ ବୋଲି ଜଗତରେ ପରିଚିତ ହେବା? ଏ କାହାଣୀ ଖୋଜିବାକୁ ମୁଁ ଏ ପ୍ରବନ୍ଧ ଲେଖୁଛି।

ଭାଇ ନୀଳାମ୍ବର ରଥ ଗଲାବର୍ଷ ପୂଜା ସମୟରେ ଏ ସଂପର୍କରେ ରୂପରେଖ ଦେବାକୁ ପ୍ରସ୍ତାବ ଆଣିଥିଲେ। ତାଙ୍କର ଅନୁରୋଧ ଅନୁସାରେ ମୁଁ ପ୍ରତି ଦୁଇ ସପ୍ତାହରେ ମୋର ଅନୁଶୀଳନ ଏହି ପତ୍ରିକା ମାଧ୍ୟମରେ ପାଠକ ବନ୍ଧୁଙ୍କ ନିକଟରେ ଉପସ୍ଥାପନା କରିବାକୁ ଉଦ୍ୟମ କରିବି। ଓଡ଼ିଆ ଭାଷାର ପ୍ରସାର ଲାଗି ଓ ଓଡ଼ିଆ ଜାତିର ବିକାଶ ଲାଗି ବିଦେଶରୁ ଏହାମୋର ଅର୍ଘ୍ୟ। ଶ୍ରଦ୍ଧେୟ ଭାଇ ଓ ଭଉଣୀମାନେ ମୋର ଏହି ଧାରାବାହିକ ପ୍ରବନ୍ଧକୁ ବିତର୍କ ସହ ଆଗେଇ ନେବେ ବୋଲି ମୋର ଆଶା।

ଓଡ଼ିଆ କିଏ ବୁଝିଲା ଆଗରୁ ଓଡ଼ିଆର ଗୁଣ ବୁଝିବାକୁ ହେବ। ଓଡ଼ିଆର ଗୁଣ ସ୍ଵାଧୀନତା। ସ୍ଵାଧୀନତା ବୋଧ ହୁଏ ମନୁଷ୍ୟର ଗୁଣ, କିନ୍ତୁ ସ୍ଵାଧୀନତା ସାବ୍ୟସ୍ତ କରିବାକୁ ମନୁଷ୍ୟର କ୍ଷମତା ନ ଥାଏ। ଖାଇବା ଖୋରାକି ନ ଥିଲେ ସ୍ଵାଧୀନତା ସାବ୍ୟସ୍ତ କରିବା ଦୁଃସାଧ୍ୟ।

ପାହାଡ଼ପର୍ବତ ଘେରା ହୋଇ ନଈ ଜଳ ସିଞ୍ଚା ହୋଇ ଓଡିଶାର ଭୂଇଁ ଉର୍ବର ରହିଛି। ଏ ଭୂଇଁରେ ଜମିର ଅଭାବ ନାହିଁ, ଖାଦ୍ୟର ଅଭାବ ନାହିଁ। ଖାଦ୍ୟକୁ ନେଇ ଓଡ଼ିଆର ଭେକ। ଓଡ଼ିଆ ମାଗେ ନାହିଁ, ହାତ ପତାଏ ନାହିଁ। ଚାରି କଡ଼ ପରିବର୍ତ୍ତନ ହେଉଥିଲେ ମଧ୍ୟ ଓଡ଼ିଆ ତା’ର ଧର୍ମ, କଳା, ସଂଗୀତରେ ସନ୍ତୁଷ୍ଟ ରହିଛି, ଆବଶ୍ୟକ ହେଲେ ଯୁଦ୍ଧ କରିଛି। ତେବେ ଶେଷକୁ କୂଟ କୌଶଳରେ ଏବଂ ବାଣିଜ୍ୟ କଟକଣାରେ ହାରି ଯାଇଛି।

ଏ ଅଦ୍ଭୁତ ସ୍ଵାଧୀନତା କିପରି ହେଲା, ଆଉ ତା’ ପରେ କିପରି ଭାବେ ଏ ବିପୁଳ ସ୍ଵାଧୀନତା ସଂପଦ ହଜିଗଲା, ତା’ର ପୂରା ତଦନ୍ତ ଏ ପର୍ଯ୍ୟନ୍ତ ହୋଇନାହିଁ।

ଆମେ ଜାଣୁ ଯେ ବହୁ କାଳ ତଳେ – ପ୍ରାୟ ସତୁରୀ ହଜାର ବର୍ଷ ହେବ – ଲୋକେ ପଶ୍ଚିମରୁ ଆସି ମହାନଦୀ ଉପକୂଳରେ ବାସ କରୁଥିଲେ। ସମତଳ ଭୂଇଁ, ନଈପାଣି, ଓ ଭଲ ଜଳବାୟୁ ଲୋକମାନଙ୍କୁ ହିତକର ହେଲା। ଲୋକମାନେ ଚାଷ ଆବିଷ୍କାର କଲେ।

ଭୂଇଁରେ ଧାନ ଚାଷ ହେଲା। ଧାନ ପରେ ବିରି, ମୁଗ, କୋଳଥ ଓ ମାଣ୍ଡିଆ ଚାଷ ହେଲା। ଦେଶ ଖାଦ୍ୟରେ ଭରି ଗଲା। ସେତେବେଳର ଭାଷା ଆମେ ଜାଣିନାହୁଁ। ତେବେ ଏବେ ଯାହାକୁ ଆମେ ଭାଷା ବୋଲି କହୁଛୁ ତା’ର ସୂତ୍ରପାତ ସେହି ସମୟରୁ ହୋଇଥିବାର ଅନୁମାନ କରାଯାଉଅଛି।

ପ୍ରତ୍ୟେକ ପଦାର୍ଥର ଗୋଟିଏ ଧ୍ଵନିଗତ ପ୍ରତ୍ୟୟ ଅଛି। ଏ ଧ୍ଵନି ମନୁଷ୍ୟଗତ। ତେଣୁ ଗଛ, ସୂର୍ଯ୍ୟ ବା ପାଣିର ମୂଳ ଧ୍ଵନିଗତ ଉତ୍ପତ୍ତି ମନୁଷ୍ୟକୃତ ଏବଂ ତାକୁ ମୁଣ୍ଡା ଭାଷା ବୋଲି କୁହାଯାଉଅଛି।

ଏ ମୁଣ୍ଡା ଭାଷା ପୃଥିବୀରେ ବର୍ତ୍ତମାନ ଚଳୁଥିବା ବଡ଼ ଭାଷାମାନଙ୍କର ମୂଳ ଭାଷା। ତେବେ ଏ ପୁରାତନ ଭାଷାକୁ ଆମେ ଆବିଷ୍କାର କରିନାହୁଁ। କିଛି ଆକ୍ଷରିକ ଧ୍ଵନିକୁ ଆମେ ଧାତୁ ଆକାରରେ କେବଳ ଗ୍ରହଣ କରିଛୁ। ଏହାର ଉତ୍ପତ୍ତି କିପରି ହେଲା, ଆମେ ଗବେଷଣା କରିନାହୁଁ।

ଏ ପୁରୁଣା ଜାତିର ଆଉ ଗୋଟିଏ ବଡ ଆବିଷ୍କାର ଥିଲା ମଣିଷର ମନ। କିଛି ଗୋଟାଏ ପଦାର୍ଥ ମଣିଷର ଶରୀର ସାଙ୍ଗରେ ଯୋଖା ହୋଇଅଛି, ଯିଏ କି ମଣିଷକୁ ସୁଖ ଆଉ ଦୁଃଖ ଦେଉଛି। ମଣିଷର କର୍ତ୍ତା ଦଇବ ନୁହେଁ, ଏ ହେଉଛି ମନ। ମନ ବୋଲି ଶବ୍ଦଟିଏ ନ ଜାଣି ଥିଲେ ମଧ୍ୟ ଆଖି, ନାକ, କାନକୁ ଆୟତ୍ତ କରି ହୁଏ ବୋଲି ଏ ଜାତି ବୁଝି ପାରିଥିଲା। ଏ ପ୍ରକାରର ଆୟତ୍ତରେ କାମର ସଫଳତା ବେଶୀ – ଶିକାର ଭଲ, ଚାଷ ଭଲ, କଥା ଭଲ ଓ ବେଶ ଭଲ। ମଣିଷର ଆୟତ୍ତ ମଣିଷ ଭିତରେ ବୋଲି ଏ ଜାତି ବହୁ ଆଗରୁ ବୁଝିପାରିଥିଲା।

ଏ ପ୍ରକାରର ବୁଝାମଣା ପୃଥିବୀର ଅନ୍ୟ ଜାଗାମାନଙ୍କରେ ହୋଇଥିବାର ସମ୍ଭାବନା କିଛି କମ୍ ନୁହେଁ। କିନ୍ତୁ ବସତି ଦୃଷ୍ଟିରୁ ଅନ୍ୟ ଜାଗାର ଲୋକମାନଙ୍କର ଖାଦ୍ୟାଭାବ ହେଲା ଏବଂ ସେମାନେ ଏକକାଳୀନ ଗୋଟିଏ ଜାଗାରେ ବସବାସ କରିପାରିଲେ ନାହିଁ। ଏକକାଳୀନ ବସତି ହେଲା ଓଡ଼ିଆ ଦେଶର ବିଶେଷତ୍ଵ। କିନ୍ତୁ ଏ କାହାଣୀ ଏତେ ସହଜ ନୁହେଁ। ବର୍ତ୍ତମାନର ବୈଭାଷିକ ଠୋ ଠା ପଙ୍ଗତରେ ଏ ଦେଶ ଯେ ସ୍ଥାୟୀ ସମାଜ ଗଠନ କରିଥିଲା – ତା’ ଅନୁଶୀଳନର ବିଷୟ।

ପାଠକ ବନ୍ଧୁଙ୍କୁ ମୋ’ ସହ ଚାଲିବାରେ ସହଯୋଗ କରିଥିବାରୁ ମୁଁ ନିଜ ତରଫରୁ କୃତଜ୍ଞତା ଜଣାଉଛି। ଏ କାହାଣୀ ଲେଖିବାକୁ ଅନୁପ୍ରାଣିତ କରିଥିବାରୁ ମୁଁ ଭାଇ ନୀଳାମ୍ବର ରଥଙ୍କୁ ଧନ୍ୟବାଦ ଜଣାଉଛି। ପ୍ରତ୍ୟେକ ମାସରେ ଦୁଇଥର ଲେଖି ଏ କାହାଣୀକୁ ଆଗେଇ ନେବାର ଅଭିପ୍ରାୟ ଅଛି। ଜଗନ୍ନାଥଙ୍କଠାରେ ଭରସା।

(ଅଧ୍ୟାପକ ବିଜୟମୋହନ ମିଶ୍ର ଜଣେ ପଦାର୍ଥବିତ୍ ଏବଂ ଭାଷା ବିଶେଷଜ୍ଞ। କଟକ ସହରରେ ତାଙ୍କର ଜନ୍ମ। ରାଣୀହାଟ ହାଇସ୍କୁଲ, ରେଭେନ୍ସା କଲିଜିଏଟ୍ ସ୍କୁଲ ଓ ରେଭେନ୍ସା କଲେଜରେ ତାଙ୍କର ଶିକ୍ଷା। ୧୯୭୪ ମସିହାରୁ ସେ ଯୁକ୍ତରାଷ୍ଟ୍ର ଅମେରିକାରେ ବାସ କରୁଛନ୍ତି। ସେଠାରେ ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଓ ହାଭାର୍ଡ ବିଶ୍ୱବିଦ୍ୟାଳୟ ସହ ସେ ସଂପୃକ୍ତ। ଇଣ୍ଡିଆ ଡିସ୍କୋଭରି ସେଣ୍ଟର୍​ର ସେ ସଭାପତି ଭାବରେ କାର୍ଯ୍ୟ କରନ୍ତି।)

Comment