ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜେଡିର ଦିଲ୍ଲୀ ସମାବେଶର ଜବାବ ମୋଦି ବଲାଙ୍ଗିରରେ ଦେବେ।

ମଙ୍ଗଳବାର ଦିନ ବଲାଙ୍ଗିର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୧୫୪୫ କୋଟି ଟଙ୍କାର ପ୍ୟାକେଜ ନେଇ ଆସୁଥିବା ମୋଦିଙ୍କ ଫୋକସ୍‌ରେ ଏଥର ରହିଛି ପଶ୍ଚିମ ଓଡ଼ିଶା। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ପଦ୍ମ ଫୁଟାଇବା ପାଇଁ ମୋଦି ବଲାଙ୍ଗିରରେ ନେତା ଓ କର୍ମୀଙ୍କୁ ଉତ୍ସାହିତ କରିବେ।

ତେବେ ମୋଦି ବଲାଙ୍ଗିର ସଭାରେ କ’ଣ କହିବେ? ଖୋର୍ଦ୍ଧା ଏବଂ ବାରିପଦା ସମାବେଶରେ ନବୀନ ଏବଂ ବିଜେଡି ପ୍ରତି ନରମ ଆଭିମୁଖ୍ୟ ଦେଖାଇଥିବା ମୋଦି ବଲାଙ୍ଗିରରେ ଦିଲ୍ଲୀର ଜବାବ ଦେବେ କି? ଏହା ଏବେ ରାଜନୀତି କରଡରରେ ଚର୍ଚ୍ଚାର ବିଷୟ ହୋଇଛି।

ଗତ ୫ ତାରିଖରେ ମୋଦି ଆସିଥିଲେ ବାରିପଦା। ଏହି ସଭାରେ ମୋଦି ନବୀନ କିମ୍ବା ବିଜେଡିର ନାଁ ଧରି ନଥିଲେ। କେବଳ ରାଜ୍ୟ ସରକାରଙ୍କ ନାଁ ନେଇ ବର୍ଷିଥିଲେ।

ଏହାର ଦୁଇ ଦିନ ପରେ ଦିଲ୍ଲୀର ତାଳକୋଟରା ଷ୍ଟାଡିୟମରେ ବିଜେଡି କରିଥିବା କୃଷକ ଅଧିକାର ଯାତ୍ରା। ଧାନର ଏମ୍‌ଏସ୍‌ପି ବୃଦ୍ଧି ଏବଂ ଚାଷୀଙ୍କୁ ସେମାନଙ୍କ ହକ୍ ଦେବା ଦାବିରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗର୍ଜିଥିଲା ବିଜେଡି।

ଦିଲ୍ଲୀରେ ହିଁ ନବୀନ ସିଧାସଳଖ ମୋଦିଙ୍କୁ ଆକ୍ରମଣ କରିଥିଲେ। ମୋଦି ତାଙ୍କ ପ୍ରତିଶ୍ରୁତି ପୂରଣ କରୁ ନାହାନ୍ତି କହି ମୋଦି ସରକାର ଉପରେ ବର୍ଷିଥିଲେ। କେବଳ ନବୀନ ନୁହନ୍ତି ବିଜେଡିର ଅନ୍ୟ ନେତା, ମନ୍ତ୍ରୀମାନେ ବି ଦିଲ୍ଲୀରେ ମୋଦି ସରକାର ଉପରେ ଜମେଇକି ବର୍ଷିଥିଲେ। ଏଣୁ ମୋଦି ଦିଲ୍ଲୀର ଜବାବ ବଲାଙ୍ଗିରରେ ଦେବେ ବୋଲି ଚର୍ଚ୍ଚା ହେଉଛି।

ଧାନମଣ୍ଡି କଥା ଉଠାଇବେ ମୋଦି!

ଦିଲ୍ଲୀରେ ଚାଷୀଙ୍କ ହକ୍ ପାଇଁ ବିଜେଡି କୃଷକ ଅଧିକାର ଯାତ୍ରା କରି ମୋଦିଙ୍କୁ ଟାର୍ଗେଟ କରିଥିଲେ। ଏବେ ମୋଦିଙ୍କ ପାଳି। ବର୍ତ୍ତମାନ ଧାନ ଅମଳ ହୋଇ ମିଲ୍ ଖଳାରେ ପଡ଼ିଥିଲେ ମଧ୍ୟ ମଣ୍ଡି ଠିକ୍ ସମୟରେ ଖୋଲୁ ନାହିଁ। ବିଶେଷକରି ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଏଭଳି ଚିତ୍ର ସାମ୍ନାକୁ ଆସୁଛି। ମୋଦି ପଶ୍ଚିମ ଓଡ଼ିଶାର ପ୍ରମୁଖ ଜିଲ୍ଲା ବଲାଙ୍ଗିର ଆସୁଥିବାରୁ ଏଠାରେ ଧାନମଣ୍ଡିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିପାରନ୍ତି।

‘କାଳିଆ’ ଯୋଜନାକୁ କରିବେ କି ଟାର୍ଗେଟ?

ରାଜ୍ୟ ସରକାର ଓଡ଼ିଶାର ଚାଷୀମାନଙ୍କ ପାଇଁ କାଳିଆ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ଯୋଗ୍ୟ ଚାଷୀ ଏବଂ ଭୂମିହୀନମାନଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ହେଲେ ଏହାକୁ ବିରୋଧୀ ବିଜେପି ଧୂଆଁବାଣ କରି ସରକାରଙ୍କୁ ସମାଲୋଚନା କରିଛି। ‘କାଳିଆ’ ଯୋଜନାକୁ ଅସ୍ତ୍ର କରି ବିଜେଡି ନିର୍ବାଚନ ବୈତରଣୀ ପାର୍ ହେବାକୁ ଲକ୍ଷ୍ୟ ରଖିଛି। କିନ୍ତୁ ଗାଁରେ ଯୋଗ୍ୟ ଚାଷୀଙ୍କୁ ଏଥିରେ ସାମିଲ କରାଯାଉ ନଥିବା ବିଜେପି ଅଭିଯୋଗ କରିଛି। ନିର୍ବାଚନ ଆସୁଥିବାରୁ ଏହାକୁ ନେଇ ମୋଦି ବଲାଙ୍ଗିର ସଭାରେ ରାଜ୍ୟ ସରକାରଙ୍କୁ ବାଣ ମାରିପାରନ୍ତି।

ସ୍ଥାୟୀ ହାଇକୋର୍ଟ ବେଞ୍ଚ କଥା ବି ଉଠାଇବେ!

ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ଦୀର୍ଘଦିନ ହେଲା ହୋଇ ଆସୁଛି। ଆଇନଜୀବୀମାନେ ଆନ୍ଦୋଳନ କରି ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଦୋଷ ଲଦାଲଦି ଯୋଗୁଁ ଏହା ସମ୍ଭବ ହେଉନି। ମୋଦିଙ୍କ ବଲାଙ୍ଗିର ଗସ୍ତର ଦିନକ ପୂର୍ବରୁ ପୁଣି ଏହି ଦାବି ତେଜିଛି।

ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଗତ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ମୋଦିଙ୍କ ଗସ୍ତ ପୂର୍ବରୁ କେନ୍ଦ୍ର ଓଡ଼ିଶା କୋର୍ଟକୁ ବଲ୍ ଫିଙ୍ଗିଛି। ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ସହ କଥା ହୋଇ ସବିଶେଷ ତଥ୍ୟ ଦେବାକୁ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ କହିଛନ୍ତି। ଏହାର ଜବାବ ମଧ୍ୟ ମୋଦି ବଲାଙ୍ଗିର ସଭାରେ ଦେଇ ପାରନ୍ତି।

ଖୋର୍ଦ୍ଧା-ବଲାଙ୍ଗିର ରେଳପଥ

ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଅଗ୍ରଗତିକୁ ନେଇ କେନ୍ଦ୍ର ଓ ରାଜ୍ୟ ସବୁବେଳେ ମୁହାଁମୁହିଁ ହୋଇ ଆସୁଛନ୍ତି। ଏହି ପ୍ରକଳ୍ପ କାମ ଶେଷ ହେଉ ନଥିବାରୁ ରାଜ୍ୟ କେନ୍ଦ୍ର ପରସ୍ପରକୁ ଦାୟୀ କରିଛନ୍ତି। ଏ ସମ୍ପର୍କରେ ବି ମୋଦି କିଛି କହିପାରନ୍ତି। ଖୋର୍ଦ୍ଧା ବଲାଙ୍ଗିର ପ୍ରକଳ୍ପ କାମ କେଉଁଠି ଅଟକିଛି ଏବଂ କାହା ପାଇଁ ଅଟକିଛି ତାର ବି କଡ଼ାଗଣ୍ଡା ହିସାବ ଦେଇପାରନ୍ତି ମୋଦି।

ସବୁଠୁ ବଡ଼ କଥା ହେଉଛି ମୋଦି ଗତ ମାସେ ଭିତରେ ତିନି ଥର ଓଡ଼ିଶା ଆସିଲେଣି। ଡିସେମ୍ବର ୨୪ରେ ମୋଦି ଖୋର୍ଦ୍ଧା, ଜାନୁଆରୀ ୫ରେ ବାରିପଦା ଆସିଥିବା ବେଳେ ଆସନ୍ତା କାଲି ବଲାଙ୍ଗିର ଆସୁଛନ୍ତି। ଖୋର୍ଦ୍ଧା ଏବଂ ବାରିପଦା ସଭାରେ ମୋଦି ନବୀନଙ୍କ ବିରୋଧରେ ପଦଟିଏ ବି କହି ନଥିଲେ।

ହେଲେ ବାରିପଦା ସମାବେଶ ପରେ ରାଜନୀତିରେ ନୂଆ ସମୀକରଣ ବଦଳିଛି। ନବୀନ ଦିଲ୍ଲୀରେ ଚାଷୀ ପ୍ରସଙ୍ଗକୁ କେନ୍ଦ୍ର କରି ମୋଦି ସରକାର ଉପରେ ବର୍ଷି ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଦାବିରେ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର ଦେଇଛି। ଏଣୁ ଖୋର୍ଦ୍ଧା ଏବଂ ବାରିପଦା ସଭାରେ ନବୀନଙ୍କ ପ୍ରତି ନରମ ମନୋଭାବ ଦେଖାଇଥିବା ମୋଦି ବଲାଙ୍ଗିରରେ ଗରମ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment