ଓଡ଼ିଶାଲାଇଭ୍ ବ୍ୟୁରୋ

ଜମୁଛି ବରଗଡ଼ ଧନୁଯାତ୍ରା। ମଥୁରାର ରଙ୍ଗମହଲ ଏବଂ ଗୋପପୁରରେ ଚାଲିଥିବା ନାଟକକୁ ଉପଭୋଗ କରୁଛନ୍ତି ଦର୍ଶକ। ଚତୁର୍ଥ ଦିନରେ କଂସଙ୍କର ଏକମାତ୍ର ଲକ୍ଷ୍ୟ – ଶ୍ରୀକୃଷ୍ଣଙ୍କୁ ନିଧନ କରି ମୃତ୍ୟୁର କବଳରୁ ମୁକୁଳିଯିବେ। ସେଥିପାଇଁ ସେ ବିଭିନ୍ନ ଉପାୟ ଖୋଜି ଚାଲିଛନ୍ତି।

ଶିବଙ୍କ ଉପରେ ତାଙ୍କର ଅଗାଧ ବିଶ୍ଵାସ। ଇଷ୍ଟଦେବ ଶିବଙ୍କୁ ପ୍ରସନ୍ନ କରାଇ କାଳଜୟୀ ହେବା ପାଇଁ କଂସଙ୍କ ଶିବ ଆରାଧନା ଏକ ବିଶେଷ ପ୍ରସଙ୍ଗ। ଏହି ପରିପ୍ରେକ୍ଷୀରେ କଂସ ଯାଇଥିଲେ ମୁକ୍ତେଶ୍ଵର ମନ୍ଦିରକୁ ରୁଦ୍ରାଭିଷେକ ପାଇଁ।

ମୁକ୍ତେଶ୍ଵର ମନ୍ଦିରରେ ମଥୁରାର କଂସାସୁରଙ୍କୁ ସ୍ଵାଗତକରି ପୂଜକମାନେ ପାଛୋଟି ନେଇଥିଲେ। ମୁକ୍ତେଶ୍ଵର ମହାଦେବଙ୍କଠାରେ ରୁଦ୍ରାଭିଷେକ ପୂଜାସାରି କଂସ ଆଶିଷ ଭିକ୍ଷା କରିଥିଲେ। ମନ୍ଦିର ପରିସରରୁ ବାହାରିଯାଇ ରାଜଦାଣ୍ଡରେ ନଗର ଭ୍ରମଣ କରିଥିଲେ।

ଏପଟେ କୃଷ୍ଣଙ୍କୁ ବଧ କରିବା ପାଇଁ କଂସ ଗୋପପୁରକୁ ପୁତନା, ବକା, ସକଟା, ତୃଣା, ଧେନୁ, ଷଣ୍ଢାସୁର ଆଦି ରାକ୍ଷସଙ୍କୁ ପଠାଇଥିଲେ। ହେଲେ କୃଷ୍ଣ ଏବଂ ବଳରାମ ରାକ୍ଷସଙ୍କୁ ନିହତ କରିଥିଲେ।

ଚତୁର୍ଥ ଦିନରେ ନନ୍ଦ ଭବନରୁ ବାହାରି ଗୋପପୁର ପରିକ୍ରମା କରିଥିଲେ ପ୍ରଭୁ ଶ୍ରୀକୃଷ୍ଣ ଓ ବଳରାମ। ଗୋପପୁରର ଘରେ ଘରେ ପୂଜା କରାଯାଇ ସ୍ଵାଗତ କରାଯାଇଥିଲା କୃଷ୍ଣ-ବଳାରାମଙ୍କୁ। ସମଗ୍ର ଗୋପପୁରର ଘର ସମ୍ମୁଖରେ ଝୋଟି ଅଙ୍କା ଯାଇଥିଲା। ଶ୍ରୀକୃଷ୍ଣଙ୍କୁ ପୂଜା କରିବା ପାଇଁ ଗୋପପୁରବାସୀଙ୍କ ମନରେ ଥିଲା ଅନେକ ଉତ୍ସାହ ଏବଂ ଉଦ୍ଦୀପନା।

ଗୋଟିଏପଟେ କଂସ ମହାରାଜଙ୍କ ଜୟ ଜୟକାରରେ ମଥୁରା ନଗରୀ ପ୍ରକମ୍ପିତ ହେଉଥିବା ବେଳେ ଅନ୍ୟପଟେ କୃଷ୍ଣ ବଳରାମଙ୍କ ଜୟଗାନରେ ବରଷୁଥିଲା ଭକ୍ତି ଓ ଆନନ୍ଦର ବର୍ଷା। ଗୋପପୁରର ନନ୍ଦ ଦରବାରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁରହିଥିଲା।

Comment