ମାଲକାନଗିରିରୁ ଇଶ୍ୱର ପଟନାୟକ

ମାଲ୍ୟବନ୍ତ ମହୋତ୍ସବର ପଲ୍ଲିଶ୍ରୀମେଳାରେ ଜମୁଛି ବ୍ୟବସାୟୀଙ୍କ ଭିଡ଼।

ରାଜ୍ୟର ଅନୁନ୍ନତ ଜିଲ୍ଲା ଭାବେ ପରିଚିତ ରହିଥିବା ମାଲକାନଗିରି ଜିଲ୍ଲା। ମାଲକାନଗିରି ଭଳି ପବିତ୍ର ସ୍ଥାନର ଗାଥା ରାମାୟଣ, ମହାଭାରତ ଭଳି ଗ୍ରନ୍ଥରେ ଲିପିବଦ୍ଧ ରହିଛି। ଚାଷ କାମଠାରୁ ଆରମ୍ଭ କରି କଳା ଓ ସଂସ୍କୃତିର ଗନ୍ଥାଘର ମାଲକାନଗିରି ଜିଲ୍ଲା। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାମାନଙ୍କରେ ଲୁକାୟତ ରହିଥିବା ନିଜର କଳା, ସଂସ୍କୃତି ଉନ୍ମଚୋନ କରିବା ପାଇଁ ଏହିଭଳି ଲୋକମହୋତ୍ସବ ଆୟୋଜନ ହେଉଛି।

ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନଙ୍କ କଳା ସଂସ୍କୃତି ସାରା ବିଶ୍ୱରେ ଅନନ୍ୟ।ଏଭଳି ମହୋତ୍ସବର ଆୟୋଜନ କରିବା ଦ୍ୱାରା ଆଦିବାସୀମାନେ ଓ ସେମାନଙ୍କ ଭାଷା, ସଂସ୍କୃତି, ପରମ୍ପରାକୁ ନେଇ ହୀନମନ୍ୟତା ଦୂର ହୋଇପାରୁଛି।

ମାଲ୍ୟବନ୍ତ ମହୋତ୍ସବ ଅବସରରେ ମହୋତ୍ସବ ପଡ଼ିଆରେ ଆୟୋଜନ ହୋଇଛି ପଲ୍ଲିଶ୍ରୀମେଳା। ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ, ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀ ଏଥିରେ ସାମିଲ ହୋଇ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଛି। ମାଲ୍ୟବନ୍ତ ମହୋତ୍ସବ ଅବସରରେ ଆୟୋଜନ ହୋଇଛି ୫ଦିନିଆ ପଲ୍ଲିଶ୍ରୀମେଳା।

ପ୍ରଥମ ଦିନ ଯଦିଓ ପଲ୍ଲିଶ୍ରୀମେଳା ସେତେ ଜମିନଥିଲା ତା’ପରଠାରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପଲ୍ଲିଶ୍ରୀମେଳାରେ ଭଳିକି ଭଳି ଷ୍ଟଲ ଖୋଲାଯାଇଥିବା ବେଳେ ଦର୍ଶକମାନେ ବୁଲି ବୁଲି ସାମଗ୍ରୀ ପରଖି ନେଉଥିବାର ଦେଖାଯାଇଛି। ବାଉଁଶ ତିଆରି ସାମଗ୍ରୀ, ଟେରାକୋଟା ସାମଗ୍ରୀ, ତାରକସି, ଘରକରଣା ଜିନିଷଠୁ ଆରମ୍ଭ କରି ଆଚାର, ପାମ୍ପଡ଼, ଧୂପକାଠି, ସମ୍ବଲପୁରୀ ବସ୍ତ୍ର ବିକ୍ରି ହେଉଛି। ସେହିପରି ସ୍ୱତନ୍ତ୍ର ଭାବେ ଏଥର କରାଯାଇଥିବା ଫୁଡ୍‌କୋର୍ଟରେ ଲୋକମାନେ ଭିଡ଼ ଜମାଉଛନ୍ତି।

ଚଳିତବର୍ଷ ଭଲ ସାମଗ୍ରୀ ଆସିଥିବା ବେଳେ ଦରଦାମ ମଧ୍ୟ କମ୍ ରହିଥିବା ଦର୍ଶକମାନେ କହୁଥିବା ବେଳେ ଭଲ ବିକ୍ରି ହେଉଥିବା ବ୍ୟବସାୟୀ କହିଛନ୍ତି। ଆସନ୍ତା ୧୫ ତାରିଖ ଯାଏଁ ପଲ୍ଲିଶ୍ରୀମେଳା ଅନୁଷ୍ଠିତ ହେବାକୁ ଥିବାବେଳେ ପ୍ରବଳ ଶୀତକୁ ମଧ୍ୟ ଖାତିର ନକରି ଲୋକଙ୍କ ଭିଡ଼ ଜମୁଛି ମାଲ୍ୟବନ୍ତ ମହୋତ୍ସବରେ।

Comment