ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
  • ସେବଶ୍ରମର ୮ ଜଣ ନିଲମ୍ବିତ, ୧୪ ଜଣଙ୍କୁ ବଦଳି
  • ଦକ୍ଷିଣାଞ୍ଚଳ ଆର୍‌ଡିସିଙ୍କୁ ଭେଟିଲା କଂଗ୍ରେସ ଟିମ୍
  • ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି
  • ମନ୍ତ୍ରୀ କହିଲେ, “ସଚେତନ ଅଛନ୍ତି ସରକାର”

କନ୍ଧମାଳ ଦାରିଙ୍ଗବାଡ଼ି ସେବାଶ୍ରମ କେଳେଙ୍କାରୀ ମାମଲାରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ଏହାସହ ରାଜ୍ୟ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି କମିଶନ।

ପୀଡ଼ିତାଙ୍କ ଥଇଥାନ ପାଇଁ କ’ଣ ପଦକ୍ଷେପ ନିଆଯାଇଛି? ଅଭିଯୁକ୍ତଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?  ଏ ସମ୍ପର୍କରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ରାତିର ଘଟଣା। ସେବାଶ୍ରମର ଜଣେ ଛାତ୍ର ଶିଶୁକନ୍ୟା ଜନ୍ମ ଦେଇଥିଲେ। ଶିଶୁକନ୍ୟାଟି ସୋମବାର ପ୍ରାଣ ହରାଇଥିବା ବେଳେ ପୀଡ଼ିତା ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି।

ପ୍ରଧାନ ଶିକ୍ଷୟିତ୍ରୀ ରାଧାରାଣୀ ଦଳାଇଙ୍କ ସମେତ ୩ ମହିଳା ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବନ କରାଯାଇଛି। ସେହିପରି ୨ ଜଣ ମାଟ୍ରନ, ଜଣେ ଏଏନଏମ୍, ୨ ଜଣ କୁକ୍ କମ୍ ଆଟେଣ୍ଡାଣ୍ଟ, ଜଣେ ୱାଚ ଏବଂ ୱାର୍ଡ ଆଟେଣ୍ଡାଙ୍କୁ ନିଲମ୍ବନ କରାଯାଇଛି। ସେବାଶ୍ରମର ଅନ୍ୟ ୧୪ ଜଣ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ସଂପୃକ୍ତ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ଯୁବକ ଶ୍ରବଣ ପ୍ରଧାନକୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି।

ପରିସ୍ଥିତି ଅନୁଧ୍ୟାନ ପାଇଁ କଂଗ୍ରେସର ଏକ ଟିମ୍ ଦାରିଙ୍ଗବାଡ଼ି ଓ ବ୍ରହ୍ମପୁର ଏମ୍‌କେସିଜିକୁ ଯାଇଥିଲା। ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ଭେଟି ଅନ୍ୟ ଅଭିଯୁକ୍ତମାନଙ୍କ ଗିରଫ ପାଇଁ ଦାବି କରିଥିଲା ଦଳ। ଏହାସହ ପୀଡ଼ିତାଙ୍କୁ ୧୦ରୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ, ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।

ଏପଟେ ବିଜେପି ମଧ୍ୟ ଏହି କେଳେଙ୍କାରୀ ଉପରେ ପ୍ରଶ୍ନ ଉଠାଇ ରାଜ୍ୟପାଳଙ୍କୁ ଫେରାଦ ହୋଇଛି।

ମନ୍ତ୍ରୀ ରମେଶ ମାଝି କହିଛନ୍ତି, “ଛାତ୍ରଛାତ୍ରୀଙ୍କ ସୁରକ୍ଷା ସମ୍ପର୍କରେ ସରକାର ସଚେତନ ଅଛନ୍ତି। ରାଜ୍ୟର ୧୦୦୦ ଆବାସିକ ସ୍କୁଲରେ ସିସିଟିଭି ଲଗାଇବାକୁ ସରକାର ଯୋଜନା କରିଛନ୍ତି।”

Comment