ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାରରୁ ଇସ୍ତଫା ଦେଲେ ୨ ସ୍ୱାଧୀନ ବିଧାୟକ।

କର୍ଣ୍ଣାଟକ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କର୍ଣ୍ଣାଟକରେ ମେଣ୍ଟ କରି ସରକାର ଗଢ଼ିଥିବା କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ସମ୍ପର୍କ ତିକ୍ତ ହେଉଛି। ଏହାର ଫାଇଦା ବିଜେପି ନେବା ପାଇଁ ପ୍ରସ୍ତୁତ ହୋଇ ରହିଛି।

ମଙ୍ଗଳବାର ଦିନ ଦୁଇ ସ୍ୱାଧୀନ ବିଧାୟକ ନିଜ ପଦବୀରୁ ଇସ୍ତଫା ଦେବା ପରେ କର୍ଣ୍ଣାଟକ ରାଜନୀତି ପୂରା ସରଗରମ ହୋଇଯାଇଛି। ଦୁଇ ବିଧାୟକଙ୍କ ଇସ୍ତଫା ପରେ କଂଗ୍ରେସ କୋର୍ କମିଟି ବୈଠକ ବସିଥିଲା। ବୈଠକ ପରେ କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ କହିଥିଲେ ଯେ ଏହା ହେଉଛି ବିଜେପିର ଷଡ଼ଯନ୍ତ୍ର। କର୍ଣ୍ଣାଟକରେ ଆମ ସ୍ଥିତି ମଜଭୁତ ରହିଛି। ସରକାର ମଧ୍ୟ କୌଣସି ସଙ୍କଟ ନାହିଁ।

ହେଲେ ବିଜେପି ନେତା ବି ଏସ୍ ୟେଦୁରପ୍ପା ଦଳୀୟ ବିଧାୟକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଖୁବ୍‌ଶୀଘ୍ର ଖୁସି ଖବର ଆସିବାକୁ ଯାଉଛି। ରାତି ୮ଟାରେ ୟେଦୁରପ୍ପା ବୈଠକ ଡାକିଛନ୍ତି। କର୍ଣ୍ଣାକରେ ସରକାର ଗଠନ ଉପରେ ବିଧାୟକମାନଙ୍କ ସହ ଆଲୋଚନା କରିବେ ୟେଦୁରପ୍ପା। ବର୍ତ୍ତମାନ ବିଜେପି ପାଖରେ ୧୦୪ ବିଧାୟକ ଅଛନ୍ତି। ସରକାର ଗଠନ ପାଇଁ ୧୧୩ ବିଧାୟକଙ୍କ ସମର୍ଥନ ଦରକାର।

ସୋମବାର ରାତିର ଘଟଣା। କଂଗ୍ରେସ ନେତା ତଥା ମନ୍ତ୍ରୀ ଡିକେ ଶିବକୁମାର ଅଭିଯୋଗ କରିଥିଲେ ଯେ କଂଗ୍ରେସର ୫ ଜଣ ବିଧାୟକଙ୍କୁ କର୍ଣ୍ଣାଟକରୁ ନେଇ ଦିଲ୍ଲୀ ଏବଂ ମୁମ୍ବାଇରେ ରଖାଯାଇଛି। ଏଥିପାଇଁ ସେ ବିଜେପି ଉପରେ ଦୋଷ ଲଦିଥିଲେ।

ଏହି ଅଭିଯୋଗକୁ ପ୍ରଥମେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଖଣ୍ଡନ କରିବା ସହ ବିଜେପିକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବିଜେପି ସରକାର ଗଠନ କରିବାକୁ ବ୍ୟାକୁଳ ହେଉଛି। ଏଣୁ ଉଭୟ କଂଗ୍ରେସ ଏବଂ ଜେଡିଏସ୍ ବିଧାୟକଙ୍କୁ କିଣିବା ଲାଗି ଉଦ୍ୟମ ଚଳାଇଛି।

କଂଗ୍ରେସର ୫ ଜଣ ବିଧାୟକଙ୍କ ମାଧ୍ୟରେ ଆଉ ୧୩ ଜଣ ବିଧାୟକଙ୍କୁ ନିଜ ପକ୍ଷକୁ ନେବା ଲାଗି ବିଜେପି ଉଦ୍ୟମ କରୁଥିବା କଂଗ୍ରେସ ନେତା ଅଭିଯୋଗ କରିବା ପରେ କର୍ଣ୍ଣାଟକ ରାଜନୀତି ଉଠୁଛି ପଡ଼ୁଛି।

ୟେଦୁରପ୍ପା କହିଥିଲେ, “କଂଗ୍ରେସ ଏବଂ ଜେଡିଏସ୍ ମଧ୍ୟରେ ସମ୍ପର୍କ ତିକ୍ତ ହେଉଛି। ଯେ କୌଣସି ମୁହୂର୍ତ୍ତରେ ବିଦ୍ରୋହର ସମ୍ଭାବନା ରହିଛି। ନିକଟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ କଂଗ୍ରେସରେ କନ୍ଦଳ ବଢ଼ିଥିଲା। ସରକାରରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ବିଜେପି କୌଣସି ଉଦ୍ୟମ କରୁନି।”

ଗତବର୍ଷ ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ ବିଜେପି ସର୍ବାଧିକ ୧୦୪ଟି ଆସନ ପାଇଥିଲା। କଂଗ୍ରେସ ୮୦ ଏବଂ ଜେଡିଏସ୍ ୩୭ଟି ଆସନରେ ବିଜୟୀ ହୋଇଥିଲା।

ତେବେ ବିଜେପିକୁ ଦୂରେଇ ରଖିବା ପାଇଁ କଂଗ୍ରେସ ଆଗତୁରା ଜେଡିଏସ୍ ସହ ମେଣ୍ଟ ଘୋଷଣା କରିବା ସହ କୁମାରସ୍ୱାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେବା ପାଇଁ ରାଜି ହୋଇଥିଲା। ଫଳରେ ୧୧୭ ଆସନ ବଳରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍ ସରକାର ଗଠନ ହୋଇଥିଲା।

Comment