ଓଡ଼ିଶାଲାଇଭ୍‌ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ

ଶ୍ରୀଦେବୀଙ୍କ ଜୀବନୀ ଫିଲ୍ମ ‘ଶ୍ରୀଦେବୀ ବଙ୍ଗଲୋ’କୁ ନେଇ ବଢ଼ୁଛି ସସ୍‌ପେନ୍ସ। ଅନ୍ୟପଟେ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି ପ୍ରିୟା ପ୍ରକାଶ ୱାରିୟର।

ଗତ ବର୍ଷ ଭାଲେଣ୍ଟାଇନ ଡେ’ ରେ ଆଖି ମାରି ପୂରା ଦେଶର ଲକ୍ଷ ଲକ୍ଷ ଲୋକଙ୍କ ମନ କିଣିଥିଲେ ମଲାୟାଲମ ଅଭିନେତ୍ରୀ ପ୍ରିୟା ପ୍ରକାଶ ୱାରିୟର। ଚଳିତବର୍ଷ ମଧ୍ୟ ସେ ଦର୍ଶକମାନଙ୍କ ପାଇଁ ନେଇ ଆସିଛନ୍ତି ଆଉ ଏକ ଭେଟି। ସୋମବାର ମକର ସଂକ୍ରାନ୍ତି ଅବସରରେ ଏହି ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମର ନାଁ ‘ଶ୍ରୀଦେବୀ ବଙ୍ଗଲୋ’। ଏହି ସିନେମା ଜରିଆରେ ପ୍ରିୟା ପ୍ରକାଶ ବଲିଉଡରେ ପାଦ ଥାପିଛନ୍ତି।

ଫିଲ୍ମର ନାଁରୁ ଜଣାପଡୁଛି କି ଏହି ଫିଲ୍ମ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀ ଜୀବନୀ ଉପରେ ଆଧାରିତ। ‘ଶ୍ରୀଦେବୀ ବଙ୍ଗଲୋ’ ଫିଲ୍ମରେ ସୁପରଷ୍ଟାର ଶ୍ରୀଦେବୀଙ୍କ ରୋଲ୍‌ରେ ଅଭିନୟ କରିଛନ୍ତି ପ୍ରିୟା।

ଫିଲ୍ମର ଟ୍ରେଲରରେ ଦେଖାଯାଇଛି ଯେ, କେମିତି ଶ୍ରୀଦେବୀ ଜଣେ ଖୁବ୍‌ ପ୍ରସିଦ୍ଧ ମହିଳା ଥିଲେ। ବାହାରକୁ ଖୁସି ଦେଖାଯାଉଥିବା ଶ୍ରୀଦେବୀ କିପରି ଭିତରେ ଯନ୍ତ୍ରଣା ଅନୁଭବ କରୁଥିଲେ ତାହା ଟ୍ରେଲରରେ ଦେଖାଯାଇଛି। ଟ୍ରେଲରର ଶେଷରେ ବାଥ୍‌ ଟବ୍‌ରୁ ଶ୍ରୀଦେବୀଙ୍କ ଲାଶ ମିଳିଥିବାର ଦେଖାଯାଇଛି। ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ଯେ, ଫିଲ୍ମର କାହାଣୀ ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ଉପରେ ଆଧାରିତ।

ଅନ୍ୟପକ୍ଷରେ ଫିଲ୍ମରେ ଶ୍ରୀଦେବୀଙ୍କୁ କୌଣସି ସମ୍ମାନ କିମ୍ବା ଶ୍ରଦ୍ଧାଞ୍ଜଳି ଦିଆଯାଇନାହିଁ। ଏପରିକି ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣା ଉପରେ ଏହି ସିନେମା ଆଧାରିତ ହୋଇଥିବା ପ୍ରିୟା ପ୍ରକାଶ ତଥା ଫିଲ୍ମ ନିର୍ମାତା ସ୍ପଷ୍ଟ କରୁନାହାନ୍ତି।

ଏକ ଇଣ୍ଟରଭ୍ୟୁରେ ପ୍ରିୟା କହିଛନ୍ତି,“ଏହି ଫିଲ୍ମ ଶ୍ରୀଦେବୀଙ୍କ ଜୀବନୀ ଉପରେ ଆଧାରିତ ନା ନାହିଁ, ଫିଲ୍ମ ଦେଖିଲେ ଆପଣ ଜାଣିପାରିବେ। ମୁଁ ତ କେବଳ ଜଣେ ସୁପରଷ୍ଚାରଙ୍କ ଚରିତ୍ରରେ ଅଭିନୟ କରୁଛି। ଆଉ ଏହା ମୋର ପ୍ରଥମ ହିନ୍ଦୀ ଫିଲ୍ମ ହୋଇଥିବାରୁ ଏଥିପାଇଁ ମୁଁ ବହୁତ ଉତ୍ସାହିତ ଓ ନର୍ଭସ ମଧ୍ୟ ଅଛି।”

Comment